ହୀରାକୁଦ ଜଳଭଣ୍ଡାର ଥିବା ଜିଲ୍ଲାରେ ମରୁଡ଼ି!

୩୫ ପ୍ରତିଶତ ଜଳସେଚନ ଏବେ ବି ସ୍ବପ୍ନ, ୨୦୦୯ ନିର୍ବାଚନ ପୂର୍ବରୁ ଘୋଷିତ ପ୍ରକଳ୍ପ ଏବେ ଆରମ୍ଭ

ସମ୍ବଲପୁର : ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି। ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଥିବାବେଳେଏହି ଜିଲ୍ଲାର ସର୍ବମୋଟ ଚାଷଜମିର ମାତ୍ର ୩୨ ପ୍ରତିଶତ ଅଂଚଳ ଜଳସେଚିତ ହୋଇପାରୁଥିବା କୁହାଯାଇଛି।

ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ହୀରାକୁଦ ଜଳଭଣ୍ଡାରର ପାଣିରେ କେବଳ ପୂରା ଧନକଉଡ଼ା ଓ ମାନେଶ୍ବର ବ୍ଲକ୍‌ ଜଳସ‌ସେଚିତ ହେଉଛି। ହୀରାକୁଦ କମାଣ୍ଡ ଏରିଆ ଅଧୀନରେ ଥିଲେ ବି ଯୁଯୁମୁରା, ରେଂଗାଲି ଓ ଜମନକିରା ବ୍ଲକ୍‌ର ସୀମିତ ଅଂଚଳକୁ ହୀରାକୁଦ ପାଣି ମାଡ଼ୁଛି। ମାତ୍ର, ବିଭିନ୍ନ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଂଚି ପାରୁନାହିଁ। ଜଳାଭାବ ଯୋଗୁ ଚାଷୀମାନେ କୌଣସି ଉପାୟରେ ଖରିଫ ଫସଲ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଅବଶ୍ୟ, ଇତିମଧ୍ୟରେ ଅଳ୍ପ କିଛି ଜମି ବିଭିନ୍ନ ଉପାୟରେ ଜଳସେଚିତ ହେଉଛି। ବୃହତ୍ ଜଳସେଚନ ପ୍ରକଳ୍ପ ଜରିଆରେ ଯେତିକି ପରିମାଣର ଜମି ଜଳସେଚିତ ହେଉଥିବା ହିସାବକୁ ନିଆଯାଉଛି, ବାସ୍ତବରେ ସେତିକି ଜମି ଜଳସେଚିତ ହେଉ ନାହିଁ।

ଅନ୍ୟପକ୍ଷରେ, ଜିଲ୍ଲାର ଶିଳ୍ପବିହୀନ ଓ ଆଦିବାସୀ ବହୁଳ ଉପଖଣ୍ଡ କୁଚିଣ୍ଡା ଅଂଚଳର ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେ ହେଁ ତାହା ବିଭିନ୍ନ କାରଣରୁ ବିଳମ୍ବ ହେବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରୁ କୁଚିଣ୍ଡା ପାଖ ଚଇତ୍ରାଠାରେ ଭେଡେନ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପ୍ରସ୍ତାବ ରହିଥିଲେହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଡ଼େନ ଓ ଖର୍ଲା ନଦୀ ଉପରେ ଅନେକ ବ୍ୟାରେଜ ତଥା ପୋଲ ନିର୍ମାଣ ପାଇଁ ବୁଦୁଲାପାଲିଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଥିରୁ ବୁଦୁଲାପାଲିଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ଟେଣ୍ଡର ହୋଇଥିଲେ ବି ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା। ଗତ ୨୦୨୧ ମସିହାରେ ପୁଣି ବୁଢାରଜା, କିରାଶାସନ, ଜନକଡ଼ିହିଠାରେ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଥିଲା। କେଇଦିନ ତଳେ ଏହାର କାମ ଆରମ୍ଭ ହୋଇଛି। ସଇଡ଼ା ପ୍ରକଳ୍ପ ପାଇଁ ଥରେ ଟେଣ୍ଡର ବାତିଲ ହେବାପରେ ଏବେ ପୁଣିଥରେ ନୂଆ କରି ଟେଣ୍ଡର ଡକାଯାଇଛି। ଶଗଡ଼େଶ୍ବର ନାଳା ଓ ଶଙ୍ଖଭାଙ୍ଗୁଣି ନଦୀ ଉପରେ ଡ୍ୟାମ ନିର୍ମାଣ ପ୍ରସ୍ତାବ ବି କେତେକ କାରଣରୁ ଅଟକି ରହିଛି। ସରକାର ଚାଷୀଙ୍କ ଦାବିକୁ ଅଣଦେଖା କରିବାରୁ ଅତୀତରେ ସେମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ସେହିଭଳି, ରେଢ଼ାଖୋଲ ଉପଖଣ୍ଡରେ ମରୁଡ଼ି ଚିର ସହଚର। କିଛି ବର୍ଷ ତଳେ ଚିରସ୍ରୋତା ଚମ୍ପାଳି ଜୋର ଡ୍ୟାମ୍ ନିର୍ମାଣ ପାଇଁ ସର୍ଭେ ହୋଇଥିଲା। ମାତ୍ର, ସେହି ପ୍ରକଳ୍ପକୁ ଶୀତଳଭଣ୍ଡାରରେ ପଡ଼ିରହିଛି। ରେଢ଼ାଖୋଲ ଉପଖଣ୍ଡରେ ସରକାରୀ ତଥ୍ୟ ଅନୁସାରେ ୮୬ଟି ଚେକ୍‌ ଡ୍ୟାମ ରହିଥିଲେହେଁ ନିମ୍ନମାନର କାମ ଯୋଗୁ ବାସ୍ତବରେ ମାତ୍ର ୧୫/୧୭ଟି ଚେକ୍‌ ଡ୍ୟାମ୍‌ ଚାଷୀମାନଙ୍କ କାମରେ ଆସୁଛି। କେରାଣ୍ତି ଯୋର ଡ୍ୟାମ୍ ରକ୍ଷଣାବେକ୍ଷଣ ଆବଶ୍ୟକତା ରହିଛି। ଜିଲ୍ଲାରେ କ୍ଷୁଦ୍ରଜଳସେଚନ ବିଭାଗ ଜରିଆରେ ଚେକ୍ ଡ୍ୟାମ୍ ନିର୍ମାଣରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହେଉଛି। ଅନ୍ତତଃପକ୍ଷେ ଖରିଫ ଧାନ ଫସଲ ବଞ୍ଚାଇବା ନିମନ୍ତେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିବା ବେଳେ ଅଧିକାଂଶ ଚେକ୍ ଡ୍ୟାମ୍‌ ଉଦ୍ଦେଶ୍ୟ ସାଧନରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର