ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଖୋର୍ଦ୍ଧା ଜିଲ୍ଲାରେ ୪ ବର୍ଷରେ ୬୦୦ ହିତାଧିକାରୀ ତ୍ରୁଟିପୂର୍ଣ୍ଣ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଶେଷତଃ ଗ୍ରାମାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଚଂଚକତାକୁ ନେଇ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ସମ୍ପର୍କରେ ସରକାରଙ୍କ ସୂଚନାରେ, ଖୋର୍ଦ୍ଧା ଜିଲ୍ଲାରେ ଯୋଜନା ଆରମ୍ଭରୁ ୨୬ହଜାର ୯୬୭ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଏହା ମଧ୍ୟରୁ ୧୯,୨୭୧ଟି ଆବେଦନ ହୋଇଥିଲା । ଆବେଦନର ବିଚାର କରାଯାଇ ୧୯୫୯୧ଟି ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୧୮୩୧୦ଟି ଗୃହ ନିର୍ମାଣ ଶେଷ ହୋଇଛି। ଏହା ମଧ୍ୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୮୩୨୩ଟି ଘର ସଂପୂର୍ଣ୍ଣ ହୋଇଥିବା ବେଳେ ୨୦୧୮-୧୯ରେ ୪୬୮୬, ୨୦୧୯-୨୦ରେ ୨୫୯୬, ୨୦୨୦-୨୧ରେ ୨୫୩୫ ଓ ୨୦୨୧-୨୨ରେ ଜୁଲାଇ ମାସ ସୁଦ୍ଧା ୧୫୩ଟି ଘର ସଂପୂର୍ଣ୍ଣ ହୋଇଛି ।

ତେବେ ହିତାଧିକାରୀଙ୍କ ଚୟନ ପରେ ଜିଆଇଏସ୍‌ ଟ୍ୟାଗିଂ ଓ ଜମାଖାତା ସଂଯୋଗୀକରଣରେ ୬୦୦ଟି ତ୍ରୁଟି ଥିବା ଧରାପଡ଼ିଛି। ତ୍ରୁଟି ଥିବା ଜମାଖାତାରୁ ୭୮ଟିକୁ ନାକଚ କରାଯାଇଛି। ଏହା ମଧ୍ୟରୁ ବେଗୁନିଆରୁ ସର୍ବାଧିକ ୫୪ଟି ଥିବା ବେଳେ ଖୋର୍ଦ୍ଧା ବ୍ଲକରୁ ୬, ବୋଲଗଡ଼ରୁ ୩, ବାଣପୁରରୁ ୯ ଓ ଅନ୍ୟ ବ୍ଳକରୁ ବଳକା ୬ଟି ତ୍ରୁଟିପୂର୍ଣ୍ଣ ଜମାଖାତାକୁ ଫ୍ରିଜ୍‌ କରାଯାଇଛି। ସେହିଭଳି ଚଳିତ ବର୍ଷ ବର୍ତମାନ ସୁଦ୍ଧା ଜଟଣୀରୁ ଗୋଟିଏ ଆବେଦନ ମିଥ୍ୟା ବୋଲି ଯାଂଚରୁ ଜଣାପଡ଼ିବା ପରେ ଆବେଦନକୁ ନାକଚ କରାଯାଇଥିବା ଜଣାଯାଇଛି।

ନିକଟରେ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଓଡ଼ିଶାର ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆବେଦନକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ହେବା ପାଇଁ ଅଯୋଗ୍ୟ ବୋଲି ଜଣାପଡ଼ିଥିଲା। ତେବେ ଏହାପୂର୍ବରୁ ୨୦୧୯-୨୦ ଓ ୨୦-୨୧ରେ ବେଗୁନିଆ ଓ ବୋଲଗଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଖୋଦ୍‌ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିବା ସହ ୩ଜଣ ପଂଚାୟତ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର