ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସରରେ ବିସ୍ଥାପିତଙ୍କ ବିକ୍ଷୋଭ

ସମ୍ବଲପୁର: ହୀରାକୁଦ ବନ୍ଧର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରା ଯାଇଥିଲା। ଶୁକ୍ରବାର ସକାଳେ ବିସ୍ଥାପିତ ପରିବାରର ଶତାଧିକ ସଦସ୍ୟ ଉପସ୍ଥିତ ହୋଇ ଏକ ଶୋଭଯାତ୍ରାରେ ପରିକ୍ରମା କରିଥିଲେ। ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିସ୍ଥାପିତଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆର୍‌ଡିସିଙ୍କ ସଚିବ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରଦାନ କରିଥିଲେ।

ଦାବି ଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ୧୦ ଡିସିମିଲ୍ ଜମିପଟ୍ଟା ପ୍ରଦାନ, ପୂର୍ବରୁ ଯେଉଁମାନଙ୍କୁ ଜମି ଦିଆଯାଇଛି ତାହା ଚିହ୍ନଟ କରି ଦଖଲ ଦେବା, ଜାତୀୟ ମାନବାଧିକାର ଆୟୋଗ ପୂର୍ବରୁ ଦେଇଥିବା ଆଦେଶର ପାଳନ କରିବା, ବିସ୍ଥାପିତ ପରିବାରଙ୍କୁ ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରିବା, ଜମି ପ୍ରଦାନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଲଖନପୁର ତହସିଲ କାର୍ଯ୍ୟାଳୟରେ ୩ ଜଣ ଅତିରିକ୍ତ ତହସିଲଦାର ଓ ୫ ଜଣ ଅମଲା ନିଯୁକ୍ତ କରିବା ଇତ୍ୟାଦି। ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶୈଳବାଳା ପ୍ରଧାନଙ୍କ ସୂଚନା ଅନୁଯାୟୀ ହୀରାକୁଦ ବନ୍ଧ ଓ ଜଳଭଣ୍ଡାର ଯୋଗୁଁ ୨୬,୫୦୧ ପରିବାର ପ୍ରଭାବିତ ଓ ୧୯ ହଜାର ପରିବାର ବିସ୍ଥାପିତ ହୋଇଥିଲେ। ଏହି ପରିବାର ଗୁଡ଼ିକ ବିଭାଜିତ ହୋଇ ଏବେ ୯୪ ହଜାର ପରିବାର ହେଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୫ ହଜାର ପରିବାରକୁ ଜମି ମଞ୍ଜୁର ହୋଇଛି। ସେଥି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ସର୍ବାଧିକ ୩,୮୧୬, ସମ୍ବଲପୁର ଜିଲ୍ଲାର ୬୩୫, ବରଗଡ଼ ଜିଲ୍ଲାର ୧୨୧ଟି ପାରିବାର ଅଛନ୍ତି। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କାହାରିକୁ ଜମି ପଟ୍ଟା ଦିଆଯାଇ ନାହିଁ ବୋଲି ସମିତି ପକ୍ଷରୁ କହାଯାଇଥିଲା।

ସମ୍ବନ୍ଧିତ ଖବର