ସମ୍ବଲପୁର : ଗୋଟିଏ ମାତ୍ର ଭେଣ୍ଟିଲେଟରରେ ଚାଲିଛି ବୁର୍ଲା ବଡ଼ ମେଡିକାଲର ଶିଶୁ ରୋଗ ବିଭାଗ। ପ୍ରତିଦିନ ମେଡିକାଲର ଏହି ବିଭାଗକୁ ୨୦ରୁ ୩୦ ଜଣ ରୋଗୀ ଆସୁଛନ୍ତି। କିନ୍ତୁ ନାହିଁ ନାହିଁରେ ଚାଲିଛି ପିକୁ ବା ଶିଶୁ ରୋଗ ଆଇସିୟୁ। ଗତ ୩ ଦିନ ମଧ୍ୟରେ ମେଡିକାଲର ଏହି ପିକୁରେ ଚିକିତ୍ସା ସୁବିଧା ନପାଇ ୪ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ତଥା ତଥା ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ଏହି ମେଡିକାଲ ଉପରେ ନିର୍ଭରଶୀଳ। କିନ୍ତୁ ଶିଶୁ ରୋଗ ବିଭାଗର ଏଭଳି ସ୍ଥିତି ଯୋଗୁଁ ଲୋକେ ଆଉ ମେଡିକାଲ ଆସିବାକୁ ଇଚ୍ଛା କରୁନାହାନ୍ତି। ଘଟଣା ସମ୍ପର୍କରେ ମେଡିକାଲ ଅଧୀକ୍ଷକ ଡା. ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଏସମ୍ପର୍କରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବୁର୍ଲା ମେଡିକାଲର ଶିଶୁ ରୋଗ ବିଭାଗରେ ଥିବା ୩ଟି ୟୁନିଟରେ ୯୦ଟି ବେଡ୍ ରହିଛି। କିନ୍ତୁ ସବୁବେଳେ ମେଡିକାଲର ଅନ୍ତଃବିଭାଗରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହୁଛି। ପଶ୍ଚିମ ଓଡିଶାର ଏହି ଗୋଟିଏ ସରକାରୀ ବଡ଼ ମେଡିକାଲରେ ପିଆଇସିୟୁ ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ଥିବା ୬ଟି ବେଡ୍ ପାଇଁ ମାତ୍ର ୪ଟି ଭେଣ୍ଟିଲେଟର ସୁବିଧା ଅଛି। ଏହା ମଧ୍ୟରୁ ଗୋଟିଏ ଦୀର୍ଘମାସ ହେବ ଅଚଳ ହୋଇ ପଡ଼ିଥିବା ବେଳେ ଏବେ ଆଉ ୨ଟି କାମ କରୁନି। ଫଳରେ ସେହି ଗୋଟିଏ ଭେଣ୍ଟିଲେଟରରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଶୁକ୍ରବାର ବରଗଡ଼ ଜିଲ୍ଲା ଭେଡେନରୁ ଆସିଥିବା ୨ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେମାନଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲେ ହୁଏତ ଅଧିକ କିଛି ସମୟ ସେମାନେ ବଞ୍ଚିପାରିଥାନ୍ତେ। କିନ୍ତୁ ସେହି ସମୟରେ ମେଡିକାଲର ପିକୁରେ ଉପଲବ୍ଧ ଗୋଟିଏ ଭେଣ୍ଟିଲେଟରରେ ଜଣେ ଗୁରୁତର ଶିଶୁ ରହିଥିବାରୁ ଏହି ୨ ଶିଶୁଙ୍କୁ ଚିକିତ୍ସା ମିଳିପାରିନଥିଲା। କେବଳ ଏହି ଘଟଣା ନୁହେଁ ବରଂ ବିଗତ ୩ ଦିନ ମଧ୍ୟରେ ଏଭଳି ୪ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଯେଉଁଠି ଭେଣ୍ଟିଲେଟର ସୁବିଧା ମିଳିପାରିଥିଲେ ଏହି ରୋଗୀଙ୍କ ଜୀବନ ହୁଏତ ବଞ୍ଚିଯାଇପାରିଥାନ୍ତା ବୋଲି ଖୋଦ୍ ଡାକ୍ତର ମଧ୍ୟ ସ୍ବୀକାର କରିଛନ୍ତି। ଭେଣ୍ଟିଲେଟର ମରାମତି ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ଚିଠି ଲେଖାଯିବା ପରେ ମଧ୍ୟ ଏଦିଗରେ କୌଣସି ସମାଧାନ ହେଉନଥିବା ଜଣାପଡ଼ିଛି।
ଅପରପକ୍ଷେ, ବୁର୍ଲା ମେଡିକାଲର ଏସ୍ଏନ୍ସିୟୁ ଓ ଏନ୍ଆଇସିୟୁରେ ଗତ ଗୋଟିଏ ମାସ ମଧ୍ୟରେ ମୋଟ ୪୬୭ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଯେଉଁଥିରୁ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।