ଭିମ୍‌ସାରରେ ଡାୟାଲିସିସ୍‌ ବନ୍ଦ, ପୁଣି ଅଚଳ ହେଲା ଆର୍‌ଓ ପ୍ଲାଣ୍ଟ

ସମ୍ବଲପୁର : ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨ ମେଡିକାଲରେ ଡାୟାଲିସିସ୍‌ ଅଭାବରୁ ୨ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କିନ୍ତୁ ଦିନକୁ ବୁର୍ଲା ମେଡିକାଲରେ ୧୨ରୁ ୧୫ଟି କିଡନି ରୋଗୀଙ୍କ ଡାୟାଲିସିସ୍‌ ହେଉଥିବା ୪ଟି ଯାକ ମେସିନ୍‌ ୨ ଦିନ ହେଲା ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିରହିଛି। ଫଳରେ, ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିମ୍‌ସାର‌ରେ ନିତିଦିନ ପ୍ରାୟ ୨୦ ଜଣ କିଡନି ରୋଗୀ ଭର୍ତ୍ତି ହେଉଥିବା ବେଳେ ଗୁରୁତର ରୋଗୀଙ୍କର ଡାୟାଲିସିସ୍‌ ମଧ୍ୟ କରାଯାଇଥାଏ। ପୂର୍ବରୁ ଥିବା ୫ଟି ଡାୟାଲିସିସ୍‌ ମେସିନ୍‌ ଅଚଳ ହେବା ପରେ ୨ ବର୍ଷ ତଳେ ୪ଟି ନୂଆ ମେସିନ୍‌ ଆସିଥିଲା। ଏହାବାଦ୍‌ ମେଡିକାଲରେ ଥିବା ଆର୍‌ଓ ପ୍ଲାଣ୍ଟ ମଧ୍ୟ ନିୟମିତ ଭାବେ ଅଚଳ ହେଉଥିବା ଜଣାପଡ଼ିଛି। ପାଣି ଭଲ ନଥିବାରୁ ଫିଲଟରରେ ‌ଲୌହ ଓ ଲବଣ ଅଂଶ ମିଶି ଜମା ହୋଇ ରହୁଛି। ଫଳରେ ଡାୟାଲିସିସ୍‌ ମେସିନ୍‌ ପାଇଁ ଆବଶ୍ୟକ ଡାୟାଲିଷ୍ଟେଟ ତିଆରି ହୋଇପାରୁନି ଓ ମେସିନ୍‌ କାମ କରିବା ବନ୍ଦ କରିଦେଇଛି। ଗତବର୍ଷ ୩୫ ହଜାର ଟଙ୍କା ଖର୍ଚ୍ଚରେ ମେଡିକାଲ କର୍ତ୍ତୃପକ୍ଷ ଏହି ଆର୍‌ଓ ପ୍ଲାଣ୍ଟର ମରାମତି କରିଥିଲେ। କିନ୍ତୁ ବ‌ର୍ଷେ ନଯାଉଣୁ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ପାଲଟିଯାଇଛି।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ତଥା ୨ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀ ମଧ୍ୟ ନିର୍ଭର କରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏଭଳି ଗୁରୁତ୍ବପୂର୍ଣ୍ଣ ମେସିନ୍‌ ୨ ଦିନ ହେବ ଠପ୍‌ ହୋଇପଡ଼ିଛି। ଏଭଳି ସ୍ଥିତିରେ ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତର କିଡନି ରୋଗୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ତେବେ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇବାକୁ ଯାଇ ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏନେଇ ମେଡିକାଲ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଆର୍‌ଓ ପ୍ଲାଣ୍ଟର ଫିଲଟର ଖରାପ ହୋଇଯାଇଥିବାରୁ ମେସିନ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଇଞ୍ଜିନିୟରଙ୍କୁ କୁହାଯାଇଛି, ଦୁଇ ଦିନ ମଧ୍ୟରେ ସେ ଆସି ମରାମତି କାର୍ଯ୍ୟ ଶେଷ କରିବେ ବୋଲି ଡା.ଦୋରା କହିଥିଲେ।

ସମ୍ବନ୍ଧିତ ଖବର