୮୦ ଲକ୍ଷ ଟଙ୍କା ଚୋରି କରି ପାପ ଧୋଇବାକୁ ଦାନପୁଣ୍ୟ କରୁଥିବା ଚୋର ଗିରଫ

ବୃନ୍ଦାବନ: ଦକ୍ଷିଣ ମୁମ୍ବାଇ ଭୁଲେଶ୍ୱର ଠାରେ ଥିବା ଗୋଟାଏ କୋରିୟର୍‌ ଫାର୍ମର ଜଣେ କର୍ମଚାରୀ ମାତ୍ରାଧିକ ଦାନପୁଣ୍ୟ କରି ପୁଲିସର ସନ୍ଦେହ ଚକ୍ଷୁକୁ ଆସି ମନ୍ଦିରମାଳିନୀ ନଗରୀ ବୃନ୍ଦାବନରୁ ଗିରଫ ହୋଇଛନ୍ତି। ଏପ୍ରିଲ୍‌ ୭ ତାରିଖ ଦିନ ସେ କର୍ମଚାରୀ କୁଆଡ଼େ ତାଙ୍କ ମାଲିକଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଚୋରାଇ ଆଣିଥିଲେ।

ମୁମ୍ବାଇ ପୁଲିସ ଖୋଜୁଥିବା ଅଭିଯୁକ୍ତ ୩୬ ବର୍ଷିୟ ରମେଶ ରାଓ୍ଵତ୍‌ଙ୍କୁ ମୁମ୍ବାଇ ଓ ମଥୁରା ପୁଲିସର ଏକ ମିଳିତ ଦଳ ଶନିବାର ଦିନ ବୃନ୍ଦାବନରୁ ଗିରଫ କରିଛନ୍ତି। ଗୁଜରାଟର ମୂଳବାସିନ୍ଦାର ରାଓ୍ଵତ ଦୁଇ ବର୍ଷ ଧରି ଗୋଟାଏ କୋରିୟର୍‌ ସଂସ୍ଥାରେ ଚାକିରି କରିଥିଲେ।

ପୁଲିସ କହିଛି ରାଓ୍ଵାତ୍‌ଙ୍କର ମାତ୍ରାଧିକ ବଦାନ୍ୟତା ହିଁ ତାଙ୍କୁ ଧରା ପକାଇଲା। ପାପ କ୍ଷୟ କରିବାକୁ ଉଚ୍ଛନ୍ନ ହୋଇ ରାଓ୍ଵତ୍‌ ୨୦ ଦିନ ତଳେ ମନ୍ଦିରମାଳିନୀ ନଗରୀରେ ପହଞ୍ଚିବା ପରେ ୮ ଲକ୍ଷ ଟଙ୍କା ଖର୍ଚ୍ଚରେ ଗୋଟାଏ ଦାମିକା ଭଣ୍ଡାରର ଆୟୋଜନ କରି ଚୋରି ଟଙ୍କାରୁ ୮ ଲକ୍ଷ ଟଙ୍କା ବଣ୍ଟନ କରିଥିଲେ।

ତାଙ୍କ ଭଣ୍ଡାରକୁ ଯେଉଁ ଦୁଃସ୍ଥମାନେ ଯାଉଥିଲେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ଦାନ ପାଉଥିଲେ। ଏ କଥା ସମଗ୍ର ବନାରସ ସହରେ ଚହଳ ପକାଇ ଦେଲା। ସ୍ଥାନୀୟ ପୁଲିସମାନେ ବି ଆବାକାବା ହୋଇ ସେ କୁଆଡୁ ଆସିଛନ୍ତି ବୋଲି ଖୋଳତାଡ଼ କଲେ। ଗାଧୋଇଲାବେଳେ ଯମୁନା ନଦୀରେ ଅନେକ କୃଷ୍ଣଭକ୍ତ ବୁଡ଼ି ଯାଉଛନ୍ତି ଜାଣିବା ପରେ ଭକ୍ତମାନଙ୍କୁ ମାଗଣାରେ ନଈରେ ବୁଲାଇବାକୁ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ଷ୍ଟିମର୍‌ ଖରିଦ କରିଥିଲେ।

ଚୋରି କରିବା ପରେ ରାଓ୍ଵତ୍‌ କୋଲକାତା ଯାଇ ସେଠାରେ ଗୋଟାଏ ତାରକା ହୋଟେଲ୍‌ରେ ରହିଥିଲେ। ତା’ପରେ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲ୍‌ରେ ଅଳ୍ପ କିଛି ଦିନ ରହିଥିଲେ।

ଆତ୍ମୀୟମାନଙ୍କୁ ଫୋନ୍‌ କରିବାକୁ ସେ ଗୋଟାଏ ନୂଆ ସିମ୍‌ କିଣିବାରୁ ତାଙ୍କର ଠକାମି ଧରାପଡ଼ିଥିଲା। ତାଙ୍କ ଆତ୍ମୀୟମାନଙ୍କ କଲ୍‌ ଟ୍ରାକିଙ୍ଗ୍‌ କରୁଥିବା ମୁମ୍ବାଇ ପୁଲିସ ନୂଆ ସିମ୍‌କାର୍ଡରୁ କଲ୍‌ ଟ୍ରେସ୍‌ କରି ମଥୁରା ପୁଲିସ ସହ ଯୋଗାଯୋଗ କରିଥିଲେ।

ବୃନ୍ଦାବନ କୋଟଓ୍ଵାଲି ଷ୍ଟେସନ୍‌ ହାଉସ୍‌ ଅଧିକାରୀ ସୁବୋଧ କୁମାର ସିଂହ କହନ୍ତି, ତାଙ୍କ ଠାରୁ ପାଞ୍ଚଟି ଆପ୍ଲ୍‌ ଆଇଫୋନ୍‌, ୧୦. ୬୮ ହଜାର ଟଙ୍କା ଏବଂ ୧୨୦ ଗ୍ରାମ୍‌ ସୁନା ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର