ବଙ୍ଗାଳା ଭାଷାରେ ପାଠ ପଢାଯିବା ଘଟଣାରେ ବିଜେପି କହିଲା- ବଙ୍ଗାଳୀ ବିଜେଡି ନେତା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଗାମୀ ଦିନରେ ବିଦ୍ୟାଳୟଗୁଡିକରେ ବଙ୍ଗାଳୀ ଭାଷାରେ ପାଠ ପଢାଯିବା ନେଇ ଗତ ଦୁଇ ଦିନ ତଳେ ବିଜେଡି ବଙ୍ଗାଳୀ ନେତାମାନେ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ନିର୍ଦେଶ ଦେଇଥିବା ନେଇ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଡିଇଇର ନିର୍ଦେଶକଙ୍କ ଚିଠି ସଂଖ୍ୟା ୧୯୮୪୦/୪.୧୧.୨୦୨୨ କୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଚିଠିରେ ବଙ୍ଗାଳୀ ଗ୍ରାମଗୁଡିକରେ ଥିବା ବିଦ୍ୟାଳୟଗୁଡିକରେ ବଙ୍ଗାଳୀ ଭାଷାରେ ପାଠ ପଢାଇବା ନେଇ କୌଣସି ନିର୍ଦେଶ ନଥିବା ବେଳେ ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କୁ ଭୁଲ ତଥ୍ୟ ଦେଇ ରାଜ୍ୟ ସରକାର ଚକ୍ରାନ୍ତ କରି ପ୍ରଶଂସା ସାଉଟିବାରେ ବ୍ୟସ୍ତ ରହିଥିବା ଆଜି ବିଡେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ବଙ୍ଗାଳୀ ବିଦ୍ୟାଳୟଗୁଡିକରେ ବଙ୍ଗାଳୀ ପାଠ ପଢାଇବା ଏକ ପ୍ରକାର ବନ୍ଦ ହୋଇଯାଇଛି।ଏହାକୁ ପୁନଃ ପ୍ରଚଳନ କରିବା ପାଇଁ ସେତେବେଳର ବିଧାୟକ ଅରବିନ୍ଦ ଢାଲି, ନିମାଇ ସରକାର ଏବଂ ବର୍ତ୍ତମାନର ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଲଗାତାର ଦାବି କରିଆସୁଛନ୍ତି।ଏହି ବିଷୟରେ ୨୩ ବର୍ଷର ବିଜେଡି ସରକାର ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରାଯାଇଛି। କେବଳ ଔପଚାରିକତା ପାଇଁ ପ୍ରତିବର୍ଷ ଚିଠି ଜାରି କରି ବଙ୍ଗଳା ପଢିବାକୁ ଇଛୁକ ପିଲାଙ୍କ ସଂଖ୍ୟା ନିଆଯାଉ ବୋଲି ଜଣାଯାଉଛି। ଏଥିସହ ବଙ୍ଗଳାରେ ବହି ମଧ୍ୟ ଆସୁଛି କିନ୍ତୁ ସେହି ସବୁ ବହିକୁ ଉଈ ଖାଉଛନ୍ତି। ଆଗାମୀ ନିର୍ବାଚନକୁ ଆଖିଆଗରେ ଲୋକଙ୍କୁ ଲୋଲିପପ ଦେଖାଉଛନ୍ତି।

ବିଜେପି ବଙ୍ଗାଳୀ ସଂପ୍ରଦାୟର ସାମ୍ବିଧାନିକ, ମୌଳିକ ଅଧିକାରକୁ ଅତି ଗମ୍ଭୀର ଓ ଗୁରୁତ୍ବପୂର୍ଣ୍ଣ ମନେ କରେ। ସେଥିପାଇଁ ମାଲକାନଗିରି ବିଧାୟକ ଆଦିତ୍ୟ ମାଝି ବିଧାନସଭାରେ ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାର ୨୧୩ଟି ବଙ୍ଗାଳୀ ଗ୍ରାମର ବିଦ୍ୟାଳୟରେ ବଙ୍ଗଳା ଭାଷାରେ ସାହିତ୍ୟ ପ୍ରଚଳନ କରିବା ପାଇଁ ପ୍ରଶ୍ନ ଉପସ୍ଥାପନ କରିଆସୁଛନ୍ତି। ଗତ ୨୦୧୯ ମସିହା ନଭେମ୍ବର ମାସର ୨୦ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀରର ଦାସ ପବିତ୍ର ଗୃହରେ ମିଥ୍ୟ ତଥ୍ୟ ରଖି ମାଲକାନଗିରି ଜିଲ୍ଲାରେ ବଙ୍ଗାଳୀ ଭାଷାରେ ପାଠ ପଢାଯାଉଥିବା କହିଥିଲେ। ବିଜେପି ପ୍ରତ୍ୟେକ ବିଦ୍ୟାଳୟରେ ବଙ୍ଗଳା ପାଠ୍ୟକ୍ରମ ଲାଗୁ କରିବା ନେଇ ଦାବି କରିଆସୁଛି ଏବଂ କରିବ। ଆଗାମୀ ନିର୍ବାଚନରେ ସେ ବିଜୟୀ ହେବା ପରେ ପ୍ରଥମେ ସେ ବଙ୍ଗଳା ଭାଷାରେ ପାଠ୍ୟକ୍ରମ ଆରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଭାପତି ଶ୍ରୀ ପାଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର