ଜିଲ୍ଲାସ୍ତରୀୟ ଅମଲାଙ୍କ କ୍ୟାଡର୍‌ ପୁନର୍ଗଠନ

ଭୁବନେଶ୍ବର : ୩୪ ବର୍ଷ ପରେ ଜିଲ୍ଲାସ୍ତରୀୟ ଅମଲାଙ୍କ କ୍ୟା‌ଡର୍‌ ପୁନର୍ଗଠନ ବିଜ୍ଞପ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଓଡ଼ିଶା ଅମଲା‌ ସଂଘର ଦାବି ଉପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଜୁନ୍‌ ୨୩ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ନିଷ୍ପତ୍ତିକୁ ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଏବେ ସେହି ବିଜ୍ଞପ୍ତି ଅନୁମୋଦନ ଲାଭ କରିଛି। ୧୯୮୪ରେ ଶେଷ ଥର ପାଇଁ ରାମମୂର୍ତ୍ତି କମିଟି ରିପୋର୍ଟ ଅନୁଯାୟୀ ଜିଲ୍ଲାସ୍ତରୀୟ ଅମଲାମାନଙ୍କ କ୍ୟାଡର୍‌ ପୁନଃଗଠନ କରାଯାଇଥିଲା। ଏବେ ପୁଣିଥରେ ପୁନଃଗଠନ ସମ୍ଭବ ହୋଇଥିବାରୁ ରାଜ୍ୟ ଅଣ‌ଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତିର ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ବ୍ରଜକିଶୋର ନନ୍ଦ, ଓଡ଼ିଶା ଅମଲା ସଂଘ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ, ଅର୍ଥ ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବ୍ୟବସ୍ଥା ଅନୁଯାୟୀ ଜୁନିଅର କ୍ଲର୍କ, ସିନିୟର କ୍ଲର୍କ, ହେଡ କ୍ଲର୍କ, ଅଫିସ୍‌ ସୁପରିଟେଣ୍ଡେଣ୍ଟ ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦବି ଥିବା ବେଳେ ନୂତନ କ୍ୟାଡର୍‌ ପୁନଃଗଠନ ଅନୁଯାୟୀ ଏଣିକି ଜୁନିଅର ଆସିଷ୍ଟାଣ୍ଟ, ସିନିଅର ଆସିଷ୍ଟାଣ୍ଟ, ସେକ୍ସନ୍‌ ଅଫିସର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ସିନିଅର ଏଷ୍ଟାବ୍ଲିସମେଣ୍ଟ ଅଫିସର ଭାବେ ନାମିତ ହେବେ। ପୂର୍ବରୁ ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦବି ୩୪ଟି ଥିବା ବେଳେ ଆଉ ୫୯୩ଟି ପଦବି ସୃଷ୍ଟି କରାଯିବ। ୭୮ଟି ‌ସିନିଅର ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦବି ସୃଷ୍ଟି କରାଯିବ। ଏହାବ୍ୟତୀତ ହେଡ୍‌ କ୍ଲର୍କ ପଦବି ପରିବର୍ତେ ୧୯୨୮ଟି ସେକ୍ସନ୍‌ ଅଫିସର ପଦବି ସୃଷ୍ଟି କରାଯିବା ପାଇଁ ମଧ୍ୟ ଅନୁମୋଦନ ଲାଭ କରିଛି। ଏହି ସବୁ ପଦବି ସୃଷ୍ଟି ପରେ ଯଦି କୌଣସି ପଦବିରେ ପରବର୍ତୀ ପଦବିକୁ ପଦୋନ୍ନତି ନିମନ୍ତେ ସୁଯୋଗ ଅଟକି ରହି ବିଳମ୍ବିତ ହେବାର ଉପଲବ୍ଧି ହେବ ତେବେ ବିଜ୍ଞପ୍ତିରେ ସୂଚନା ଦିଆଯିବ। ଫଳରେ ରାଜ୍ୟରେ କାର୍ଯ୍ୟରତ ୩୫ ହଜାର ଜିଲ୍ଲାସ୍ତରୀୟ ଅମଲା ଉପକୃତ ହୋଇପାରିବେ ବୋଲି ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଶ୍ରୀ ନନ୍ଦ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର