କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ମନ୍ତବ୍ୟଙ୍କୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର : କୋଣାର୍କ ଏତିହ୍ୟ ସ୍ଥଳକୁ ଅବହେଳା କରିବା ଅଭିଯୋଗରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ)ବିବାଦକୁ ଆସିବା ପରେ ଏବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ବପ୍ରସିଦ୍ଧ ଏହି ଐତିହ୍ୟ ସ୍ଥଳର ସୁରକ୍ଷା ଜରୁରୀ ହୋଇଥିବା ବେ‌ଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଠିକ୍‌ ଢଙ୍ଗରେ ଓ ଆଇନ ସମ୍ମତ ଭାବରେ ଚାଲିଥିବା ନେଇ ମନ୍ତ୍ରୀ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି କହିଛି ଏକାମ୍ର ଜାଗଜରଣ ମଞ୍ଚ। ଏ ନେଇ ମଞ୍ଚ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏଏସ୍ଆଇର ଅବହେଳା ପାଇଁ ଏହି ଐତିହ୍ୟ ଭୁଶୁଡ଼ିବା ସ୍ଥିତିକୁ ଚାଲି ଯାଉଥିବା ବେଳେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟକୁ ନେଇ ତଦନ୍ତ କରିବା ଓ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏହି ବିଶ୍ବପ୍ରସିଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ ତତ୍ପର ହେବା ପାଇଁ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ ଚିଠି ଲେଖିଥିବା କହିଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, କୋଣାର୍କର ସ୍ଥିତି ଓ ଏଏସ୍‌ଆଇର ଅବହେଳାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା‌ ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏହା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଂରକ୍ଷଣ କାର୍ଯ୍ୟ ଠିକ୍‌ ଚାଲିଥିବା କହିଥିଲେ। କିନ୍ତୁ ଏଠାରେ କିଛି ଠିକ୍‌ ଚାଲି ନଥିବା ଜଳ ଜଳ ଦିଶୁଥିଲା। ଅନଭିଜ୍ଞ ଶ୍ରମିକ କାମ କରୁଥିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ଅସମ୍ଭବ ହୋଇଥିଲା। ଗୋଟିଏ ପରେ ଗୋଟିଏ ସୂକ୍ଷ୍ମ କାରୁକାର୍ଯ୍ୟ ପଥର ନଷ୍ଟ ହେଉଥିବା ବେଳେ ସେହି ସ୍ଥାନରେ ସାଦା ପଥର ସ୍ଥାପନ କରାଯାଉଛି। ଫଳରେ କିଛି ଦିନ ପରେ ଏହା ଏକ ପଥର ସ୍ତମ୍ଭରେ ପରିଣତ ହେବାକୁ ଯାଉଛି। ଏଭଳି ସ୍ଥିତିରେ ସଂସ୍କୃତି ମନ୍ତ୍ରୀଙ୍କ ମନ୍ତବ୍ୟ ଐତିହ୍ୟ ପ୍ରତି ବିପଦ ଡାକୁ ଆଣୁଥିବା ଆଶଙ୍କା କରି ଶ୍ରୀ ନାୟକ ଏପରି ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର