ଜେଲ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ଅଚାନକ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ

ବାରାକ୍ ବୁଲି ଦେଖିଲେ, କଏଦୀଙ୍କୁ ମିଳିବ ମାଗଣା ଫୋନ୍ ସେବା

ବାରିପଦା : ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଆଜି ଅଚାନକ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି। ଦିନିକିଆ ଏହି ପରିଦର୍ଶନ କାଳରେ ଶ୍ରୀ ଉପାଧ୍ୟାୟ ଏଠାରେ ପହଞ୍ଚିବା ପରେ ଭିତରକୁ ପ୍ରବେଶ ନ କରି ଜେଲ ଚାରିପାଖ ଏବଂ ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କରିଥିଲେ। ମଣ୍ଡଳ କାରାଗାର ହତା ଭିତରେ ଥିବା ବଗିଚା, ପୁଷ୍କରଣୀ, ଜେଲ କର୍ମଚାରୀ ରହୁଥିବା କଲୋନୀ, ବାରାକ୍ ଆଦି ପାଦରେ ଚାଲି ଚାଲି ବୁଲି ଦେଖିଥିଲେ । ଏହାପରେ ଜେଲ ଭିତରକୁ ଯାଇ ସମସ୍ତ ୱାର୍ଡ, ମହିଳା କଏଦୀମାନଙ୍କ ନିମନ୍ତେ ଥିବା ସ୍ୱତନ୍ତ୍ର କୋଠରୀ, ଜେଲ କ୍ୟାଣ୍ଟିନ୍, ରୋଷେଇଶାଳ, କର୍ମଶାଳା, ଜେଲରେ କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ବିଭିନ୍ନ ସାମଗ୍ରୀ ଆଦିକୁ ଦେଖିଥିଲେ। ଏଥି ସହିତ ଜେଲରେ ରହୁଥିବା ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

ଅନ୍ତେବାସୀମାନଙ୍କ ବ୍ୟବହାର ନିମନ୍ତେ ଜେଲରେ ରହିଥିବା ଫୋନ କିଛି ମାସ ପର୍ଯ୍ୟନ୍ତ ଅନ୍ତେବାସୀମାନଙ୍କୁ ମାଗଣା ସେବା ପ୍ରଦାନ ପାଇଁ ଜେଲର ବରିଷ୍ଠ ଅଧିକ୍ଷକ ପ୍ରଦୀପ କୁମାର ବେହେରା ଓ କାରାପାଳ ମଧୁସ୍ମିତା ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜେଲର ସୌନ୍ଦର୍ଯ୍ୟୀକରଣ, ପାରିପାର୍ଶ୍ବିକ ପରିବେଶ, ଅନ୍ତେବାସୀମାନଙ୍କ ମଧ୍ୟରେ ରହିଥିବା ଶୃଙ୍ଖଳାକୁ ପ୍ରଶଂସା କରିବା ସହିତ ଏହା ଉପରେ ଏକ ପ୍ରବନ୍ଧ ଲେଖି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ସମସ୍ତ ଜେଲ କର୍ମଚାରୀମାନେ ଏ ଦିଗରେ ସଚେତନ ଓ ସତର୍କ ରହି କାର୍ଯ୍ୟ ସମ୍ପାଦନ କରିବାକୁ ଶ୍ରୀ ଉପାଧ୍ୟାୟ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର