ବଜେଡିକୁ ଫେରିବେ ଦିଲୀପ! : ମେ’ ଫେୟାରରେ ଦିନତମାମ ମନ୍ତ୍ରଣା, ରାଉରକେଲା ନେତାଙ୍କ ଭୁବନେଶ୍ବରରେ ଡେରା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଜେଡି ନେତାଙ୍କ ନଜର ଏବେ ଭୁବନେଶ୍ବର ହୋଟେଲ ମେ’ ଫେୟାର୍‌ ଉପରେ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ବିଜୁ ଜନତା ଦଳରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେବା ପରେ ସେଠାରେ ରାଉରକେଲା ସମେତ ଜିଲ୍ଲାର ଅନେକ ବିଜେଡି ନେତାଙ୍କ ଭିଡ଼ ଜମିଛି। ଆଜି ବହୁ ବରିଷ୍ଠ ନେତା ଓ ଜିଲ୍ଲାର ବିଜେଡି କର୍ମକର୍ତ୍ତା ଦିଲୀପଙ୍କୁ ସାକ୍ଷାତ କରିଛନ୍ତି। ତେବେ ଦିଲୀପ କେଉଁ ଦିନ ବିଜେଡିରେ ମିଶିବେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦିଲୀପଙ୍କ ସମର୍ଥକମାନେ ଆଜି ରାଉରକେଲାରୁ ଭୁବନେଶ୍ବର ଯାଉଥିବାରୁ ଆସନ୍ତାକାଲି ସେ ବିଜେଡ଼ିରେ ମିଶିବାର ସମ୍ଭାବନା ଥିବା କୁହାଯାଉଛି।

ଆଜି ପୂର୍ବାହ୍ନ ୮ଟାରୁ ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟଙ୍କ ଭୁବନେଶ୍ବରସ୍ଥିତ ମେ’ ଫେୟାର୍‌ ହୋଟେଲ ଚଳଚଞ୍ଚଳ ହୋଇଉଠିଥିଲା। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି ତାଙ୍କ ସମର୍ଥକମାନଙ୍କ ସହିତ ଦିଲୀପଙ୍କୁ ଭେଟି ଜିଲ୍ଲାର ସାମ୍ପ୍ରତିକ ବିଜେଡି ରାଜନୀତି ସମ୍ପର୍କରେ ଅବଗତ କରିଥିଲେ। ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ଯୁବନେତା ବେନେଡିକ୍ଟ ତିର୍କୀ ମଧ୍ୟ ଦିଲୀପଙ୍କୁ ସାକ୍ଷାତ କରି ଦଳକୁ ଆସିଲେ ବିଜେଡି ଆହୁରି ମଜବୁତ ହେବ ବୋଲି କହିଥିଲେ। ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ସଂଜୀବ ପ୍ରତାପ ସିଂଦେଓ (ଲାଲୁ) ମଧ୍ୟ ଦିଲୀପଙ୍କୁ ଭେଟିଥିଲେ। ସେହିପରି ଯୁବନେତା ପ୍ରକାଶ ପାଶୱାନ ମଧ୍ୟ ତାଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍‌ଣରେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମଧ୍ୟ ଯାଇ ଦିଲୀପଙ୍କୁ ଭେଟିଥିଲେ। ଏହାପୂର୍ବରୁ ନାରୀନେତ୍ରୀ ମିନତୀ ଦେବତା ଦିଲୀପଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିରେ ତାଙ୍କର ଯୋଗଦାନ ଦଳକୁ ଶୃଙ୍ଖଳିତ ଏବଂ ମଜବୁତ କରି ନିର୍ବାଚନରେ ଦଳର ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବ ବୋଲି କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳର ଟିକେଟ୍‌ ଆଶାୟୀମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦିଲୀପ ରାୟଙ୍କୁ ଭେଟି ନିଜ ସପକ୍ଷରେ ଲବି କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଦିଲୀପଙ୍କ ପାଖରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସାରଦା ନାୟକଙ୍କର ଏକାଧିକ ବିରୋଧୀଙ୍କୁ ଦେଖିବାକୁ ମିଳିଥିଲା। ଦିଲୀପ ପୁଣି ବିଜେଡିକୁ ଆସୁଥିବା ପ୍ରଚାର ହେବାପରେ ରାଉରକେଲାରେ ଆଜି ସାରଦାଙ୍କ ବିରୋଧୀ ଶିବିର ଖୁସି ବ୍ୟକ୍ତ କରିଛନ୍ତି। ଏକଦା ସାରଦାଙ୍କ ଅତି ଘନିଷ୍ଠ ଥାଇ ପରେ ବିରୋଧୀ ହୋଇଥିବା ବିଜେଡ଼ିର ଆବାହକ ବିକାଶ ମାନସିଂହ ଆସନ୍ତାକାଲି ଏକ ବନ୍ଧୁମିଳନ ଆଳରେ ସାରଦାଙ୍କ ବିରୋଧୀଙ୍କୁ ଏକଜୁଟ୍‌ କରିବା ପାଇଁ ଉଦ୍ୟମ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର