ଖର୍ଚ୍ଚ କରିପାରୁନାହାନ୍ତି ଡିଏମ୍‌ଏଫ୍ ପାଣ୍ଠି

ଆଦାୟ ୮୮ %, ବିନିଯୋଗ ୧୬ %, ଅସନ୍ତୋଷ ଝା଼ଡିଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ବର : ଟଙ୍କା ହାଉଯାଉ, ହେଲେ ଖଣି ପ୍ରଭାବିତ ଜିଲ୍ଲାରେ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଖର୍ଚ୍ଚ େହାଇପାରୁନାହିଁ। ଆଉ କେହି ନୁହେଁ, ଗତ ୧୨ ତାରିଖରେ ସଚିବସ୍ତରୀୟ ବୈଠକରେ ଏେନଇ ଅସନ୍ତୋଷ ଝାଡିଛନ୍ତି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ମୁଖ୍ୟଶାସନ ସଚିବଙ୍କ ନାଲିଆଖି େଦଖି ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ଶାସନ ସଚିବ ଓରେଡ଼ା ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖି ତୁରନ୍ତ ସବୁ ଜଲ୍ଲାରେ ଡିଏମଏଫ ପାଣ୍ଠି ଖର୍ଚ୍ଚ ଉପରେ ଗୁରୁତ୍ବାରୋପ କରିଥିବା ସୂଚନା ମିଳିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ବାବଦରେ ୫ ହଜାର ୮୩୮ କୋଟି ୨୬ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। କେବଳ ଗତ ନଭେମ୍ବରରେ ୨୩୮ କୋଟି ୭୫ ଲକ୍ଷ ଟଙ୍କା ମିଳିଛି। ଅନ୍ୟପଟେ ଗତ ନଭେମ୍ବର ସୁଦ୍ଧା ଖଣି ପ୍ରଭାବିତ ଜିଲ୍ଲାରେ ବାସଗୃହ ନିର୍ମାଣ, ରାସ୍ତା,ବିଦ୍ୟୁତ ସଂଯୋଗ, ପିଇବା ପାଣି,ବିଦ୍ୟାଳୟ ନିର୍ମାଣ ପାଇଁ ସରକାର ମଞ୍ଜୁର କରିଛନ୍ତି ୫ ହଜାର ୧୨୮ କୋଟି ୨୫ ଲକ୍ଷ ଟଙ୍କା। ତଥ୍ୟ କହୁଛି, ଏହି ସମୟ ସୁଦ୍ଧା କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୯୩୩ କୋଟି ୮୮ ଲକ୍ଷ। କେବଳ ନଭେମ୍ବରରେ ଦିଆଯାଇଥିବା ୬୩୯ କୋଟି ୧୯ ଲକ୍ଷ ଟଙ୍କାରୁ ଖର୍ଚ୍ଚ ହୋଇଛି ୪୮ କୋଟି ୫୦ ଲକ୍ଷ ଟଙ୍କା। ଗୋଟିଏ ପଟେ ୫ହଜାର କୋଟିରୁ ଅଧିକ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଆଦାୟ ହୋଇଥିବା ନେଇ ସରକାର ବାହାବା ନେଉଥିବା ବେଳେ ସରକାରୀ ବାବୁଙ୍କ ଆନ୍ତରିକତା ଅଭାବରୁ ଏତେ ପରିମାଣର ପାଣ୍ଠି ଖର୍ଚ୍ଚ ନହୋଇ ପଡ଼ିରହିବା ସିଧାସଳଖ ସରକାରୀ ବ୍ୟବସ୍ଥାର ସ୍ଥାଣୁତାକୁ ପଦାରେ ପକାଇଛି।

୮ଟି ଖଣି ପ୍ରଭାବିତ ଜିଲ୍ଲାର ସରକାରୀ ତଥ୍ୟ କହୁଛି. ଗତ ନଭେମ୍ବର ସୁଦ୍ଧା ଡିଏମଏଫ ପାଣ୍ଠି ଆଦାୟ,ମଞ୍ଜୁରି ଓ ଖର୍ଚ୍ଚ କରିବାରେ ସରକାରଙ୍କୁ ୯୯ ପ୍ରତିଶତ ସଫଳତା ମିଳିଛି। କିନ୍ତୁ ତଥ୍ୟକୁ ଅନୁଧ୍ୟାନ କଲେ ଜଳ ଜଳ େହାଇ ଦିଶୁଛି େଯ ସବୁଠୂୁ ଅଧିକ ରାଜସ୍ବ ଦେଉଥିବା ଖଣି ପ୍ରଭାବିତ ଜିଲ୍ଲା କେନ୍ଦୁଝରରେ ପାଣ୍ଠି ବିନିଯୋଗ କରିବାରେ ଅହେତୁକ ଅବହେଳା େହାଇଛି। ଏହି ଜିଲ୍ଲାରୁ ୨ ହଜାର ୩୪୧ କୋଟି ୮୨ ଲକ୍ଷ ଟଙ୍କା ମିଳିଛି ଓ ଖଣିଜ ଉତ୍ତୋଳନ ଯୋଗୁଁ ଜିଲ୍ଲାରେ ପ୍ରଦୁଷିତ ହେଉଥିବା ଅଞ୍ଚଳରେ ୭୨୨ଟି ପ୍ରକଳ୍ପ ହାତକୁ ନେଇଛନ୍ତି ପ୍ରଶାସନ। ସେସବୁ ପ୍ରକଳ୍ପ ପାଇଁ ଡିଏମଏଫ ପାଣ୍ଠିରୁ ନଭେମ୍ବର ଶେଷ ସୁଦ୍ଧା ମଞ୍ଜୁର ହୋଇଛି ୧ହଜାର ୫୮୪ କୋଟି ୮୫ ଲକ୍ଷ ଟଙ୍କା। ହେଲେ ଖର୍ଚ୍ଚ ହୋଇଛି ମାତ୍ର ୨୭୭ କୋଟି ୧୦ ଲକ୍ଷ ଟଙ୍କା। ସେହିପରି ଅନ୍ୟତମ ଖଣିଜ ଅଞ୍ଚଳ ଭାବେ ଜଣାଶୁଣା ସୁନ୍ଦରଗଡ଼ ଜିଲ୍ଲାରେ ଆଦାୟ ହୋଇଛି ୧ ହଜାର ୧୨୫ କୋଟି ୨୬ ଲକ୍ଷ। ଜିଲ୍ଲାରେ ୪ ହଜାର ୪୨୨ଟି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ୧ ହଜାର ୫୧୧ କୋଟି ୩୮ ଲକ୍ଷ ଟଙ୍କା। ନଭେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ୨୨୬ କୋଟି ୯୦ ଲକ୍ଷ ଟଙ୍କା ା ଅନୁଗୁଳ ଜିଲ୍ଲାରେ ଆଦାୟ ହୋଇଛି ୯୪୪ କୋଟି ୪୪ଲକ୍ଷ ଓ ଖର୍ଚ୍ଚ ହୋଇଛି ମାତ୍ର ୧୩୭ କୋଟି ୨୭ ଲକ୍ଷ।

ସେହିପରି ଯାଜପୁର ପାଇଁ ଡିଏମଏଫ ପାଣ୍ଠି ବାବଦରେ ଆଦାୟ ହୋଇଛି ୬୪୧ କୋଟି ୬୮ ଲକ୍ଷଟଙ୍କା। କିନ୍ତୁ ଲୋକଙ୍କ ବିକାଶ କାମରେ ଲାଗିଛି ୧୧୫ କୋଟି ୨୬ ଲକ୍ଷ। ଝାରସୁଗୁଡ଼ାରେ ଆଦାୟ ହୋଇଥିବା ୫୦୮ କୋଟି ୩୦ ଲକ୍ଷରୁ ୪୯୪ଟି ପ୍ରକଳ୍ପ ପାଇଁ ୬୯୨ କୋଟି ୮୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଜିଲ୍ଲାରେ ଉନ୍ନୟନ କାମ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୮୯ କୋଟି ୭୩ ଲକ୍ଷ ଟଙ୍କା। କୋରାପୁଟରେ ଆଦାୟ ହୋଇଛି ୧୨୦ କୋଟି ୨୮ ଲକ୍ଷ ଟଙ୍କା ଓ ଖର୍ଚ୍ଚ ହୋଇଛି ୪୯ କୋଟି ୫୬ ଲକ୍ଷ ଟଙ୍କା। ମୟୁରଭଞ୍ଜ ପାଇଁ ୩୬ କୋଟି ୪୯ଲକ୍ଷ ଟଙ୍କା ଆଦାୟ େହାଇଥିବା ବେଳେ ଖର୍ଚ୍ଚ ହୋଇଛି ୩ କୋଟି ୬୮ ଲକ୍ଷ।

୨୦୧୫ରେ କେନ୍ଦ୍ର ସରକାର ପ୍ରଚଳିତ ଏମଏମଡିଆର ଆଇନରେ ସଂଶୋଧନ ଆଣିବା ପରେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କଷ୍ଟ ଲାଘବ ପାଇଁ ସେହିବର୍ଷ ସେପ୍ଟେମ୍ବରରେ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ବା ଡିଏମଏଫ ଗଠନ କରିଥିଲେ। ସେସବୁ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ବିକାଶ କରିବା ସହ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ବିଦ୍ୟୁତ ସଂଯୋଗ, ସ୍କୁଲ ଗୃହ, ଶିକ୍ଷା,ପ୍ରଦୁଷଣ ନିୟନ୍ତ୍ରଣ,ସ୍ବାସ୍ଥ୍ୟସେବା, ଦକ୍ଷତା ବିକାଶ,ମହିଳା ଓ ଶିଶୁବିକାଶ, ଭିନ୍ନକ୍ଷମ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବା କଥା। ମାତ୍ର ସରକାରୀ ବାବୁଙ୍କ ଆନ୍ତରିକତା ଅଭାବରୁ ଏହି କାର୍ଯ୍ୟକ୍ରମ ବାଟବଣା େହଲାଣି।

ସମ୍ବନ୍ଧିତ ଖବର