ଦାସ ହେବାନି, ନିଜ ନିୟନ୍ତ୍ରଣରେ ରହିବା: ରାଜ୍ୟପାଳ

ଜୟପୁର : ‘ମୁଁ ଓ ମୋର’ ବିବାଦ ବଢ଼ାଏ, ମୃତ୍ୟୁର କାରଣ ସାଜେ। ମୋର ନୁହେଁ, ତେଣୁ କୌଣସି ବିବାଦର ଅବକାଶ ନଥାଏ। ଏହା ହିଁ ଅମୃତ। ସ୍ବାଧୀନତା ମାନେ ଆମେ କାହାର ବନ୍ଦୀ ନୁହଁ। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନର ଏହା ହିଁ ପ୍ରକୃତ ଉଦ୍ଦେଶ୍ୟ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଶ୍ରୀ ଅରବିନ୍ଦଙ୍କ ଉକ୍ତିକୁ ନେଇ ପୁଣି ରାଜ୍ୟପାଳ କହିଥିଲେ, ଦେଶ କେବଳ ନଦୀ, ପାହାଡ଼ ଓ ମଣିଷଙ୍କୁ ନେଇ ଗଠନ ହୋଇନାହିଁ। ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶ ଜୀବନ୍ତ ଦେବୀ। ସେ ଆଦିଶକ୍ତି। ତେଣୁ ବିଶ୍ବରେ କେବଳ ଓଡ଼ିଶାରେ ହିଁ ରଜୋତ୍ସବ ପାଳନ ହେଉଛି। ସେ ଭିନ୍ନ ରୂପ ଏବଂ ସ୍ବରୂପରେ ରହିଛନ୍ତି। ଓଡ଼ିଶାରେ ଶ୍ରୀ ଜଗନ୍ନାଥ, ଦ୍ବାରିକାରେ ଦ୍ବାରିକାଧୀଶ, କେଦାରନାଥ, ବଦ୍ରିନାଥ ଏବଂ ରାମେଶ୍ବରରେ ସେହି ମହାଶକ୍ତି ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି। ସେ ଆମକୁ ସୃଷ୍ଟି କରିଛନ୍ତି। ତେଣୁ ଆମେ ସମସ୍ତେ ତାହାର ଜଣେ ଜଣେ ସନ୍ତାନ।

ରାଜ୍ୟପାଳଙ୍କ ପରାମର୍ଶକ୍ରମେ ତଥା ରାଜ୍ୟ ସରକାରଙ୍କ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ସ୍ଥାନୀୟ ଅରବିନ୍ଦ ନଗର ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ପ୍ରତିଯୋଗୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭାବ ବିନିମୟ କରିଥିଲେ। ସମ୍ବୋଧନ କରିବା ବଦଳରେ ପିଲାଙ୍କୁ ପ୍ରଶ୍ନ ପଚାରି ଉତ୍ତର ଜାଣିବାକୁ ଚାହିଥିଲେ। ପରବର୍ତ୍ତୀ ସମୟରେ ପଚାରିଥିବା ପ୍ରଶ୍ନର ବିଶେଷ୍ଳଣ କରି ଦୁନିଆରେ କହିଥିଲେ, କେହି କାହାର ଦାସ ନ ରୁହନ୍ତୁ। ମୋର ଉପରେ କାହାର ଅଧିକାର ନ ରହୁ। ‌ମୋର ଉପରେ କାହାର ନିୟନ୍ତ୍ରଣ ମୁଁ ଚାହେ ନାହିଁ। ମୁଁ ନିଜେ ନିଜର ନିୟନ୍ତ୍ରଣ କରିପାରିବି, ଅନ୍ୟର ନିୟନ୍ତ୍ରଣର ଆବଶ୍ୟକତା ନାହିଁ ବୋଲି ଉଦ୍‌ବୋଧନ ଦେଇଥିଲେ। ମାନବତା ମୋର ଧର୍ମ। ମୋର ଜାତି ମଣିଷ ଅଟେ, ମୋର ଧର୍ମ ମାନବିକତା, ମୋର ଦେଶ ଅଖଣ୍ଡ ବିଶ୍ବ, ମୋର ଠାକୁର ଜଗନ୍ନାଥ ଅଟନ୍ତି। ଏହାହେଉଛି ସନାତନ ଧର୍ମ। ମୁଁ ହିଁ ଆଦିଶକ୍ତିର ପୁତ୍ର ଓ କନ୍ୟା, ଏଥିରେ ସାନ ବଡ଼ ବୋଲି କିଛି ନାହିଁ ବୋଲି ପ୍ରକାଶ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ପୌରପାଳିକାର ରାଜସ୍ବ ନିରୀକ୍ଷକ ଅଶ୍ବିନୀ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଶାସନ, ପୁଲିସ, ‘ସମ୍ବାଦ’ ଜୟପୁର ସଂସ୍କରଣର ସମସ୍ତ କର୍ମଚାରୀ ଓ ଅରବିନ୍ଦ ନଗର ସ୍ବରସ୍ବତୀ ବିଦ୍ୟାମନ୍ଦିର କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର