ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ଡାକ୍ତର ପଦବି ପୂରଣ ପ୍ରସଂଗ : ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ରାଜ୍ୟର ବିଭିନ୍ନ ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟରେ ଅବ୍ୟବସ୍ଥା ଅଭିଯୋଗ ସଂପର୍କିତ ମାମଲାରେ ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି କେତେ ସଂଖ୍ୟକ ଡାକ୍ତର ପଦ ପୂରଣ କରାଯାଇଛି ଓ କେତେ ପଦବି ଏବେ ଖାଲି ପଡିଛି ସେ ପ୍ରସଂଗରେ ସେପ୍ଟେମ୍ବର ୨୩ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆବେଦନରେ ଦର୍ଶାଯାଇଥିବା ସମସ୍ତ ପ୍ରସଂଗରେ ବିସ୍ତୃତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ମାମଲାର ଶୁଣାଣି ସମୟରେ ଏହି ପ୍ରସଂଗରେ ସନ୍ତୋଷଜନକ ଜବାବ ଦାଖଲ କରାଯାଇ ନଥିଲା। ଏପରି ପରିସ୍ଥିତିରେ ସ୍ବାସ୍ଥ୍ୟ ସଚିବଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟ ଗୁଡିକରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ପୂରଣ କରାଯାଉନାହିଁ। ଫଳରେ ରୋଗୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦର୍ଶାଇ ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ଶ୍ରୀ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ସୂଚନାଯୋଗ୍ୟ ଜିଲା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଡିଥିବା ନେଇ ଆବେଦନକାରୀ ଦୃଷ୍ଟି ଆକର୍ଷଣ କରିବା ପରେ ହାଇକୋର୍ଟ ଓପିଏସସିକୁ ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର