ଉତ୍ତର ଓଡ଼ିଶାରେ ମୃଦୁ ଭୂମିକମ୍ପ; ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମବଙ୍ଗର ହୁଗୁଲି

ବାଲେଶ୍ୱର/ବାରିପଦା: ଉତ୍ତର ଓଡ଼ିଶାରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ। ବାଲେଶ୍ୱର, ବାରିପଦା ଓ ଭଦ୍ରକ ଜିଲ୍ଲାରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି। ସଂଧ୍ୟା ୬.୪୦ରୁ ୬.୪୨ ମିନିଟ ଭିତରେ ଏହି ଭୂକମ୍ପ ହୋଇଛି । ମାତ୍ର ୩୦ ସେକେଣ୍ଡ ଲାଗି ଭୂକମ୍ପ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି କି ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମବଙ୍ଗର ହୁଗୁଲି ଓ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା। ଭୂଗର୍ଭର ୧୦ କିଲୋମିଟର ତଳେ ଭୂଚଳନ ଫଳରେ ଏହି ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ବାହାରେ ଥିବା ଲୋକମାନେ ଭୂମିକମ୍ପକୁ ଅନୁଭବ କରିପାରି ନ ଥିବା ବେଳେ ଘର ଭିତରେ ଥିବା ଲୋକେ ଝଟକାକୁ ଅନୁଭବ କରିପାରିଥିଲେ। ଫଳରେ ସେମାନେ ଭୟଭୀତ ହୋଇ ଚିତ୍କାର କରି ବାହାରକୁ ଚାଲି ଆସିବା ଦେଖା ଯାଇଥିଲା। ଯେହେତୁ ଭୂକମ୍ପର ତୀବ୍ରତା ଅଧିକ ନ ଥିଲା ତେଣୁ ଏ ଯାବତ୍‌ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମ ବାରିପଦା ପ୍ରତିନିଧି ଜଣାଇଛନ୍ତି କି, ଗତକାଲି ରାତି ୧୦.୦୪ ଓ ୧୦.୧୦ରେ ବାରିପଦା ସହରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର