ଡାକ୍ତର ମନୋରଞ୍ଜନ ମହାପାତ୍ରଙ୍କ ପରଲୋକ

କଟକ : ବରିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ମନୋରଞ୍ଜନ ମହାପାତ୍ରଙ୍କ (୮୩)ର ପରଲୋକ ଘଟିଛି। ଦୁଇଦିନ ତଳେ ସେ ଆହତ ହୋଇ ଚିକିତ୍ସିତ ହେଉଥିଲା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। କଟକ ରାଣୀହାଟସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ, ଝିଅ, ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଡାକ୍ତର ମହାପାତ୍ରଙ୍କ ପରିବାର ଚାରି ପିଢ଼ି ଧରି ଚିକିତ୍ସା କ୍ଷେତ୍ରରେ ସେବା ଯୋଗାଇ ଆସୁଛନ୍ତି। ତାଙ୍କର ପୁଅ ସୁବ୍ରତ ମହାପାତ୍ର ଓଡିଶା ହାଇକୋର୍ଟରେ ଆଇନଜୀବୀ, ଝିଅ ଡାକ୍ତର ପ୍ରଜ୍ଞାନ ପାତ୍ର ୟୁଏସ୍‌ଏରେ ସିନିୟର ମେଡିସିନ୍‌ କନସଲ୍‌ଟାଣ୍ଟ, ପୁଅ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ହାଇଟେକ୍‌ ମେଡିକାଲ କଲେଜରେ କାର୍ଯ୍ୟରତ ଅଛନ୍ତି। ଏଥିସହ ତାଙ୍କର ବୋହୂ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସ୍ବରୂପା ପଣ୍ଡା ଏସ୍‌ସିବିରେ ପେଡିଆଟ୍ରିକ୍‌ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଚଳଚଞ୍ଚଳ ରହି ରୋଗୀସେବା କରି ଆସୁଥିଲେ। ସେ ୧୯୬୬ରେ ଏସ୍‌ସିବିରୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସାରିବା ପରେ ୧୯୬୮ରେ ପାଟଣାରୁ ଅର୍ଥୋପେଡିକରେ ମାଷ୍ଟର ଡିଗ୍ରି କରିଥିଲେ। ସେ ଆଇଏମ୍‌ଏର ଓଡ଼ିଶା ଶାଖା ସଭାପତି, ଓଡ଼ିଶା ଅର୍ଥୋପେଡିକ ଆସୋସିଏସନ୍‌ ସଭାପତି ଓ କଟକ କ୍ଲବ୍‌ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏଥିସହ ଓମ୍‌ଟା, ଲାୟନ୍ସ କ୍ଲବ୍‌ ଭଳି ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ଓମ୍‌ଟା ରାଜ୍ୟ ସଭାପତି ତଥା କଟକ କ୍ଲବ୍‌ ସଭାପତି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ସଂପାଦକ ଡାକ୍ତର ଦୀପକ ରଞ୍ଜନ ଦାସ, ପ୍ରଫେସର ଡାକ୍ତର ନିର୍ମଳ ମହାପାତ୍ରଙ୍କ ସମେତ ବହୁ ଚିକିତ୍ସକ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର