ସଂରକ୍ଷଣ ପ୍ରସଙ୍ଗରେ ତାତି ବଢ଼ୁଛି: ଓବିସି ସଂରକ୍ଷଣ ଦାବିରେ ତାତିଲେ ବିଜେପି କର୍ମୀ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଜିଲ୍ଲାପାଳଙ୍କ ଗାଡ଼ି, ଫଳକ ଭାଙ୍ଗିଲେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍‌ ଚିରିଲେ

ଭଦ୍ରକ : ଓବିସି ସଂରକ୍ଷଣ ଦାବିରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିଜେପି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଉତ୍ତ୍ୟକ୍ତ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଫାଟକ ଭାଙ୍ଗି ଅଫିସ୍ ଭିତରକୁ ଧସେଇ ପଶିବା ପରେ ଜିଲ୍ଲାପାଳଙ୍କ ଗାଡ଼ି ଫଳକ ଓ କାର୍ଯ୍ୟାଳୟ ପରିସରରେ ଲଗାଯାଇଥିବା ବି‌ଭିନ୍ନ ସରକାରୀ ଯୋଜନାର ହୋର୍ଡିଂ ଭାଙ୍ଗି ଦେଇଥିଲେ। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂକୁ ମଧ୍ୟ ଚିରି ପକାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନ୍‌ ‌ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଓ ଏସ୍‌ପି ଚରଣ ସିଂହ ମୀନା।
ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଗାନ୍ଧୀ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇ ରାଜ୍ୟ ସରକାରଙ୍କ ଓବିସି ମାରଣ ନୀତିକୁ ସମାଲୋଚନା କରିଥିଲେ। ଏତିକିବେଳେ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ ଫାଟକ ଭାଙ୍ଗି ଭିତରକୁ ପଶିଯାଇଥିଲେ। ପଛେପଛେ ପୁଲିସ ଗୋଡ଼ାଇ ଥିଲେ ମଧ୍ୟ କର୍ମୀମାନେ କାର୍ଯ୍ୟାଳୟରେ ପଶି ଚେୟାର, ଟେବୁଲ କଚାଡ଼ି ଭାଙ୍ଗି ଦେବା ସହ ହୋର୍ଡିଂ, ବ୍ୟାନର ସବୁ ଚିରିଦେଇଥିଲେ। କିଛି ସମୟ ପାଇଁ ସେଠାରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସଂରକ୍ଷଣ ଉଚ୍ଛେଦ ବିରୋଧରେ ଆଦିବାସୀଙ୍କ ପ୍ରତିବାଦ

ଟିଟିଲାଗଡ଼ : ଆଦିବାସୀ ସଂରକ୍ଷଣଙ୍କୁ ଉଚ୍ଛେଦ କରାଯାଇଥିବାରୁ ଏହାର ପ୍ରତିବାଦରେ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଦିବାସୀମାନେ ଗର୍ଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ବ୍ୟାନର, ହୋର୍ଡିଂ ଆଦି ଚିରିବା ସହିତ ପୋଡ଼ି ଦେଇଛନ୍ତି। ଏହାର ଜବାବ ଆଗାମୀ ସମସ୍ତ ନିର୍ବାଚନରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଆଦିବାସୀମାନେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ହାଇସ୍କୁଲ ଖେଳପଡ଼ିଆରୁ ବାହାରି ସହର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ହଜାର ହଜାର ଆଦିବାସୀ ପାରମ୍ପରିକ ବାଦ୍ୟ ଓ ଅସ୍ତ୍ରଶସ୍ତ୍ର ଧରି ସାମିଲ ‌ହୋଇଥିଲେ। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ହକ୍‌କୁ ରାଜ୍ୟ ସରକାର ନ୍ୟାୟାଳୟର ଦ୍ୱାହି ଦେଇ ଚାପି ଦେଇଛନ୍ତି ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର