୨୭ରେ ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ! ରାଷ୍ଟ୍ରପତି ଶିଳାନ୍ୟାସ କରିବାକୁ ପ୍ରସ୍ତାବ, ସ୍ମାରକୀ ସ୍ଥାନ ପରିଦର୍ଶନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର/ଖୋର୍ଦ୍ଧା : ଆସନ୍ତା ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବରୁଣେଇ ନିକଟରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଯଦି ଅନୁମତି ମିଳେ, ତେବେ ୨୭ ତାରିଖରେ ହିଁ ରାଷ୍ଟ୍ରପତି ଏହାର ଶିଳାନ୍ୟାସ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରୁଣେଇ ନିକଟରେ ଏକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ। ଏଥି ପାଇଁ ରାଜ୍ୟ ସରକାରଙ୍କୁ ବରୁଣେଇ ନିକଟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ୫୦ ଏକର ଜାଗା ମାଗିଥିଲେ। ଜମି ଦେବା ନେଇ ବିଳମ୍ବ ହୋଇଥିବାରୁ ଅତୀତରେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ବି ହୋଇଥିଲା। ତେବେ ଗତ ମାସରେ ରାଜ୍ୟ ସରକାର ସେଠାରେ ଉପଲବ୍ଧ ଥିବା ୧୦ ଏକର ଜମି ଦେଇଥିଲେ। ଏବେ ସେହି ୧୦ ଏକର ଜମି ଉପରେ ସ୍ମାରକୀ ନିର୍ମାଣ ହେବ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଓ ଇଣ୍ଡିଆନ୍ ଅଏଲ୍‌ ୯୦ କୋଟି ଟଙ୍କା ଦେବାକୁ ପୂର୍ବରୁ ଘୋଷଣା କରିସାରିଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ମାରକୀ ସ୍ଥାନ ପରିଦର୍ଶନ କରିଥିଲେ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥଲେ। କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଓଡ଼ିଆ ଜାତିର ପ୍ରେରଣାର କେନ୍ଦ୍ର ତଥା ପାଇକ ବିଦ୍ରୋହର ସ୍ଥାନ ବରୁଣେଇ ପାହାଡ଼ ପାଦ ଦେଶରେ ଭବିଷ୍ୟତ ପିଢ଼ି ପାଇଁ ନୂଆ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ବନାଯିବ। ଯେଉଁ ସ୍ମୃତିସ୍ଥଳୀର କଳ୍ପନା ରହିଛି, ତାହା ଓଡ଼ିଆ ଜନଜୀବନ ଓ ଓଡ଼ିଆ ବୀରଗାଥାର ଏକ ଅନନ୍ୟ ତୀର୍ଥ କ୍ଷେତ୍ର ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଦେଶବାସୀଙ୍କୁ ପ୍ରେରଣା ଦେବ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ସମ୍ବନ୍ଧିତ ଏକ ବୈଠକ ହୋଇଥିଲା। ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପାଇକ ବିଦ୍ରୋହକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ପର୍ଯ୍ୟଟନ ବିଭାଗ ବରୁଣେଇ ଓ ଗଡ଼ ଖୋର୍ଦ୍ଧାର ବିଭିନ୍ନ ଭିତ୍ତିଭୂମି ପାଇଁ ବିଗତ ବର୍ଷରେ ୧୫ କୋଟି ଟଙ୍କା ଏବଂ ସଂସ୍କୃତି ବିଭାଗ ଦେଢ଼ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ମନ୍ତ୍ରୀ ଜଣାଇଥିଲେ। ଏହା ବାଦ୍ ସ୍ମାରକୀ ଡାକ ଟିକେଟ୍‌, ସଂଗ୍ରହାଳୟରେ ପାଇକ ଗ୍ୟାଲେରି, ପୁସ୍ତକ ପ୍ରକାଶନ, ଫଟୋ ପ୍ରଦର୍ଶନୀ, ଶିଳ୍ପୀ ଶିବିର, ନାଟକ ପରିବେଷଣ, ଜାତୀୟ ଓ ଆନ୍ତର୍ଜାତିକ ଆଲୋଚନାଚକ୍ର ଆୟୋଜନ କରାଯାଇଥିବା ନେଇ ଶ୍ରୀ ପାଣିଗ୍ରାହୀ କହିଥିଲେ।

ବୈଠକରେ ରାଜ୍ୟ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର, ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧାର ବିଭିନ୍ନ ସାମାଜିକ ସଂଗଠନ ଓ ପାଇକ ସଂଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌ର ନରେନ୍ଦ୍ର ପୃଷ୍ଟି, ଭୀମସେନ ପ୍ରଧାନ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ୧୦ ଏକର ଜାଗା ପାଇକ ସ୍ମାରକୀ ପାଇଁ ଯଥେଷ୍ଟ ନ ଥିବା ଓ ଏଥିପାଇଁ ଅଧିକ ଜାଗା ଆବଶ୍ୟକ ବୋଲି ମତ ଦେବା ସହ ବରୁଣେଇ ପାହାଡ଼ ଉପରେ ପାଇକ ସ୍ମାରକୀ ସ୍ତମ୍ଭ ସ୍ଥାପନ, ମ୍ୟୁଜିଅମ୍, ପାଇକ ଭବନ ଆଦି ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର