ଜେଲ୍‌ରେ ଧଳସାମନ୍ତ ବ୍ରଦର୍ସ ସହଯୋଗୀ ଭଜନାଙ୍କ ମୃତ୍ୟୁ

କଟକ ସର୍କଲ ଜେଲରୁ ରାଉରକେଲା ଜେଲକୁ ଆସିଥିଲେ

ରାଉରକେଲା:  ରାଉରକେଲା ସ୍ବତନ୍ତ୍ର ଜେଲରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ସଞ୍ଜୟ ସାହୁ ଓରଫ ଭଜନାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଠଟାରିରେ। ବିଚାରଧୀନ କଏଦୀ ଭାବେ ସେ  ରାଉରକେଲା ଜେଲରେ ସଜା କାଟୁଥିଲେ। ଗତକାଲି ରାତି ପ୍ରାୟ ୧ଟା ୧୫ ମିନିଟ୍‌ରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଜେଲ୍‌ର କର୍ମଚାରୀ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌)ରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧ଟା ୫୦ ମିନିଟ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଜନାଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ଅନ୍ୟାନ୍ୟ ଅନେକ ଅପରାଧିକ ଅଭିଯୋଗ ରହିଥିଲା। ଗତ ୨୦୨୧ ଅଗଷ୍ଟ ୨୦ରେ ତାଙ୍କୁ କଟକ ସର୍କଲ ଜେଲରୁ ରାଉରକେଲା ସ୍ବତନ୍ତ୍ର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ରଘୁନାଥପାଲୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ରାଉରକେଲା ସ୍ବତନ୍ତ୍ର ଜେଲର ଅଧୀକ୍ଷକ ଜୀବନ ସିଂ ମୁଣ୍ଡା କହିଛନ୍ତି, ଭଜନା ଧଳସାମନ୍ତ ବ୍ରଦର୍ସର ସହଯୋଗୀ ଥିଲେ। ବର୍ଷକ ତଳେ ତାଙ୍କୁ କଟକ ସର୍କଲ ଜେଲରୁ ରାଉରକେଲା ସ୍ବତନ୍ତ୍ର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ (ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ) ଏବେ ଜେଲରେ ଅଛନ୍ତି। ଦୁଇ ଭାଇଙ୍କ ନାଁରେ ହତ୍ୟା, ବଟିଆଦାୟ, ପ୍ରାଣାନ୍ତକ ଆକ୍ରମଣ ସମେତ ଅନେକ ଅପରାଧିକ ମାମଲା ରହିଛି। ମୃତ ଭଜନା ଦୁଇ ଭାଇଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଦୁଇ ଭାଇଙ୍କ ନିର୍ଦ୍ଦେଶରେ ଭଜନା କଟକ ସମେତ ଅନ୍ୟାନ୍ୟ ସ୍ଥାନରେ ହତ୍ୟା, ହତ୍ୟା ଧମକ ପରି ଅନେକ ଅପରାଧିକ କାଣ୍ଡ ଭିଆଇଥିଲେ। କଟକ ପୁଲିସ ଭଜନାକୁ ଗିରଫ କରି କଟକ ସର୍କଲ ଜେଲ୍‌କୁ ପଠାଇଥିଲା। ସେଠାରେ କିଛି ବର୍ଷ ରହିବା ପରେ ତାଙ୍କୁ ରାଉରକେଲା ସ୍ବତନ୍ତ୍ର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର