ଲକ୍‌ଡାଉନ୍‌ରେ ଘରୋଇ ହିଂସା: ୱାର୍କ-ଫ୍ରମ୍‌-ହୋମ୍‌ ପାଇଁ ୨୦% ମହିଳା ନିର୍ଯାତିତ

‌ମାନସିକ ରୋଗ ବିଶେଷଜ୍ଞ ସଂଘର ସର୍ଭେ ରିପୋର୍ଟ
ଘରେ ବି ସୁରକ୍ଷିତ ନୁହନ୍ତି ମହିଳା

ଭୁବନେଶ୍ବର : କରୋନା କାଳରେ ୱାର୍କ-ଫ୍ରମ୍‌-ହୋମ୍‌ ବା ଘରୁ ଅଫିସ୍‌ କାମ କରିବା, କର୍ମଜୀବୀ ମହିଳାଙ୍କ ପାଇଁ ବରଦାନ ବଦଳରେ ଅଭିଶାପ ପାଲଟିଛି। ୱାର୍କ-ଫ୍ରମ୍‌-ହୋମ୍‌‌ କରୁଥିବା ମହିଳାଙ୍କ ମଧ୍ୟରୁ ୨୦ ପ୍ରତିଶତ ମହିଳା ଘରୋଇ ନିର୍ଯାତନାର ଶିକାର ହୋଇଥିଲେ। ଅଫିସ୍‌ କାମ ପାଇଁ ମହିଳାମାନେ ଘରେ ଶିଶୁ, ବୟସ୍କଙ୍କ ଉପଯୁକ୍ତ ଯତ୍ନ ନେଇପାରୁନଥିବା ବେଳେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଏଇଥିରୁ ମହିଳା ହିଂସା ଜନ୍ମ ନେଇଛି। ମାନସିକ ରୋଗ ବିଶେଷଜ୍ଞ ସଂଘ ପକ୍ଷରୁ ସର୍ବଭାରତୀୟସ୍ତରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୋଭିଡ୍‌ ଜନିତ ଲକ୍‌ଡାଉନ୍‌ ସମୟରେ ଘରୋଇ ମହିଳା ହିଂସାକୁ ନେଇ ସଂଘ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

୨୦ଜଣ ମାନସିକ ରୋଗ ବିଶେଷଜ୍ଞ ମିଳିତ ଭାବେ ସର୍ବଭାରତୀୟ ସ୍ତରରେ ଏହି ଗବେଷଣା କରିଥିଲେ। ଏଥିରେ ଏମ୍ସ ଭୁବନେଶ୍ବରର ଦେବଦତ୍ତାଙ୍କ ସମେତ ଓଡ଼ିଶାର ପ୍ରମୁଖ ମନସ୍ତତ୍ବବିତ୍‌ ରହିଥିଲେ। ସମୁଦାୟ ୬୫୪ ମହିଳାଙ୍କୁ ନେଇ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ, ୧୮.୧ % ମହିଳା ନିଜ ସାଥୀଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିଲେ। ଏଥିମଧ୍ୟରୁ ୧୩.୬ % ଲକଡାଉନ୍‌ ପୂର୍ବରୁ, ୪ % ଲକଡାଉନ୍‌ ପ୍ରାଥମିକ ପର୍ଯ୍ୟାୟରେ। ୭୭ % ମହିଳାଙ୍କ ଅନୁଭୂତି, ଲକଡାଉନ୍‌ ଅବଧି ସହ ତାଳ ଦେଇ ନିର୍ଯାତନା ବଢ଼ିଥିଲା।

Navbharat Times

ନିର୍ଯାତନାର ବିଭିନ୍ନ କାରଣ ବିଷୟରେ ବି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୬୦ ପ୍ରତିଶତ ଆର୍ଥିକ (ବିଶେଷକରି ଚାକିରି ହରାଇବା ଯୋଗୁଁ ୨୬.୨ %), ୨୩.୮ % ଘରେ ଅତ୍ୟଧିକ ସମୟ ଅତିବାହିତ ଯୋଗୁଁ, ୧୭.୮ % ଶିଶୁ ଯତ୍ନର ଦାୟିତ୍ବ ନେବା, ୧୪.୮ % ବରିଷ୍ଠଙ୍କ ସେବାର ଦାୟିତ୍ବ ନେବା, ୧୧.୯ % ନିଶାଜନିତ କାରଣରୁ ନିର୍ଯାତିତ ହୋଇଥିଲେ। ନିର୍ଯାତନାର ଶିକାର ଅନ୍ୟ ମହିଳାଙ୍କ ମଧ୍ୟରେ ୩୪.୭% ଶାରୀରିକ, ୧୦.୯ % ଯୌନ, ୬୫.୩ % ମୌଖିକ ଏବଂ ୪୩.୬ % ଆବେଗିକ (ଇମୋସନାଲ) ଅତ୍ୟାଚାରର ଶିକାର ହୋଇଥିଲେ। ନିର୍ଯାତନା ଯୋଗୁଁ ୧୨.୯ % ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ପଡ଼ିଛି। ୭୬.୨ % ମାନସିକ ଭାବରେ ଗଭୀର ଆଘାତ ପାଇଛନ୍ତି। ଏହାର ପରିଣାମ ସ୍ବରୂପ ୩୬ % ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି, ୩୨.୭ % ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ନିର୍ଯାତନା ଶିକାର ହୋଇଥିଲେ ମଧ୍ୟ ଖୁବ୍‌ କମ୍‌ ମହିଳା ପୁଲିସର ସହାୟତା ଲୋଡ଼ିଥିଲେ। ଏ ସଂପର୍କରେ ଭୁବନେଶ୍ବର ଏମ୍‌ସର ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ. ଦେବଦତ୍ତା ମହାପାତ୍ର କହିଛନ୍ତି ଯେ କୋଭିଡ କଟକଣା ସମୟରେ ନୈତିକତାର ଦ୍ବନ୍ଦ୍ବ ନୂତନ ପ୍ରକାର ହିଂସାର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର