ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର: ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ହେଉ

ଭୁବନେଶ୍ବରରେ ସଂଖ୍ୟାଲଘୁ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ଭଦ୍ରକରେ ଏକ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ସେ ଅନୁରୋଧ କରିଛନ୍ତି।

ଚିଠିରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡିକାଲ୍‌ର ସୁବିଧା ନାହିଁ। ଏଠାରେ ମେଡିକାଲ କଲେଜ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖରେ ରହୁଥିବା ଲୋକମାନେ ମେଡିକାଲ୍‌ର ସୁବିଧା ପାଇପାରିବେ। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମ୍‌ଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ବାରା କ୍ରିୟାନ୍ବୟନ କରାଯାଉଛି। ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ବିଚାର ପାଇଁ ଆବେଦନ କରନ୍ତୁ। କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ଦାୟିତ୍ବ ନେବେ।

ଶ୍ରୀ ପ୍ରଧାନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକ୍‌ବିଙ୍କୁ ଅନ୍ୟ ଏକ ପତ୍ର ଲେଖି ଭୁବନେଶ୍ବରରେ ସ୍କୁଲ୍‌ କିମ୍ବା କଲେଜରେ ପାଠ ପଢ଼ୁଥିବା ସଂଖ୍ୟାଲଘୁ ଛାତ୍ରୀଙ୍କ ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଯୋଜନା ଅଧୀନରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କେବଳ ଅଧିକ ସଂଖ୍ୟାଲଘୁ ଅଞ୍ଚଳ ତଥା ଯେଉଁଠାରେ ସଂଖ୍ୟାଲଘୁ ଜନସଂଖ୍ୟା ୨୫ ପ୍ରତିଶତରୁ ଅଧିକ ଏବଂ ଯେଉଁ ଅଞ୍ଚଳରେ ଆର୍ଥିକ ପଛୁଆ ‌େଶ୍ରଣୀର ଲୋକମାନେ ବାସ କରୁଛନ୍ତି ସେମାନଙ୍କ ପାଇଁ ପ୍ରକଳ୍ପମାନ ମଞ୍ଜୁରି କରିଛନ୍ତି। ଏହି ମର୍ମରେ ଭୁବନେଶ୍ବର କିମ୍ବା ଅନ୍ୟ ପ୍ରମୁଖ ସହରରେ ଏହିସବୁ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଲୋକଙ୍କ ସୁବିଧା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ନିମନ୍ତେ ହଷ୍ଟେଲ୍‌, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ପରି ପ୍ରକଳ୍ପ କରିବା ପାଇଁ ଅନୁମତି ଦିଆଯାଉ। ଏହି ସୁବିଧା ଯୋଗାଇ ଦିଆଗଲେ ରାଜ୍ୟର ପ୍ରମୁଖ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ ହେବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର