ଦିବ୍ୟାଙ୍ଗ ଜଗଦୀଶଙ୍କ ଆତ୍ମାହୁତି ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ: ବିଜେପି

ନୂଆପଡ଼ା: ନୂଆପଡ଼ା ସଦର ତହସିଲ ଅଫିସ୍‌ ଆଗରେ ଦଳିତ ଦିବ୍ୟାଙ୍ଗ ଯୁବକ ଜଗଦୀଶ ଚୌହାନ ଆତ୍ମାହୁତି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶକ୍ରମେ ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ପୂର୍ବ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇଙ୍କ ନେତୃତ୍ବରେ ଏକ ଟିମ୍ ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ନୂଆପଡ଼ା ସଦର ବ୍ଲକ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ଋଣ ଶୁଝିବା ପାଇଁ ନିଜର ଏକ ଜମି ବିକ୍ରି କରିବା ପାଇଁ ନୂଆପଡ଼ା ତହସିଲକୁ ଅନୁମତି ମାଗିଥିଲେ। ହେଲେ ତହସିଲ କର୍ମଚାରୀ ଦିନ ଗଡ଼ାଉଥିବା ବେଳେ ବହୁ ହଇରାଣ କରୁଥିଲେ। ବର୍ଷେ ବିତି ଯାଇଥିଲେ ମଧ୍ୟ ତହସିଲ କର୍ମଚାରୀ କୌଣସି ପଦକ୍ଷେପ ନେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ବିଭାଗୀୟ ଅଧିକାରୀ କୌଣସି କଥା ଶୁଣୁନଥିବାରୁ ଏଥିରେ ଅତିଷ୍ଠ ହୋଇ ଗତ ୧୬ ତାରିଖ ତହସିଲ ଅଫିସ୍‌ ଆଗରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ।

ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ବେଳେ ଏଥିପାଇଁ ପ୍ରଶାସନିକ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ତରାଇ ପ୍ରକାଶ କରିଛନ୍ତି। ଅପରପକ୍ଷେ ଏଭଳି ଘଟଣା କେବଳ ନୂଆପଡ଼ାରେ ନୁହେଁ, ସମଗ୍ର ଓଡ଼ିଶାର ଗରିବ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବର ସହ ନେଇ ଏହା ଉପରେ ଚିନ୍ତା କରିବା କଥା ବୋଲି କହିଛନ୍ତି। ପରେ ବିଜେପି ନେତୃମଣ୍ଡଳୀ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦକ ଚନ୍ଦନ ସ୍ବରାଜ, ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ରାଜ୍ୟ ଉପସଭପତି ମନିଜର ଆର୍ଯ୍ୟ, ଏସ୍‌ସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ସୁନା, ଡମ୍ବରୁ ମହାନନ୍ଦ, ଭଗତ ସିଂ, ଦୃଷ୍ଟି ମାଝୀ, ଜିଲ୍ଲା ସଭାପତି ବିଜେପି ଯୁବମୋର୍ଚ୍ଚା ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଷୀ, କାର୍ତ୍ତିକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର