ଯେଉଁଠି ଖଣି, ସେଇଠି ଦାରିଦ୍ର୍ୟ : ଖର୍ଚ ହୋଇପାରୁନି ୯୦% ଖଣିଜ ପାଣ୍ଠି

ଭୁବନେଶ୍ୱର : ଖଣିଜ ପଦାର୍ଥ ଉତ୍ତୋଳନ ହେଉଥିବା ଅଞ୍ଚଳର ବିକାଶ ଓ ଆନୁଷଙ୍ଗିକ ଉନ୍ନତି ପାଇଁ ଗଠନ ହୋଇଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ୍‍ (ଡିଏମ୍‌ଏଫ୍‌) ପାଣ୍ଠି। ହିସାବକୁ ଅନୁଧ୍ୟାନ କଲେ ୨୦୧୫-୧୬ରୁ ଏଯାବତ ୩ ବର୍ଷ ମଧ୍ୟରେ ୪ହଜାର ୭୫ କୋଟି ଟଙ୍କା ପାଣ୍ଠି ବାବଦରେ ସଂଗ୍ରହ ହୋଇଛି। କିନ୍ତୁ ଏହି ୩ ବର୍ଷରେ ଖର୍ଚ ହୋଇଛି ମାତ୍ର ୩୮୯ କୋଟି ଟଙ୍କା। ଅର୍ଥାତ ୯୦% ପାଣ୍ଠି ଏପର୍ଯ୍ୟନ୍ତ ଖର୍ଚ ହୋଇନାହିଁ। ଗତ ୩ ବର୍ଷ ଭିତରେ ୩ ହଜାର ୬୮୬ କୋଟି ଟଙ୍କା ଖର୍ଚ ନ ହୋଇ ପଡ଼ିରହିଛି।

ଖଣିଜ ପଦାର୍ଥ ଉତ୍‌ଖନନ ଅଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଅଧିକ ପାଣ୍ଠି ବିନିଯୋଗ କରାଯିବା ନେଇ ଯୋଜନା ହୋଇଛି। ମାତ୍ର ବାସ୍ତବ କ୍ଷେତ୍ର ସମ୍ପୂର୍ଣ୍ଣ ଓଲଟା। ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଟ୍ରଷ୍ଟ୍‍ ଗଢ଼ା ଯାଇଛି। ମାତ୍ର ୧୭ଟି ଜିଲ୍ଲାରେ ପାଣ୍ଠି ବିଲ୍‌କୁଲ୍‌ ଖର୍ଚ ହୋଇନାହିଁ। ଅନ୍ୟ ୬ଟି ଜିଲ୍ଲାରେ ମାତ୍ର ୧ କୋଟିରୁ ୬ କୋଟି ଟଙ୍କା ପାଣ୍ଠି ଖର୍ଚ ହୋଇଛି। ତେଣୁ ପାଣ୍ଠିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଆଜି ମେ ଫେୟାରରେ ଅନୁଷ୍ଠିତ ‘ଭୂମି’ ପତ୍ରିକାର ବାର୍ଷିକ ଉତ୍ସବ ଏବଂ ‘ଜିଲ୍ଲା ଖଣିଜ ପାଣ୍ଠିର ସଦ୍‌ ବିନିଯୋଗ’ ଶୀର୍ଷକ ଆଲୋଚନାଚକ୍ରରେ ଏପରି ମତ ପ୍ରକାଶ ପାଇଛି। ସମାଜ ବିଜ୍ଞାନୀ ତଥା ପରିବେଶବିତ୍‌ ଏବଂ ପ୍ରାକ୍ତନ ସୂଚନା କମିସନର ପ୍ରଫେସର ରାଧାମୋହନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଡିଏମ୍‌ଏଫ୍‌ ପାଣ୍ଠି ଗଠନ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି। ଖଣି ଉତ୍‌ଖନନ ବେଳେ ଯେମିତି କେହି ବିରୋଧ କରିବେନି ସେଇ ଉଦ୍ଦେଶ୍ୟରେ ଏ ପାଣ୍ଠିର ସୃଷ୍ଟି କରାଯାଇଛି। ବାସ୍ତବରେ କେହି ନିଜର ଖଣିଜ ପଦାର୍ଥ ରପ୍ତାନୀ କରି ବଡ଼ ହୋଇନାହିଁ। ବରଂ ଦରିଦ୍ର ହୋଇଛି ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ନିର୍ବାଚନ କମିସନରଙ୍କ ପରାମର୍ଶଦାତା ଡ. ଭଗବାନ ପ୍ରକାଶ କହିଲେ, ଯେଉଁଠି ଖଣି ସେଇଠି ଦାରିଦ୍ର୍ୟ। ଆମେରିକା ଭଳି ଉନ୍ନତ ରାଷ୍ଟ୍ର ଷ୍ଟ୍ରାଟେଜିକ ରିଜର୍ଭ କରିବାରେ ବ୍ୟସ୍ତ ଥିବା ବେଳେ ଆମେ ଖଣିଜ ରପ୍ତାନୀ କରି ସମ୍ବଳ ସାରି ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିବାକୁ ପଥ ପ୍ରସ୍ତୁତ କରୁଛୁ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜଗଦାନନ୍ଦ, ଖଣିଜ ମନ୍ତ୍ରାଳୟର ପ୍ରକଳ୍ପ ଅଧିକାରୀ ଅବନିଶ ମିଶ୍ର, ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ମୁରଲୀ ଶର୍ମା, ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସର ସହଯୋଗୀ ପ୍ରଫେସର ବିଭୂପ୍ରସାଦ ନାୟକ, ସେଣ୍ଟର ଫର୍‌ ସାଇନ୍‌ସ ଆଣ୍ଡ୍‌ ଏନ୍‌ଭର୍ନ୍‌ମେଣ୍ଟ୍‌ର ଶ୍ରେଷ୍ଠା ବାନାର୍ଜୀ, ସ୍ତମ୍ଭକାର ପ୍ରଭାସ ମିଶ୍ର, ଏକେଏସ୍‌ ବିଶ୍ୱବିଦ୍ୟାଳୟର ଡିନ୍‌ ଜ୍ଞାନୀନ୍ଦ୍ର କୁମାର ପ୍ରଧାନ, ପରିବେଶବିତ୍‌ ବିଶ୍ୱଜିତ ମହାନ୍ତି, ଅନୁରାଗ ଦେଓ୍ଵାନ ଓ ସୀମାଚଳ ମିଶ୍ର ପ୍ରମୁଖ ବିଭିନ୍ନ ଅଧିବେଶନରେ ଜିଲ୍ଲା ଖଣିଜ ପାଣ୍ଠିର ସ୍ଥିତି ଓ କାର୍ଯ୍ୟକାରିତା ସମ୍ପର୍କରେ ମତ ରଖିଥିଲେ। ‘ଭୂମି’ର ସମ୍ପାଦକ ସତ୍ୟବ୍ରତ ପଣ୍ଡା ଓ ସହଯୋଗୀ ସମ୍ପାଦିକା ଡ.ରୀନା ରାଉତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର