ସମବାୟ ସମିତିଙ୍କୁ ଯୋଗାଣ ସଚିବଙ୍କ ଚେତାବନୀ : ତୁରନ୍ତ ମଣ୍ଡି ନ ଖୋଲିଲେ, ‌ଧାନକିଣାରୁ ବାଦ୍‌

ଧାନ ସଂଗ୍ରହ ହାର ୬ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଖରିଫ ଧାନ ସଂଗ୍ରହ ଚାଲିଥିଲେ ବି ବହୁସଂଖ୍ୟକ ମଣ୍ଡି ଖୋଲିନାହିଁ। ଯେଉଁ ସ୍ଥାନରେ ବାରମ୍ବାର ନିର୍ଦେଶ ଦେବା ସତ୍ତ୍ବେ ପ୍ରାଥମିକ କୃଷି ସମବାୟ ସମିିତି(ପାକ୍‌ସ)ମାନେ ମଣ୍ଡି ଖୋଲିନାହାନ୍ତି ବା ଧାନ ସଂଗ୍ରହ ଆରମ୍ଭ କରିନାହାନ୍ତିି ସେମାନେ ତୁରନ୍ତ ମଣ୍ଡି ଖୋଲିବା ସହିତ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ଯୋଗାଣ ସଚିବ। ଏଥିରେ ଅବହେଳା ହେଲେ ସଂପୃକ୍ତ ପାକ୍‌ସକୁ ଧାନ ସଂଗ୍ରହ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି।

ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ତଥା ସହକାରୀ ସମବାୟ ନିବନ୍ଧକମାନଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। ଅବହେଳା ପ୍ରଦର୍ଶନକାରୀ ପାକ୍‌ସକୁ ଧାନ ସଂଗ୍ରହରୁ ବାଦ୍‌ ଦେଇ ଚାଷୀମାନଙ୍କୁ ନିକଟତମ ପାକ୍‌ସ ସହିତ ସଂଯୁକ୍ତ କରାଯିବ। ଯାହା ଫଳରେ ସେମାନେ ନିକଟରେ ଖୋଲିଥିବା ମଣ୍ଡିରେ ଧାନ ବିକ୍ରି କରିପାରିବେ ବୋଲି ନିର୍ଦେଶନାମାରେ କୁହାଯାଇଛି। ଏହା ସହିତ ଧାନ ସଂଗ୍ରହ ହାର ତ୍ବରାନ୍ବିତ କରିବାକୁ ମଧ୍ୟ ଶ୍ରୀ ଯାଦବ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨.୪୭ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ଧାନ ସଂଗ୍ରହ ହୋଇଥିଲା ୧୧.୭୮ ଲକ୍ଷ ମେଟ୍ରିକ ଟନ୍‌। ଅର୍ଥାତ୍‌ ବର୍ତମାନ ସୁଦ୍ଧା ଗତବର୍ଷ ତୁଳନାରେ ୬ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୮ ହଜାର ୧୨୯ଜଣ ଚାଷୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କଠାରୁ ୨୧୮୨ କୋଟି ମୂଲ୍ୟର ଧାନ କିଣା ଯାଇଛି। ତେବେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପ୍ରାୟ ୧୮୦୦ କୋଟି ଟଙ୍କା। ରାଜ୍ୟରେ ୨୬୦୦ରୁ ଅଧିକ ସଂଖ୍ୟକ ପାକ୍୍‌ସ ଥିବା ବେଳେ ବର୍ତମାନ ସୁଦ୍ଧା ୧୯୦୦ ପାକ୍‌ସ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସେହିପରି ଗତବର୍ଷ ଶେଷ ସୁଦ୍ଧା ପ୍ରାୟ ୨୯୦୦ ମଣ୍ଡି ଖୋଲିଥିଲା। ବର୍ତମାନ ସୁଦ୍ଧା ଖୋଲିଛି ୨୪୭୮ଟି ମଣ୍ଡି।

ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ‌େଶଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଓଡ଼ିଶାରେ ବି ଏହା ଆଗେଇ ଚାଲିଛି। ଗତ ୨୪ ତାରିଖରୁ କୋରାପୁଟ ଜିଲ୍ଲାର ରାମଗିରି ଧାନ ସଂଗ୍ରହ କେନ୍ଦ୍ରରୁ ଧାନକିଣା ଆରମ୍ଭ ହୋଇଛି। ସେହି ଅଞ୍ଚଳର ଚାଷୀ ପ୍ରଫୁଲ୍ଲ ପାତ୍ରଙ୍କ କହିବାନୁସାରେ ଏକ କ୍ବିଣ୍ଟାଲ୍‌ ଧାନରୁ ୧ରୁ ଦେଢ଼ କିଲୋ ପର୍ଯ୍ୟନ୍ତ ଧାନ କଟାଯାଉଛି। ତେବେ ଧାନର ମାନ ଖରାପ ହୋଇଥିବାରୁ ‌ଏ ନେଇ କୌଣସି ଅଭିଯୋଗ ବାଢ଼ିନାହାନ୍ତି ପ୍ରଫୁଲ୍ଲ। ଏ ପଟେ ଉପକୂଳ ଓଡ଼ିଶାରେ ଧାନ ସଂଗ୍ରହ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରୁ ବେପାରିମାନେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସି ଚାଷୀମାନଙ୍କଠାରୁ ଧାନ କିଣି ନେଉଥିବାର ଅଭିଯୋଗ ହେଉଛି। ତେବେ ଏହା ଅଭିଯୋଗରେ ସୀମିତ। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ସମ୍ବନ୍ଧିତ ଖବର