କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ଗାଁ ଦାଣ୍ତରେ ଦିବ୍ୟାଙ୍ଗ ଯୁବକଙ୍କୁ ପିଟିପିଟି ହତ୍ୟା

କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭିନ୍ନକ୍ଷମ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ପଡେ଼ାଶୀ। ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ତ କେନ୍ଦ୍ରାପଡ଼ା ସଦର ଥାନା ଖସାଡ଼ି ଗାଁରେ ଘଟିଛି। ହତ୍ୟାର ଶିକାର ହୋଇଥିବା ଭିନ୍ନକ୍ଷମ ଯୁବକଜଣକ ହେଉଛନ୍ତି ଏକାଦଶୀ ସ୍ବାଇଁ(୫୦)। ପୁଅକୁ ହତ୍ୟା କରାଯାଇଥିବା ନେଇ ବୃଦ୍ଧ ପିତା ନନ୍ଦକିଶୋର ସ୍ବାଇଁ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତିନିଜଣଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ହତ୍ୟାକାଣ୍ତ ପରେ ମୁଖ୍ୟ ଅଭିଯୁକ୍ତ ନିଧିରାମ ସ୍ବାଇଁ ଥାନାରେ ଆତ୍ମସମର୍ପଣ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତ ପତ୍ନୀ ବଲ୍ଲଭୀ ଏବ˚ ପୁଅ ସନ୍ତୋଷ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ବେଳେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ତ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁଯାୟୀ, ମୃତ ଏକାଦଶୀ ଜଣେ ଦିବ୍ୟାଙ୍ଗ। ଜମିବାଡ଼ିକୁ ନେଇ ଅଭିଯୁକ୍ତ ନିଧି ସ୍ବାଇଁ ଓ ମୃତ ଏକାଦଶୀଙ୍କ ପରିବାର ମଧୢରେ ମଧୢରେ ଦୀର୍ଘ ସମୟରୁ ବିବାଦ ଲାଗି ରହିଥିଲା। ମୃତ ଏକାଦଶୀଙ୍କ ଘରକୁ ଲାଗିକରି ଏକ ଜମିକୁ ନିଧିଙ୍କ ଭଉଣୀ ବିକି ଦେଇଥିଲେ। ନିଧିଙ୍କ ଭଉଣୀ ଏହି ଜମିକୁ ଏକାଦଶୀଙ୍କୁ ବିକିଥିବାରୁ ନିଧି ପ୍ରତିବାଦ କରିଆସୁଥିଲେ ଏବ˚ ସେହି ଜମି ଉପରେ ଚଳପ୍ରଚଳକୁ ବିରୋଧ କରୁଥିଲେ। ଦୁଇ ତିନିଦିନ ତଳେ ସେହି ଜମିରେ ଏକାଦଶୀ ବାଉଁଶ ପକାଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରି ନିଧି ରାଗରେ ରକ୍ତ ଚାଉଳ ଚୋବାଉଥିଲେ। ଏଭଳି ସ୍ଥିତିରେ ଆଜି ସକାଳ ପ୍ରାୟ ୮ଟା ବେଳେ ପୁଅର ବିସ୍କୁଟ୍‌ ପାଇଁ ଏକାଦଶୀ ଦୋକାନକୁ ଯାଇଥିଲେ। ଏହିସମୟରେ ପଡେ଼ାଶୀ ନିଧିରାମ ସ୍ବାଇଁ ଓ ତାଙ୍କ ପୁଅ ସନ୍ତୋଷ ସ୍ବାଇଁ ଓରଫ୍‌ ବାବୁ ତାଙ୍କୁ ଗାଳିଗୁଲଜ କରିବା ସହିତ ଅତର୍କିତ ଭାବେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତ ବାବୁ ଅଚାନକ ପଛପଟୁ ଏକ ଠେଙ୍ଗାରେ ଏକାଦଶୀଙ୍କ ମୁଣ୍ତକୁ ଶକ୍ତ ପାହାର ଦେବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ନିଧିରାମ ଏବ˚ ପତ୍ନୀ ବଲ୍ଲଭୀ ଠେଙ୍ଗାରେ ପିଟି ଚାଲିବାରୁ ପୁଅର ମୃତ୍ୟୁ ଘଟିଥିଲା ବୋଲି ଏକାଦଶୀଙ୍କ ପିତା ନନ୍ଦିକିଶୋର ଥାନାରେ ଅଭିଯୋଗ କରିଛନ୍ତି। ଠେଙ୍ଗାମାଡ଼ରେ ଏକାଦଶୀଙ୍କ ମୁଣ୍ତ ଫାଟିଯିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଏକାଦଶୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଥାନାଧିକାରୀ ପବିତ୍ର ମହାରଣା କହିଛନ୍ତି ଯେ ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ନିଧିରାମ, ପତ୍ନୀ ବଲ୍ଲଭୀ ଏବ˚ ପୁଅ ସନ୍ତୋଷଙ୍କ ନାଁରେ ହତ୍ୟା ମାମଲା(କେସ୍‌ ନ˚ ୩୭୬/୨୧, ଦଫା ୩୪୧, ୫୦୬, ୩୦୨, ୩୪ଆଇପିସି) ରୁଜୁ କରାଯାଇଛି। ଅଭିଯୁକ୍ତ ନିଧିରାମଙ୍କୁ ଗିରଫ କରାଯାଇଛି ଓ ସେ ହତ୍ୟାକାଣ୍ତ ଘଟାଇଥିବା ସ୍ବୀକାର କରିଛନ୍ତି। ତାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର‌୍‌ ଅଛନ୍ତି।

ସମ୍ବନ୍ଧିତ ଖବର