ଦୂଷିତ କୂଅ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ଶୋଷ

ରାଉରକେଲା : ସକାଳ ହେଲେ ଗାଁରେ ମହିଳାମାନେ ହାତରେ ଗରା, ଡେକଚି ଆଦି ଧରି ବାହାରିଯାଆନ୍ତି। ସିଏ ପୁଣି ଗାଁ ଠାରୁ ଅଧ କିଲୋମିଟର ଦୂର ଏକ କୂଅକୁ। କୂଅଟି ଖୋଳା ଯାଇଥିଲା ଚାଷ ଜମିକୁ ପାଣି ଯୋଗାଇବାକୁ। କିନ୍ତୁ ଏବେ କାମରେ ଲାଗୁଛି ଗ୍ରାମବାସୀଙ୍କ ଜଳ ବ୍ୟବହାରରେ। ଦୈନିକ ଏମିତି ଚିତ୍ର ଦେଖିବାକୁ ମିଳୁଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଅଂକୁରପାଲି ପଂଚାୟତର ଚୁଟିଆ ଗ୍ରାମରେ। ମାସ ମାସ ଧରି ଗ୍ରାମବାସୀମାନେ ଏଭଳି ସମସ୍ୟା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ପାଖରେ କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ ସମୟ ନାହିଁ।

ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ପରିଯୋଜନା (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧି ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟୁଛନ୍ତି। ଏଠି କିନ୍ତୁ ଗ୍ରାମବାସୀ କୂଅର ଗୋଳିଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଗ୍ରାମରେ ଯେଉଁ ଚାପା କଳ ଅଛି ତା’ କାମ କରୁନାହିଁ । ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ବି କାମରେ ଆସୁନି। ମାସ ମାସ ଧରି ଅଚଳ ହୋଇ ପଡିଥିଲେ ହେଁ କେହି ଶୁଣିବାକୁ ନାହାନ୍ତି । ଫଳରେ ବାଧ୍ୟ ହୋଇ ଗ୍ରାମର ମହିଳାମାନେ ପାଣି ଆଣିବାକୁ ଯାଉଛନ୍ତି ଗାଁ ବାହାର କୂଅକୁ। ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଲାଗି ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ଏହି ଯୋଜନା ଗୁଡିକର ସଫଳ ରୂପାୟନ ଏମାନଙ୍କ ନିକଟରେ ପହଞ୍ଚିପାରୁ ନାହିଁ। କେବଳ ଏହି ଗୋଟିଏ ଗାଁ ନୁହେଁ ସୁନ୍ଦରଗଡ ଜିଲ୍ଲାର ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ମଧ୍ୟ ଲୋକଙ୍କୁ ବିଶୁଦ୍ଧପାନୀୟ ଜଳ ସ୍ବପ୍ନ।

ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କହୁଛି ଜିଲ୍ଲାର ୧୭ ବ୍ଲକର ପ୍ରତ୍ୟେକ ଗାଁର ନଳକୂପ ଠିକ୍ ଅଛି। ବସୁଧା ଯୋଜନାରେ ଓଭର ହେଡ୍‌ ପାଣିଟାଙ୍କି ଠିକ୍‌ ଚାଲିଛି। ଗାଁ ଓ ବସ୍ତିବାସିନ୍ଦା ପାଇପ ଯୋଗେ ବିଶୁଦ୍ଧ ପାଣି ପାଉଛନ୍ତି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ନୂଆଗାଁ ବ୍ଲକର ବଡଯୋଜଦା, ସାନଯୋଜଦା, ସୋରଡା, ଚିତାପେଡି, ବାଗଡେଗା ଅଞ୍ଚଳ ସହିତ ବଣାଇଁ ବ୍ଲକର କେନ୍ଦ୍ରିକଳା, ଗୋବିନ୍ଦପୁର, କେନାଭେଟା, ଜକେଇକେଲା, ଗୁରୁଗଡା; କୁଆରମୁଣ୍ଡା ବ୍ଲକର ନାଇକେନବାହାଲ, ତେଲିପୋଷ ଗିରିଜାଟୋଲି ଆଦିରେ ଅନେକ ନଳକୂପ ଖରାପ ହୋଇ ପଡ଼ିଛି। ଲହୁଣିପଡା ଓ କୋଇଡା ବ୍ଲକରେ ମଧ୍ୟ ସମାନ ସ୍ଥିତି। ଉଲ୍ଳେଖନୀୟ ଯେ ଏସବୁ ନଳକୂପ ସଂପୃକ୍ତ ବ୍ଲକର ପ୍ରମୁଖ୍ ସ୍ଥାନମାନଙ୍କରେ ଅବସ୍ଥିତ। ଅଭ୍ୟନ୍ତରର ଗାଁଗୁଡ଼ିର ସ୍ଥିତି କ’ଣ ହେଉଥିବ, ଏଥିରୁ ଅନୁମେୟ। ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ୪ରୁ୫ଟି ନଳକୂପ ମାସ ମାସ ଧରି ଅକାମୀ ହୋଇ ପଡିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ବିଭାଗର ଦୃଷ୍ଟି ପଡୁନାହିଁ। ପ୍ରତ୍ୟେକ ନଳକୂପ ବସାଇବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦେଢ଼ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଏସବୁ ନଳକୂପ ବସାଯାଉଛି। କିନ୍ତୁ ଠିକା ସଂସ୍ଥାଙ୍କ କାମର ଉଚିତ ଯାଞ୍ଚ ନକରି ସେମାନଙ୍କୁ ଯାହିତାହି କାମ ସାରିବାର ସୁଯୋଗ ଦିଆ ଯାଉଛି। ଫଳରେ ଅନେକ ନଳକୂପ ପ୍ରଥମରୁ କାମ କରୁନାହିଁ ବା ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇ ପଡୁଛି।

Bedfordview Edenvale News

ରାଉରକେଲା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ବିଶ୍ରା, ବଣାଇଗଡ, ଗୁରୁଣ୍ଡିଆ, କୋଇଡା, କୁଆରମୁଣ୍ଡା, ଲହୁଣିପଡା, ଲାଠିକଟା, ନୂଆଗାଁ ଆଦି ୮ଟି ବ୍ଲକରେ ମୋଟ୍‌ ୧୩ ହଜାର ୭୬୮ଟି ନଳକୂପ ବସାଯାଇଛି। ବିଶ୍ରା ବ୍ଲକର ୧୭ଟି ପଞ୍ଚାୟତରେ ୧୬୭୯, ବଣାଇଗଡ ବ୍ଲକର ୧୩ଟି ପଞ୍ଚାୟତରେ୧୪୮୬, ଗୁରୁଣ୍ଡିଆର ୧୩ଟି ପଞ୍ଚାୟତରେ ୧୪୭୬, କୋଇଡାର ୧୫ଟି ପଞ୍ଚାୟତରେ ୧୩୪୧ଟି ନଳକୂପ ବସାଯାଇଛି। ସେମିତି କୁଆରମୁଣ୍ଡା ବ୍ଲକର ୨୦ଟି ପଞ୍ଚାୟତରେ ୨୦୯୪, ଲହୁଣୀପଡା ବ୍ଲକର ୧୭ଟି ପଞ୍ଚାୟତରେ ୧୯୦୦, ଲାଠିକଟାର ୧୮ଟି ବ୍ଲକର ୧୯୯୬ ଓ ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତରେ ୧୯୭୯ଟି ନଳକୂପ ବସାଯାଇଛି। ଗୋଟିଏ ନଳକୂପକୁ ପିଛା ହାରାହାରି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏମିତି ମୋଟ୍‌ ୧୩ ହଜାର ୭୬୮ ନଳକୂପ ବସାଇବାରେ ପ୍ରାୟ ୨୭୫ ‌କୋଟି ୩୬ ଲକ୍ଷ ଟଙ୍କା ବିଭିନ୍ନ ପାଣ୍ଠିରୁ ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର