ସାହିତ୍ୟିକ ଦିବାକର ବିଶ୍ୱାଳଙ୍କ ପରଲୋକ

ପଟ୍ଟାମୁଣ୍ଡାଇ : ବିଶିଷ୍ଟ ସାହିତ୍ୟିକ, ବରିଷ୍ଠ ଶିକ୍ଷକ, ସାମ୍ବାଦିକ ଓ ସ୍ତମ୍ଭକାର ଦିବାକର ବିଶ୍ୱାଳ ଆଉ ନାହାନ୍ତି। ୯୧ ବର୍ଷ ବୟସରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ କଷଣଅଣ୍ଟା ଗ୍ରାମରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ସ୍ବର୍ଗତଃ ବିଶ୍ବାଳ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ଥିଲେ। ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ସମିତି, ପଟ୍ଟାମୁଣ୍ଡାଇ ସ୍ବାଧୀନତା ଦିବସ ପାଳନ କମିଟି, କସ୍ତୁରୀ କଳା ନିକେତନ, ପୁସ୍ତକ ମେଳା କମିଟି, ଚେତନା ସାହିତ୍ୟ ସଂସଦର ସମେତ ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ। ଜଣେ ଶିକ୍ଷକ ଭାବେ ବିଶେଷ ସୁନାମ ଅର୍ଜନ କରିବା ସହ ସାହିତ୍ୟିକ ଭାବେ ତାଙ୍କ ସୃଷ୍ଟି ପାଠକୀୟ ‌ଆଦୃତି ଲାଭ କରିଥିଲା। ‘ଯେ ପକ୍ଷୀ ଉଡେ ଯେତେ ଦୂର’ , ‘ଆମେ କାପୁରୁଷ’ ଓ ‘ମୁକ୍ତି ସଂଗ୍ରାମ’ ଭଳି ପୁସ୍ତକ ରଚନା କରିଥିଲେ। ସାରସ୍ବତ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ, ସେ ‘ରାଜଶ୍ରୀ ସମ୍ମାନ’ ସହ ଅନ୍ୟ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ। ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ପଟ୍ଟାମୁଣ୍ଡାଇ ପ୍ରତିନିଧି ଭାବେ ସେ ଦୀର୍ଘବର୍ଷ ଧରି କାର୍ଯ୍ୟଭାର ତୁଲାଇଥିଲେ। ସେ ‘ସମ୍ବାଦ-ସାହିତ୍ୟଘର’ ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

ତାଙ୍କ ପରଲୋକରେ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଓ ‘ସମ୍ବାଦ’ ସଂପାଦକ (ଫିଚର୍‌) ଡ. ଗୌରହରି ଦାସ, ବିଧାୟକ ଧ୍ରୁବ ସାହୁ, ଶିକ୍ଷାବିତ୍‌ ଭୁବନ ମୋହନ ତ୍ରିପାଠୀ, ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରାଯିବା ପରେ କଷଣଅଣ୍ଟା ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ପୁଅ ଶରତ କୁମାର ବିଶ୍ବାଳ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର