ଢେଙ୍କାନାଳ ସେଲ୍‌ଟର୍ ହୋମ୍ ବ୍ୟଭିଚାର ମାମଲା : କେନ୍ଦ୍ର ସରକାରଙ୍କ ତନାଘନା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେନକା, ରାଜନାଥଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, କେନ୍ଦ୍ର ସଚିବ ତଦନ୍ତ କରି ରିପୋର୍ଟ ଦେବେ

ଭୁବନେଶ୍ବର : ସେଲ୍‌ଟର୍ ହୋମ୍‌ଗୁଡ଼ିକରେ ପିଲାମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁଥିପାଇଁ ବେଲଟିକରିରେ ଗୁଡ୍‌ ନ୍ୟୁଜ୍ ଇଣ୍ଡିଆ ସଂସ୍ଥାର ସେଲ୍‌ଟର୍ ହୋମ୍‌ରେ ଧର୍ମାନ୍ତରୀକରଣ ଓ ଯୌନ ଶୋଷଣ ପରି ଘୃଣ୍ୟ ଘଟଣା ଘଟିଲା। ଆହୁରି ଚିନ୍ତାଜନକ ବିଷୟ ହେଲା ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପି କାର୍ଯ୍ୟାଳୟର ମାତ୍ର ୧୦ କିମି ଦୂରରେ ଏମିତି ସମ୍ବେଦନଶୀଳ ଘଟଣା ଘଟିଛି। ପୁଣି ସେଲ୍‌ଟର୍ ହୋମ୍ ଦୁଇ ବର୍ଷ ଧରି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ-୨୦୧୫ ଅନୁସାରେ ପଞ୍ଜୀକରଣ ନ ହୋଇ ଚାଲୁଛି।

ଏମିତି ଭାବେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଓଗାଳିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ। ଏହା ସହ ଗୁଡ୍‌ ନ୍ୟୁଜ୍ ଇଣ୍ଡିଆ ସଂସ୍ଥାର କାରନାମା ଉପରେ କେନ୍ଦ୍ର ସରକାର ତନାଘନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଏକ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌ଙ୍କୁ ଓଡ଼ିଶାର ସବୁ ସେଲ୍‌ଟର୍ ହୋମ୍‌କୁ ତୁରନ୍ତ ଯାଞ୍ଚ୍ କରିବାକୁ କୁହାଯାଇଛି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ଘଟଣାରେ ହସ୍ତ‌େକ୍ଷପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀମତୀ ଗାନ୍ଧୀ ଦର୍ଶାଇଛନ୍ତି, ସେଲ୍‌ଟର୍ ହୋମ୍‌ରେ ଝିଅମାନଙ୍କ ଯୌନ ଶୋଷଣ ଓ ଧର୍ମାନ୍ତରୀକରଣ ପାଇଁ ଏକ କେନ୍ଦ୍ର ଭାବେ ଏହାକୁ ବ୍ୟବହାର କରୁଥିବାର ଅଭିଯୋଗ ଆସିଛି। ସେଲ୍‌ଟର୍ ହୋମ୍‌ରେ ରହୁଥିବା ପିଲାମାନେ ଗଣମାଧ୍ୟମ ଆଗରେ ସଂସ୍ଥାର ମୁଖ୍ୟ ଫୟାଜ ‌ରହମାନ୍ ଓ ପରିଚାଳକ ସୀମାଞ୍ଚଳ ନାୟକ ଯୌନ ଶୋଷଣ କରୁଥିବା ସମ୍ପର୍କରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିବା ଅତ୍ୟନ୍ତ ଚିନ୍ତାର ବିଷୟ। ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ସୁରକ୍ଷା ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି ଯେ ସେଲ୍‌ଟର୍ ହୋମ୍‌ ଲାଇସେନ୍‌ସ୍ ଗତ ମାସରେ ସରିଯାଇଛି। ଏହା ଇଣ୍ଟିଗ୍ରେଟେଡ୍‌ ଚାଇଲ୍‌ଡ୍‌ ପ୍ରୋଟେକ୍ସନ୍ ସ୍କିମ୍‌(ଆଇସିପିଏସ୍‌)ର ଖୋଲା ଉଲ୍ଲଂଘନ। ଅଭିଯୁକ୍ତ ସଂସ୍ଥା ରାଜ୍ୟରେ ଆଉ ୨୫ଟି ସେଲ୍‌ଟର୍ ହୋମ୍ ଚଳାଉଥିବା ଖବର ଜାଣି ମୁଁ ଆତଙ୍କିତ। ଏପରି ଘଟଣାରେ ସଂପୃକ୍ତ କର୍ତ୍ତୃପକ୍ଷ ନୈତିକ ଦାୟିତ୍ବ ନେବାର ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ‌ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପଠାଇଥିବା ଏକ ପିଟିସନ୍ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ଉକ୍ତ ସଂସ୍ଥା ଓଡ଼ିଶାରେ ବେଆଇନ୍ ଭାବେ ଜୋର୍‌ଜବରଦସ୍ତି ଧର୍ମାନ୍ତୀକରଣ କାମ ସହ ବାଳିକାମାନଙ୍କ ସହ ଦୁଷ୍କର୍ମ ଓ ବହୁଳ ପରିମାଣର ଝିଅ ଚାଲାଣ ପରି କାମ କରୁଛନ୍ତି। ଏହି ସଂସ୍ଥାକୁ ବହୁଳ ପରିମାଣରେ ବିଦେଶୀ ଅର୍ଥ ଆସୁଛି। ଏହା ପରିଚାଳନା କରୁଥିବା ସେଲ୍‌ଟର୍ ହୋମ୍‌ଗୁଡ଼ିକ ମଧ୍ୟରୁ ୧୫ଟି ବେଆଇନ୍‌। ରାଜ୍ୟ ସରକାର ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ବେଲଟିକିରଠାରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆର ଥିବା ସେଲ୍‌ଟର୍ ହୋମ୍ ଶୋଷଣ ଓ ଅପକର୍ମ ଭିତରେ ବୁଡ଼ି ରହିଛି। ତେଣୁ ଏହି ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର