ଢେଙ୍କାନାଳ ଶିଶୁ ନିର୍ଯାତନା ପ୍ରସଙ୍ଗ : ସରକାରଙ୍କୁ ଦୋଷ ଦେଲେ ଏନ୍‌ସିପିଆର ସଦସ୍ୟ

‘ନିର୍ଦ୍ଦେଶନାମା ମାନି ନାହାନ୍ତି ସରକାରୀ ଅଧିକାରୀ’

ଭୁବନେଶ୍ୱର : ଢେଙ୍କାନାଳ ଗୁଡ୍‌ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ଏନ୍‌ସିପିସିଆର(ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ) ସଦସ୍ୟ ଯଶବନ୍ତ ଜୈନ। ସମ୍ପୃକ୍ତ ସଂସ୍ଥାର ବିଭିନ୍ନ ଶାଖାରେ ଚଢ଼ଉ କରି ତଦନ୍ତ କରିବା ପରେ ଆଜି ସେ ସାମ୍ବାଦିକଙ୍କୁ ସୂଚନା ଦେଇ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ପୂର୍ବରୁ ଏନ୍‌ସିପିସିଆର ଜାରି କରିଥିବା ନିର୍ଦ୍ଦେଶନାମାର ଏକ ପ୍ରତିଶତ କାମରେ ଲାଗିନାହିଁ। କମିସନଙ୍କ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପାଳନ କରିନାହାନ୍ତି। ଏଣୁ ଏଭଳି ଘଟଣା ଘଟୁଛି ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ଧରି ଏନ୍‌ସିପିସିଆର୍‌ର ୯ଟି ଦଳ ୧୯ ଜିଲ୍ଲାରେ ଥିବା ୫୬ ସେଲ୍‌ଟର୍‌ ହୋମ୍ ବୁଲି ଦେଖିବେ। ସେ ନିଜେ କଟକ ଓ ପୁରୀରେ ଦୁଇଟି ଜିଲ୍ଲା ବୁଲିବେ। ଆବଶ୍ୟକ ପଡ଼ିଲେ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍‌ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଶିଶୁଯତ୍ନ ଅନୁଷ୍ଠାନ ଯେଉଁଗୁଡ଼ିକ ଜେଜେବି ଆକ୍ଟ ଅଧୀନରେ ଆସୁଛି ସେଥିରେ ରହୁଥିବା ଶିଶୁଙ୍କ ଅବସ୍ଥାଠାରୁ ଘରୋଇ ହଷ୍ଟେଲରେ ରହୁଥିବା ଶିଶୁଙ୍କ ଅବସ୍ଥା ତା’ଠାରୁ ଅଧିକ ବିପଦପୂର୍ଣ୍ଣ ରହିଛି। ଘରୋଇ ଛାତ୍ରାବାସଗୁଡ଼ିକ ଜେଜେବି ଆକ୍ଟ ଅଧୀନ‌ରେ ଆସୁ ନଥିବାରୁ ଏନ୍‌ସିପିସିଆର ପକ୍ଷରୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପଠା ଯାଇଛି। କେଉଁଠି କେତେକ ଘରୋଇ ହଷ୍ଟେଲ ରହିଛି, କେତେକ ପିଲା ରହୁଛନ୍ତି, ତାଙ୍କର କଣ ସମସ୍ୟା ରହିଛି, ଅଧିକାର ସାବ୍ୟସ୍ତ ହେଉଛି କି ନାହିଁ ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଏଭଳି ଅନୁଷ୍ଠାନ ନିୟନ୍ତ୍ରଣ କରିବା ପାଇଁ ଜେଜେବି ଆକ୍ଟରେ ବ୍ୟବସ୍ଥା ନଥିବାରୁ ଏନ୍‌ସିପିସିଆର୍‌ ପକ୍ଷରୁ ବର୍ଷେ ତଳେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ସରକାରଙ୍କୁ ଦିଆଯାଇଛି। ହେଲେ ସରକାର ଏହାକୁ ପାଳନ କରୁନାହାନ୍ତି କିମ୍ବା ନିଜସ୍ବ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରି ଏମାନଙ୍କୁ ନିୟନ୍ତ୍ରଣ କରୁନାହାନ୍ତି। ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇ ରହିଥିବା‌ ଛାତ୍ରାବାସଗୁଡ଼ିକ ଉପରେ ସରକାର କଡ଼ା ନଜର ନ ରଖିଲେ ବିପଦ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଆଜି ଠାରୁ ୯ଟି ଦଳ ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ ଆରମ୍ଭ କରି ସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କ ସହିତ ରାଜ୍ୟ ଶିଶୁ ଅଧିକାର ଅନ୍ୟପଟେ ଗୋଟିଏ ବର୍ଷ ତଳେ ସେ ଏଭଳି ସମୀକ୍ଷା କରିବା ପାଇଁ ଆସିଥିଲେ। ଏବେ ଗୋଟିଏ ବର୍ଷ ପରେ, ଢେଙ୍କାନାଳରେ ଏକ ଅଭାବନୀୟ କାଣ୍ଡ ଘଟିବା ପରେ ଆସିଛନ୍ତି। ନିର୍ଦ୍ଦେଶନାମା ଜାରି କରିବା ପରେ ସରକାର ପାଳନ କଲେ କି ନାହିଁ, ବା କାହିଁକି ପାଳନ କରୁନାହାନ୍ତି ସେ ନେଇ ତର୍ଜମା ହୋଇଛି କି ନାହିଁ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି। କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଉପରେ ଆମର ବିଶ୍ବାସ ଥିଲା, ସେ ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା ସହ ଶିଶୁ ଅଧିକାର ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥାନ୍ତେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ବେଲଟିକିରି ସ୍ଥିତ ସେଲ୍‌ଟର୍‌ ହୋମ୍‌ ‘ଡ୍ରିମ୍ ସେଣ୍ଟର’ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଘଟଣାର ମୁଖ୍ୟ ଥିଲେ ଖୋଦ୍‌ ସଂସ୍ଥାର ମୁଖ୍ୟ ଫୟାଜ୍‌ ରେହମାନ। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରାଯାଉଥିଲା। ଏପରିକି ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ରହିଥିଲା। ଗଣମାଧ୍ୟମ ଜରିଆରେ ଏହି ଘଟଣା ପଦାକୁ ଆସିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ସଂସ୍ଥାର ବିଭିନ୍ନ ଜାଗାରେ ଥିବା କେତେକ ସେଲ୍ଟର ହୋମ୍‌ ବିନା ସ୍ବୀକୃତିରେ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଥିଲା। କେତେକ ସରକାରଙ୍କ ଠାରୁ ସ୍ବୀକୃତି ପାଇଥିବାରୁ ବନ୍ଦ କରିବା ସମ୍ଭବ ହୋଇ ନଥିଲା। ସେହି ସବୁ ଅନୁଷ୍ଠାନ ଉପରେ ଏବେ ଚଢ଼ଉ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର