ବିନା ଶିକ୍ଷକରେ କି ଗୁଣାତ୍ମକ ଶିକ୍ଷା

ଭୁବନେଶ୍ୱର : ଅଧ୍ୟାପକ ହେବା ପାଇଁ ରାଜ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ। ସରକାରଙ୍କ ପାଖରେ ଅର୍ଥ ବି ଅଭାବ ନାହିଁ। କିନ୍ତୁ ନିଯୁକ୍ତି ପାଇଁ ବାଟ ଓଗାଳୁଛି କିଏ ?

ଶିକ୍ଷା ବିନା ରାଜ୍ୟର ପ୍ରଗତି ଅସମ୍ଭବ। ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟର ବିକାଶ ନିର୍ଭର କରେ। ସରକାର କହୁଛନ୍ତି ଯେ ଗୁଣାତ୍ମକ ଶିକ୍ଷା ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଯେଉଁଠି ଦେଖିବ, ସେଠି ଶିକ୍ଷକ ନାହାନ୍ତି। ବିନା ଶିକ୍ଷକରେ କି ଗୁଣାତ୍ମକ ଶିକ୍ଷା ଦିଆଯିବ ?

ଗୁଣାତ୍ମକ ଶିକ୍ଷା କଥା ତ ଚିନ୍ତା କରୁନ। କିନ୍ତୁ ପ୍ରତି କଲେଜରେ ରାଜନୀତି ପୂରାଇବାକୁ ହୀନ ଉଦ୍ୟମ କରୁଛ। ଶାସକ ଦଳ ନେତାଙ୍କୁ ପରିଚାଳନା କମିଟି ସଭାପତି ରଖିବା ପାଇଁ ସବୁ ଫନ୍ଦି କରିବାରେ ହେଳା କରୁନ।

ଆଜି ବିଧାନସଭାରେ ଏମିତି ପ୍ରଶ୍ନ ପଚାରି ଉଚ୍ଚଶିକ୍ଷା ବିଭାଗ ଓ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ ବିରୋଧୀ ଦଳ ସଭ୍ୟମାନେ। ଶିକ୍ଷକ ଅଭାବ ନେଇ ଶାସକ ଦଳ ସଭ୍ୟ ବି ଉଦ୍‌ବେଗ ପ୍ରକାଶ କରିଥିଲେ। ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ‘ଅଧ୍ୟାପକଙ୍କ ଅଭାବ ଓ ଆନୁଷଙ୍ଗିକ ଅବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଥିଲା।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଚ୍ଚଶିକ୍ଷା ବିଭାଗର ବିକଳ ସ୍ଥିତିକୁ ନେଇ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସେ କହିଥିଲେ, ସ୍ୱାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି ଯେ ଡାକ୍ତର ଅଭାବ ଅଛନ୍ତି, ନିଯୁକ୍ତି କରିବୁ କିପରି। ଏହା କିଛିକାଂଶରେ ସତ। କିନ୍ତୁ ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ଅସୁବିଧା କେଉଁଠି ? ଏଥି ପାଇଁ ଆମର ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ। ପ୍ରତି ବର୍ଷ ନିଯୁକ୍ତି ହେଉନି କାହିଁକି ? ସରକାର କେବଳ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି। ଏହା ଦୁର୍ଭାଗ୍ୟର ବିଷୟ। ବିଶ୍ୱବିଦ୍ୟାଳୟରେ ଶିକ୍ଷକ ସ୍ଥିତି ଆଶ୍ଚର୍ଯ୍ୟଜନକ ବିଷୟ। ୯୮୬ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ଖାଲି ପଡ଼ିଛି ୪୫୦। ଅର୍ଥାତ ପାଖାପାଖି ୫୦ ପ୍ରତିଶତ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦବି ପୂରଣ କରିବେ ବୋଲି କେବଳ ଚିଠି ଲେଖି ଉଚ୍ଚଶିକ୍ଷା ବିଭାଗ ବସିଯାଇଛି। କେବଳ ଶିକ୍ଷକ ନୁହଁନ୍ତି, ଅଣଶିକ୍ଷକ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା।

ବଲାଙ୍ଗୀର ମହିଳା କଲେଜ ଉଦାହରଣ ଦେଇ ଶ୍ରୀ ମିଶ୍ର କହିଲେ, ଗୃହ ବିଜ୍ଞାନରେ ତିନିଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ତିନିଟି ଫାଙ୍କାରେ। ଇଂରାଜୀରେ ୩ଟିରୁ ୨ଟି ପଦବି ଫାଙ୍କା। ରାଜେନ୍ଦ୍ର କଲେଜରେ ୬୫ରୁ ୩୯ ଫାଙ୍କା। ଏ କଲେଜ କିପରି ଚାଲିବ। ପାଠ ପଢ଼ାଇବ କିଏ। ମନ୍ତ୍ରୀ ନା ତାଙ୍କ ବିଭାଗ ? ସରକାର ପୁରସ୍କାର ପାଇ ଚାଲିଛନ୍ତି। କୃଷି ପୁରସ୍କାର, ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ଏମିତି। କିନ୍ତୁ ପାଠପଢ଼ା ଶୂନ। ସରକାର କେତେ ଅପାରଗ, ତାହାକୁ ହିଁ ବିଚାର କରି ବୋଧେ ପୁରସ୍କାର ଦିଆଯାଉଛି। ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି। ଓଡ଼ିଶା ଠାରୁ ଦୁର୍ବଳ ପ୍ରଦର୍ଶନ କରୁଥିବା ରାଜ୍ୟ ସହ ପ୍ରତିଯୋଗିତା କରି ସରକାର ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି।

ଆଇନ୍‌ ଶିକ୍ଷା ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶାରେ ଆଇନ୍‌ ଶିକ୍ଷାର ମାନ କ’ଣ ? କୌଣସି ଆଇନ୍‌ କଲେଜ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପାଉ ନାହାନ୍ତି। ଅଧିକାଂଶ କଲେଜରେ ପାଠପଢ଼ା ଠିକ୍‌ ନାହିଁ। ବିନା ପାଠପଢ଼ାରେ ସେମାନେ ଡିଗ୍ରି ପାଉଛନ୍ତି। ଆଇନ୍‌ ଶିକ୍ଷା ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି।

କଂଗ୍ରେସ ସଭ୍ୟ ଭୁଜବଳ ମାଝୀ କହିଥିଲେ, ସବୁଠି ଅଧ୍ୟାପକ ପଦବି ଖାଲି ପଡ଼ିଛି। ସରକାରଙ୍କର କେବଳ ଗୋଟିଏ ଏଜେଣ୍ଡା, କିପରି ଭୋଟ୍‌ ମିଳିବ। ଶିକ୍ଷାର ମାନ ବଢ଼ାଇବା ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି। ଅନ୍ୟ କେଉଁ ରାଜ୍ୟ କରୁ ନାହାନ୍ତି, ତାହାକୁ ଦେଖିଲେ କ’ଣ ମିଳିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଗଲାଣି। ଭୁବନେଶ୍ୱରର ବିଭିନ୍ନ କଲେଜରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଦୀର୍ଘ ଦିନ ଧରି ରହୁଛନ୍ତି। ମନ୍ତ୍ରୀ କି ସଚିବ ଚାହିଁଲେ ବି ତାଙ୍କର କିଛି କରିପାରିବେ ନାହିଁ।

ବିଜେପି ସଭ୍ୟ ରବି ନାଏକ କହିଲେ, ସରକାର ସବୁ କଲେଜରେ ରାଜନୀତି ପୂରାଇ ଦେଉଛନ୍ତି। ଶାସକ ଦଳ ସଭ୍ୟଙ୍କୁ ପରିଚାଳନା କମିଟି ସଭାପତି ରଖାଯିବା ପାଇଁ ଚକ୍ରାନ୍ତ କରାଯାଇଛି। ବ୍ଲକ୍‌ ଗ୍ରାଣ୍ଟ୍‌, ଆଡ୍‌ହକ୍‌ ଆଦି ଉଚ୍ଛେଦ କରାଯାଉ। ସମସ୍ତଙ୍କ ପାଇଁ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ବ୍ୟବସ୍ଥା ଲାଗୁ କରାଯାଉ।

ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କହିଥିଲେ, ଅଧିକାଂଶ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ବିଜେଡି ନେତା ହିଁ କଲେଜ ପରିଚାଳନା କମିଟିର ସଭାପତି ରହୁଛନ୍ତି। ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ମ୍ୟାନେଜ୍‌ମେଣ୍ଟ୍‌ ଭିନ୍ନ ହୋଇଥିଲେ ବି ଏବେ ବି ଗୋଟିଏ କଲେଜ ପରିସରରେ ଚାଲିଛି। ଫଳରେ ପରିଚାଳନା ସମସ୍ୟା ହେଉଛି।

ଶାସକ ଦଳ ସଭ୍ୟ ମହେଶ ସାହୁ କହିଥିଲେ, ରାଜ୍ୟରେ ପ୍ରତିଭାବାନ ବ୍ୟକ୍ତିଙ୍କର ଅଭାବ ନାହିଁ। ତେଣୁ ଠିକ୍‌ ସମୟରେ ନିଯୁକ୍ତି ଦିଆଯାଉ। ଆମେ ଠିକ୍‌ ଭାବେ କାମ କଲେ ନ୍ୟାୟାଳୟରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ନ୍ତା ନାହିଁ।

ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ବ୍ଲକ୍‌ ଗ୍ରାଣ୍ଟ୍‌ ଉଚ୍ଛେଦ ପାଇଁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟରେ ପଦବି ଖାଲି ଅଛି ସତ। କିନ୍ତୁ ପାଠପଢ଼ା ମାନ ଠିକ୍‌ ଅଛି କି ନାହିଁ, ତାହା ଦେଖିବାକୁ ପଡ଼ିବ। ବିଭାଗରେ କ୍ୱାଲିଟି ମନିଟରିଂ ସେଲ୍‌ କାର୍ଯ୍ୟ କରୁଛି କି ନାହିଁ, ତାହା ଦେଖାଯାଉ।

ଶାସକ ଦଳ ସଭ୍ୟ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରିୟଦର୍ଶୀ ମିଶ୍ର ସରକାର ଉଚ୍ଚଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ଅଧ୍ୟାପକ ନିଯୁକ୍ତି ନେଇ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ହେଲେ ଶିକ୍ଷାର ବାତାବରଣ ଠିକ୍‌ ରଖାଯାଇପାରିବ।

ସମାଧାନ ସହଜ କଥା ନୁହେଁ: ମନ୍ତ୍ରୀ

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଅଧ୍ୟାପକ ଅଭାବକୁ ସ୍ୱୀକାର କରିଥିଲେ। ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ। କିନ୍ତୁ ଏ କଥା ବି ସ୍ୱୀକାର କରିଥିଲେ ଯେ ଆମ ବ୍ୟବସ୍ଥାରେ ବିଭିନ୍ନ ବର୍ଗର ଶିକ୍ଷକ ଅଛନ୍ତି। ଯେଉଁଠି ଜଣେ ଅଧ୍ୟାପକ ୟୁଜିସି ସ୍କେଲ୍‌ରେ ଲକ୍ଷାଧିକ ଟଙ୍କା ଦରମା ପାଉଛି, ସେଠି ୪/୫ ହଜାର ଟଙ୍କା ଦରମା ପାଉଥିବା ଅଧ୍ୟାପକ ବି ଅଛନ୍ତି। ଦୀର୍ଘ ଦିନ ଧରି ଏପରି ସମସ୍ୟା ରହିଆସିଛି। ତେଣୁ ଏହାକୁ ସରଳ କରି ସମାଧାନ କରିବା ସହଜ କଥା ନୁହେଁ।

ମନ୍ତ୍ରୀ ଆହୁରି କହିଥିଲେ, ଅଧ୍ୟାପକଙ୍କ ଆନ୍ଦୋଳନ ଏବେ ନୁହେଁ। ବହୁ ବର୍ଷ ଧରି ଏହା ଚାଲିଆସିଛି। କିନ୍ତୁ ସରକାର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟ ସରକାରୀ ଡିଗ୍ରି କଲେଜରେ ୨୩୦୬ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ମଧ୍ୟରୁ ୧୨୯୬ଟି ପଦବିରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟରତ ଅଛନ୍ତି। ବିଭିନ୍ନ ଡିଗ୍ରି କଲେଜରେ ୧୨୩ ଜଣ ଆଡ୍‌ହକ୍‌ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି ପାଇଁ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଖାଲି ପଡ଼ିଥିବା ପଦବି ମଧ୍ୟରୁ ୫୧୩ଟି ପଦବି ପୂରଣ ପାଇଁ ୨୦୧୩-୧୪ ମସିହାରେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ୩୫୨ଟି ଓ ୨୦୧୭-୧୮ରେ ୧୧୯ଟି ଏବଂ ପୁନର୍ବାର ଏହି ବର୍ଷ ୪୨ଟି ପଦବି ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗରୁ ରିକ୍ୟୁଜିସନ୍‌ ପଠାଯାଇଥିଲା। ଏହା ବାଦ୍‌ ଖାଲିଥିବା ପଦବିରେ ଅତିଥି ଅଧ୍ୟାପକ ନିୟୋଜିତ କରାଯାଇ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସମ୍ପାଦନ କରାଯାଉଛି। ରାଜ୍ୟରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଖାଲି ଥିବା ୧୬୨୫ଟି ପଦବିକୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏସ୍‌ଏସ୍‌ବି ଦ୍ୱାରା ପୂରଣ କରାଯାଇଛି। ଏହା ବାଦ୍‌ ବର୍ତ୍ତମାନ ୮୩୩ଟି ପଦବି ଶୀଘ୍ର ପୂରଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବି ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ ରାଜ୍ୟର ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଛାତ୍ର ଓ ଶିକ୍ଷକ ଅନୁପାତ ୨୬:୧, ଯାହା ସର୍ବଭାରତୀୟ ଅନୁପାତ ସହ ସମାନ। ଏହି ଅନୁପାତ ବିହାରରେ ୭୦:୧, ଝାଡ଼ଖଣ୍ଡରେ ୬୧:୧, ଦିଲ୍ଲୀରେ ୫୭:୧, ପଶ୍ଚିମବଙ୍ଗରେ ୪୨:୧, ଉତ୍ତରପ୍ରଦେଶରେ ୪୨:୧, ମଧ୍ୟପ୍ରଦେଶରେ ୨୮:୧। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଛାତ୍ର-ଶିକ୍ଷକ ଅନୁପାତ ଉନ୍ନତ।

ସମ୍ବନ୍ଧିତ ଖବର