ସିଙ୍ଗାପୁରକୁ ସିଧା ବିମାନ ସେବା ଆରମ୍ଭ

ଦକ୍ଷିଣ-ପୂର୍ବ ଏସିଆ ସହ ଓଡ଼ିଶାର ସମ୍ପର୍କ ଆହୁରି ଦୃଢ଼ ହେବ: ମୁଖ୍ୟମନ୍ତ୍ରୀ

ସିଙ୍ଗାପୁରରୁ ଅରବିନ୍ଦ ଦାସ : ମୋ ସରକାର ଓଡ଼ିଶା ସହ ପ୍ରବାସୀ ଓଡ଼ିଆଙ୍କୁ ଯୋଡ଼ିଆସିଛି। ଏହି କ୍ରମରେ ପୂର୍ବରୁ ବ୍ୟାଙ୍କକ୍ ଓ ପରେପରେ ଦୁବାଇ ସହ ଭୁବନେଶ୍ବରକୁ ସିଧା ବିମାନସେବା ଆରମ୍ଭ ହୋଇଥିଲା। ଏବେ ସିଙ୍ଗାପୁରକୁ ସିଧା ବିମାନ ଚାଲିବା ଦ୍ବାରା କେବଳ ସିଙ୍ଗାପୁରର ପ୍ରବାସୀ ଓଡ଼ିଆ ଲାଭବାନ ହେବେନାହିଁ, ଦକ୍ଷିଣ-ପୂର୍ବ ଏସିଆ ସହ ଓଡ଼ିଶାର ସାମାଜିକ-ଅର୍ଥନୈତିକ-ସାଂସ୍କୃତିକ ସମ୍ପର୍କ ମଧ୍ୟ ଆହୁରି ମଜଭୁତ ହେବ। ଏହି ଅବସରରେ ରବିବାର ସନ୍ଧ୍ୟାରେ ସିଙ୍ଗାପୁରର ଷ୍ଟାମଫୋର୍ଡ ଫେୟାରମଣ୍ଟ ବଲ୍ ରୁମ୍‌ଠାରେ ଆୟୋଜିତ ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଆଭାସୀ ବକ୍ତବ୍ୟ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ମର୍ମରେ ସିଙ୍ଗାପୁରର ପ୍ରବାସୀ ଓଡ଼ିଆଙ୍କୁ ବାର୍ତ୍ତା ଦେଇଛନ୍ତି।

ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପି.କୁମାରନ ଏହି ସଭାରେ ଯୋଗଦେଇ କହିଥିଲେ, ସିଙ୍ଗାପୁର ଭାରତର ଅଷ୍ଟମ ବାଣିଜ୍ୟ ପାର୍ଟନର୍‌। ଦୁଇଦେଶ ମଧ୍ୟରେ ହେଉଥିବା ବାଣିଜ୍ୟିକ କାରବାର ବିଶ୍ବ ବାଣିଜ୍ୟର ୩.୮% ଅଟେ। ସିଙ୍ଗାପୁରରେ ଭାରତର ପ୍ରାୟ ୮୦୦ ଓ ଭାରତରେ ସିଙ୍ଗାପୁରର ପ୍ରାୟ ୪୫୦ ଉଦ୍ୟୋଗୀ ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ପରିଚାଳନା କରୁଛନ୍ତି। ଏହି ପ୍ରତ୍ୟକ୍ଷ ବିମାନ ସେବା ଚାଲିବା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସହ ସିଙ୍ଗାପୁର ମିଶି କାର୍ଯ୍ୟ କରିବା ଦିଗରେ ଉଚ୍ଚାୟୁକ୍ତ ଉଦ୍ୟମ କରିବା ସହଜ ହେବ। ଓଡ଼ିଶାର ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ, ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯୋଗୁ ଏହି ବିମାନ ସେବାର ଖୁସି ଫିକା ପଡ଼ିଗଲା। ପର୍ଯ୍ୟଟନ, ବାଣିଜ୍ୟ ବ୍ୟବସାୟ ପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ସିଙ୍ଗାପୁର ସହ ଓଡ଼ିଶାର ସମ୍ପର୍କ ଆହୁରି ଦୃଢ଼ ହେବ। ନବୀନଙ୍କ ଓଡ଼ିଶାର ରୂପାନ୍ତରୀକରଣ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ‘ପ୍ରବାସୀ ଓଡିଆଙ୍କ ବିନା ଆମେ ସମ୍ପୂର୍ଣ୍ଣ ନୋହୁଁ’ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ଏହି ଅବସରରେ ଶ୍ରୀ ପୂଜାରୀ ମନେପକାଇ ଦେଇଥିଲେ।

ଓଡ଼ିଶା ପର୍ଯ୍ୟଟନର ବିକାଶ ଦିଗରେ ସିଙ୍ଗାପୁରରେ ଭାରତର ଉଚ୍ଚାୟୁକ୍ତ କାର୍ଯ୍ୟ କରିବେ: କୁମାରନ
ନବୀନ ଓଡ଼ିଶା ରୂପାନ୍ତରିତ ହୋଇଛି; ଆହୁରି ହେବ: ମନ୍ତ୍ରୀ ରୋହିତ
ବାହାନଗାବାସୀଙ୍କ ମହାନତାକୁ ଭୂୟସୀ ପ୍ରଶଂସା

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ, ପେନସନ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ନବୀନଙ୍କ ଶାସନରେ ଓଡ଼ିଶାରେ ହୋଇଥିବା ବିକାଶର ଏକ ଗୋଲାପି ଚିତ୍ର ଦେଇଥିଲେ। ଅନେକ ରାଜ୍ୟଠାରୁ ନବୀନ ଦୁଇପାଦ ଆଗରେ ବୋଲି ସେ ମତ ଦେଇଥିଲେ। ସାଧାରଣତଃ ଅନ୍ୟତ୍ର ରେଳ ଦୁର୍ଘଟଣା ହେଲେ ସ୍ଥାନୀୟ ଲୋକଙ୍କ ଭୂମିକା ନିନ୍ଦନୀୟ ହେବାପରି ଖବର ଆସୁଥିଲେ ହେଁ ବାହାନଗା ରେଳ ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ଅକୁଣ୍ଠ ସାହାଯ୍ୟ ଉଦାହରଣୀୟ। ଅଧିକ ଚିକିତ୍ସା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆହତ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚେନ୍ନାଇ ପଠାଉଥିବା ସେ ସୂଚନା ଦେଇଥିଲେ। ରେଳ ଦୁର୍ଘଟଣାରେ ଆହତଙ୍କୁ ତ୍ବରିତ୍‌ ସ୍ବାସ୍ଥ୍ୟସେବା ଯୋଗାଇଦେବା, ୫-ଟି ଜରିଆରେ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରୀକରଣ ଓ ପ୍ରବାସୀ ଓଡ଼ିଆଙ୍କୁ ଯୋଡ଼ିବା ଆଦି ପ୍ରସଙ୍ଗ ଉପରେ ଏହି ସଭାରେ ତିନୋଟି ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ସମାରୋହକୁ ସଂଯୋଜନା କରି ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଅତୀତ ପରି ବର୍ତ୍ତମାନର ଓଡ଼ିଶାକୁ ନେଇ ମଧ୍ୟ ଗର୍ବ କରିବାର ସମୟ ଆସିଛି ବୋଲି କହିଥିଲେ। ପ୍ରବାସୀ ଓଡ଼ିଆଙ୍କୁ ବରଂ ଓଡ଼ିଶାର ଆମ୍ବାସାଡର୍ କହିବା ଅଧିକ ସମୀଚୀନ ହେବ ବୋଲି ମତଦେବା ସହ ସେମାନେ ‘ମୋ କଲେଜ ଅଭିଯାନ’ରେ ସାମିଲ ହେବାକୁ ନିବେଦନ କରିଥିଲେ।

ଦେବସ୍ନାନ ପୂର୍ଣ୍ଣିମା ପରି ଶୁଭ ଅବସରରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ହେଉଥିବାରୁ ବିମାନ ସେବା ସମସ୍ତଙ୍କ ପାଇଁ ଲାଭପ୍ରଦ ହେବ ବୋଲି ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ଆଲୋକ ପଣ୍ଡା ସ୍ବାଗତ ଭାଷଣ ଅବସରରେ ଆଶାପ୍ରକାଶ କରିଥିଲେ। ସିଙ୍ଗାପୁରରେ ସ୍ଥାୟୀ ଭାବେ ବସବାସ କରୁଥିବା ପ୍ରାୟ ୩୫୦ ଓଡ଼ିଆ ପରିବାର ମଧ୍ୟରୁ ଅନେକ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ କିଛି ବିଧାୟକ ଓ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ତିନି ମହାନଗର ନିଗମର ମେୟର, ଅଙ୍ଗନୱାଡି କର୍ମୀ, ମିସନ ଶକ୍ତି ପ୍ରତିନିଧି, ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷାନବୀଶ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡିଶାରୁ ବହୁ କଳାକାର ଆସିଥିଲେ ହେଁ ରେଳ ଦୁର୍ଘଟଣା ପାଇଁ ତାହା ବାତିଲ୍‌ କରାଯାଇଥିଲା। ଉତ୍ସବର ପ୍ରାରମ୍ଭରେ ଉକ୍ତ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ମାଲେସିଆ ଓଡ଼ିଆ ସମାଜର ସଭାପତି ଏକାମ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଯଦିଓ ଗତ ୩ ତାରିଖରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧା ବିମାନ ସେବା ଆରମ୍ଭ ହୋଇଥିଲା, ସେଦିନ ଏହି କାର୍ଯ୍ୟକ୍ରମର ଉତ୍ସବକୁ ପୂର୍ବଦିନର ରେଳ ଦୁର୍ଘଟଣାଜନିତ ଶୋକ ଯୋଗୁ ଭୁବନେଶ୍ବରଠାରେ କରାଯାଇ ନ ଥିଲା।

ସମ୍ବନ୍ଧିତ ଖବର