ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପାଇଁ ଚର୍ଚ୍ଚା, ଓଡ଼ିଶା ଗାନ୍ଧୀଙ୍କ ପ୍ରତି ପ୍ରତିବଦ୍ଧ: ନବୀନ
ଭୁବନେଶ୍ବର: ‘ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରୁଛି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ଏକ ପ୍ରତୀକ ନ ଥିଲା। ଗାନ୍ଧୀଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ବାସର ପ୍ରତିଫଳନ।’ ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଅବସରେ ଏଭଳି ମନ୍ତବ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଗାନ୍ଧୀଜୀଙ୍କର ପ୍ରସିଦ୍ଧ ପରଶମଣି ସଂପର୍କରେ ଗୃହକୁ ସ୍ମରଣ କରାଇଥିଲେ। ସେ କହିଥିଲେ, ‘ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି। ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା।’
Sambad is now on WhatsApp
Join and get latest news updates delivered to you via WhatsApp
ସମଗ୍ର ବିଶ୍ବକୁ ଭାରତର ଯାହା ଅବଦାନ ରହିଛି, ତନ୍ମଧ୍ୟରୁ ଗାନ୍ଧୀ ଦର୍ଶନ ଓ ଗାନ୍ଧୀଙ୍କ ବାର୍ତ୍ତା ଏକ ମହାନ ଅବଦାନ ଭାବରେ ପରିଗଣିତ ବୋଲି ମତ ରଖି ନବୀନ ଆହୁରି କହିଥିଲେ, ‘ଆଜି ଆମେ କୌଣସି ସାଧାରଣ ପରିସ୍ଥିତି ମଧ୍ୟରେ ଗତି କରୁନାହୁଁ। ମହାମାରୀର ମୁକାବିଲା ଏହି ଆହ୍ବାନର ସାମୂହିକ ରୂପକୁ ପ୍ରତିଫଳିତ କରୁଛି। ଏହା ମଧ୍ୟ ବିଶ୍ବକୁ ମନେପକାଇ ଦେଇଛି ଯେ ଯଦି ଆମ ଜନସଂଖ୍ୟାର ଏକ ବଡ ଅଂଶ ଦାରିଦ୍ର୍ୟ ଓ ଶଂକାକୂଳ ଅବସ୍ଥାରେ ରୁହନ୍ତି, ତେବେ ଅଳ୍ପ କିଛି ଲୋକଙ୍କ ସଂପତ୍ତି ଓ ବିକାଶ ମୂଲ୍ୟହୀନ। ଆମେ ସମସ୍ତେ ଗୋଟିଏ ସୂତ୍ରରେ ଯୋଡି ହୋଇ ରହିଛେ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ବ୍ୟକ୍ତିଗତ ଲୋଭକୁ ଦୂର କରିବା ଉପରେ ଗାନ୍ଧୀଜୀଙ୍କ ଗୁରୁତ୍ବ ଏବଂ ସାଧାରଣ ଲୋକ ସଂପର୍କରେ ଚିନ୍ତା କରିବାପାଇଁ ତାଙ୍କର ଆହ୍ବାନ ଆମକୁ ବିଶ୍ବର ଆବଶ୍ୟକତା ସଂପର୍କରେ ମନେ ପକାଇ ଦିଏ।’
ଆଜି ସମଗ୍ର ବିଶ୍ବରେ ବିଭେଦ ଓ ଧୃବୀକରଣ ବଢିଚାଲିଛି ବୋଲି ଦର୍ଶାଇ ନବୀନ କହିଥିଲେ, ବହୁ ମତବାଦର ସୁରକ୍ଷା ପ୍ରତି ଗାନ୍ଧୀଜୀଙ୍କର ନିଷ୍ଠା, ସହିଷ୍ଣୁତା ଓ ସଦ୍ଭାବର ବାର୍ତ୍ତା ଆଜି ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯାହା ସେତେବେଳେ ଥିଲା। ମହାତ୍ମା ଗାନ୍ଧୀଙ୍କ ଅହିଂସା ପ୍ରତିବାଦ ଏପରି ଏକ ସ୍ଫୁଲିଙ୍ଗ, ଯାହା ସମଗ୍ର ବିଶ୍ବରେ ଅନେକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରେରଣା ଦେଇଛି। ଗାନ୍ଧୀଙ୍କ ଏହି କାଳଜୟୀ ଦର୍ଶନକୁ ମନେ ପକାଇବା ପାଇଁ କଳିଙ୍ଗ ଠାରୁ ଆଉ ଭଲ ସ୍ଥାନ କଣ ଥାଇପାରେ, ଯେଉଁଠାରେ ଦୁଇ ସହସ୍ର ବର୍ଷ ପୂର୍ବେ ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତିର ମାର୍ଗ ଗ୍ରହଣ କରିଥିଲେ। ଆଜି ଏହି ଅବସରରେ ମାର୍ଟିନ ଲୁଥର କିଙ୍ଗ (ଜୁନିଅର)ଙ୍କ କଥାକୁ ମନେ ପକାଉଛି । ସେ କହିଥିଲେ “ ଯଦି ମାନବତାକୁ ଅଗ୍ରସର ହେବାକୁ ଅଛି, ତାହେଲେ ଗାନ୍ଧୀଙ୍କୁ ଛାଡି ହେବ ନାହିଁ । ଆମେ କେବଳ ନିଜ ପାଇଁ ବିପଦ ସୃଷ୍ଟି କରି ହିଁ ଗାନ୍ଧୀଜୀଙ୍କୁ ଉପେକ୍ଷା କରିପାରିବା”। କିଙ୍ଗ୍ଙ୍କ ଏହି ମନ୍ତବ୍ୟ ଆଜିର ଦୁନିଆ ପାଇଁ ସଂପୂର୍ଣ୍ଣ ଭାବେ ପ୍ରାସଙ୍ଗିକ।’
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାତ୍ମାଗାନ୍ଧୀ ଯେତେବେଳେ ୧୯୨୧ରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳେ ଓଡିଶା ଗୋଟିଏ ସ୍ବତନ୍ତ୍ର ରାଜ୍ୟ ନ ଥିଲା। ଲକ୍ଷ୍ୟ ଲକ୍ଷ୍ୟ ଓଡିଆ ଭାଷାଭାଷୀ ଲୋକଙ୍କ ଆକାଂକ୍ଷା ୧୯୩୬ରେ ବାସ୍ତବ ରୂପ ନେଇଥିଲା। ଗାନ୍ଧୀ ଯେତେବେଳେ ୧୯୪୬ ଜାନୁଆରୀରେ ଶେଷ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳକୁ ଏକ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ୧୦ ବର୍ଷ ପୂରଣ କରିସାରିଥିଲା। ଓଡିଶା କିଭଳି ଭାବେ ନିଜର ଭାଷାଗତ ଓ ଆଞ୍ଚଳିକ ଆକାଂକ୍ଷା ସହିତ ଜାତୀୟ ଲକ୍ଷ୍ୟର ସମନ୍ବୟ ରକ୍ଷା କରିପାରିଥିଲା, ତାହା ଏକ ଚମତ୍କାର ଉଦାହରଣ ଥିଲା।