ଥୁଆମୂଳ ରାମପୁର : ମୌଳିକ ସୁବିଧାର ବଂଚିତ ଥୁଆମୂଳ ରାମପୁର ବ୍ଲକ୍ର ବଫଲାମାଳି ତଳେ ଥିବା ଦୁର୍ମୁଷି ଗ୍ରାମବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି। ଏଠାରେ ରାସ୍ତା, ସ୍ବାସ୍ଥ୍ୟସେବା, ପାନୀୟ ଜଳ, ବିଜୁଳି ଆଦି ସେବା ଅପହଞ୍ଚ। ଅନ୍ୟପକ୍ଷେ ବଫଲାମାଳି ଖଣି ଖନନ ଏମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। କମ୍ପାନୀର ବର୍ଜ୍ୟବସ୍ତୁର ପ୍ରଭାବରେ ଗାଈଗୋରୁ ଓ ଜନ ଜୀବନ ପ୍ରଭାବିତ। ବିପଦସଂକୁଳ ଅବସ୍ଥାରେ ବିଦ୍ୟାଳୟ କୋଠା ରହିଛି। ଏଠାରେ ୮ ଶ୍ରେଣୀ ପାଇଁ ୩ ଶିକ୍ଷକ ଅଛନ୍ତି। କିନ୍ତୁ ଅନେକ ସମୟରେ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାରୁ ଗୋପୀନାଥପୁର ଠାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୧୫ କିଲୋମିଟର। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଓଡ୍ରି ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚନ୍ଦ୍ରଗିରୀ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ଏହି ଗ୍ରାମବାସୀଙ୍କ ପାଇଁ ନିର୍ବାଚନ ସମୟରେ ନେତାମାନେ କେବଳ ପ୍ରତିଶ୍ରୁତି ବର୍ଷା କରନ୍ତି। କିନ୍ତୁ ନିର୍ବାଚନରେ କାହାର ଦେଖା ମିଳେ ନାହିଁ। ପ୍ରତିଶ୍ରୁତି ପୁଣି ୫ ବରଷ ପାଇଁ ପ୍ରତିଶ୍ରୁତିରେ ରହିଯାଏ।
ବକ୍ସାଇଟ ଭରା ବଫଲାମାଳି ପାହାଡର ପାଦଦେଶରେ ଏହି ଗାଁର ଅବସ୍ଥିତି। ଗାଁରେ ୭୩ଟି ଆଦିବାସୀ ପେଙ୍ଗ କନ୍ଧ (ପରଜା) ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଏମାନଙ୍କ ଜନ ସଂଖ୍ୟା ୩୫୩ ଓ ୧୬୮ ଜଣ ମତଦାତା ରହିଛନ୍ତି। କିନ୍ତୁ ଏମାନଙ୍କ ପାଇଁ ନାହିଁ ମତଦାନ କେନ୍ଦ୍ରର ବ୍ୟବସ୍ଥା। ଫଳରେ ଲୋକେ ପାଦରେ ଚାଲି ଚାଲି ୧୫ କିଲୋମିଟର ଦୂରରେ ଥିବା ଓଡ୍ରି ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଯାଆନ୍ତି। ଏହାଛଡ଼ା ରାସନ ସାମଗ୍ରୀ, ବିଭିନ୍ନ ଭତ୍ତା ମଧ୍ୟ ୧୫ କିଲୋମିଟର ଦୂର ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼େ। ଗାଁରେ ଭଲ ରାସ୍ତାଟିଏ ନଥିବାରୁ ଜରୁରୀ ସମୟରେ ଖଟିଆରେ ବୋହି ଡାକ୍ତରଖାନାକୁ ନେବାକୁ ପଡ଼ିଥାଏ। ଗାଁକୁ କୌଣସି ଚାରିଚକିଆ ଯାନ ପଶିପାରେ ନାହିଁ। ଏହାଛଡ଼ା ବିଜୁଳି ବ୍ୟବସ୍ଥା ନ ଥିବାରୁ ଲୋକେ ଡିବିରି ଉପରେ ନିର୍ଭର କରନ୍ତି। ଗାଁରେ ଥିବା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବାରୁ ଅନ୍ୟ ଦୁଇଜଣ ଶିକ୍ଷକ ସଠିକ୍ ଭାବେ ଶିକ୍ଷାଦାନ କରିପାରୁ ନଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ ସହାୟିକା ଆସନ୍ତି ନାହିଁ। ଫଳରେ ଶିଶୁ, ପ୍ରସୂତି ମାନେ ବିଭିନ୍ନ ସୁବିଧାରୁ ବଂଚିତ ହେଉଛନ୍ତି।
ସଚେତନତା ଅଭାବରୁ ଲୋକେ ଏବେବି ରୋଗୀଙ୍କୁ ଝଡ଼ାଫୁଙ୍କା କରନ୍ତି ଓ ଚେରିମୂଳି ଦେଇଥାନ୍ତି। ଫଳରେ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ। ଏଠିକାର ଲୋକେ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ବିଭିନ୍ନ ସମୟରେ ଝାଡ଼ବାନ୍ତି ତଥା ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଗାଁରେ ୨ଟି ନଳକୂଅ ରହିଥିଲେ ମଧ୍ୟ ତାହା ଅଚଳ ଥିବାରୁ ଲୋକେ ବାଧ୍ୟ ହୋଇ ବଫଲାମାଳିରୁ ବାହାରିଥିବା ଝରଣା ପାଣିକୁ ବ୍ୟବହାର କରନ୍ତି। ଲୋକେ ଜଙ୍ଗଲ ଜମିରେ ପାରମ୍ପାରିକ କାଙ୍ଗୁ, କୋଶଲା, ମକା, ମାଣ୍ତିଆ, କାନ୍ଦୁଲ ଆଦି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଅପହଞ୍ଚ ଇଲାକା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଏହିସବୁ ଯୋଜନା ଲୋକଙ୍କ ପାଇଁ ମରୀଚିକା ପାଲଟିଛି। ଅନ୍ୟପକ୍ଷେ ଗାଁର ଉପରେ ରହିଛି ବଫଲାମାଳି ବକ୍ସାଇଟ ଭରା ଖଣି। ଏହି ଖଣିରୁ ବକ୍ସାଇଟ ଖନନ କରି ଆସୁଛି ଉତ୍କଳ ଆଲୁମିନା କମ୍ପାନି। କମ୍ପାନି ନିଜ ଚୁକ୍ତିନାମା ଅନୁସାରେ ଖଣି ପାରିପାର୍ଶ୍ବିକ ଅଂଚଳରେ ଥିବା ଗାଁ ଗୁଡିକର ସାମୂହିକ ବିକାଶ ପାଇଁ ଅନୁଦାନ ଯୋଗାଇବା ବ୍ୟବସ୍ଥା ରହିଛି। କିନ୍ତୁ କମ୍ପାନି ତରଫରୁ ଗାଁ ଗୁଡି ଘର ଓ ଗାଁ ଭିତରେ ମାତ୍ର ୫୦ ମିଟରର ଏକ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରି ଦେଇ ତାର କର୍ତ୍ତବ୍ୟ ସମ୍ପାଦିତ କରି ଦେଇଛି। ଏନେଇ ଲୋକେ ପ୍ରତିବାଦ କଲେ ମାସିକ ଭତ୍ତା ଏକ ହଜାରେରୁ ୧୦ ହଜାର ଦେଇ ସେମାନଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହେଉଛି।
ଏଠାରେ ଖଣି ଖନନ କରାଯାଉ ଥିବାରୁ ଗ୍ରାମବାସୀଙ୍କ ଜୀବନ ଜୀବିକା ବିପଦରେ ରହିଛି। ଜଙ୍ଗଲରେ ଲୋକେ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ମିଳିପାରି ନାହିଁ। ଅନ୍ୟପକ୍ଷେ କଂପାନି କର୍ତ୍ତୃପକ୍ଷ ବର୍ଜ୍ୟବସ୍ତକୁ ଚାଷ ଜମିରେ ଫିଙ୍ଗି ଦେଉଥିବାରୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏହାଛଡ଼ା ପଥର ଖନନରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ଓ ବିସ୍ଫୋରକ ସାମଗ୍ରୀ ଏଣେତେଣେ ପଡୁ ଥିବାରୁ ତାହା ବିପଦ ସୃଷ୍ଟି କରୁଛି। ଏହାର ପ୍ରଭାବ ମଧ୍ୟ ଗଛ ଓ ଘାସ ଉପରେ ପଡୁଛି। ଫଳରେ ଗତ ୨ ମାସ ମଧ୍ୟରେ ଗାଁର ୨୦ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ଘଟିଲାଣି। ଏନେଇ କମ୍ପାନିର ଜଣେ କର୍ମଚାରୀ ସୁଶାନ୍ତ ଧଳଙ୍କ ସହ ଯୋଗାଯୋଗ କରିବାରୁ ଗାଁ ଗୁଡ଼ି ଘର ଓ ଗାଁ ଭିତରେ ସିମେଣ୍ଟ ରାସ୍ତା ତିଆରି ବେଳେ ଚାଷୀମାନଙ୍କୁ ଆମ୍ବ ଚାରା ଯୋଗାଇ ଦିଆଯାଇଥିଲା। ଏହାଛଡ଼ା ସ୍ବାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଏସବୁ ସେବା ବର୍ତ୍ତମାନ ସାମୟିକ ଭାବେ ବନ୍ଦ କରାଯାଇଥିବା ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନର ଗାଁର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।