୫ ବର୍ଷ ପରେ ବି ଜୁଆଙ୍ଗ ବସ୍ତି ଅପହଞ୍ଚ, ନଗଡ଼ାରେ ବିକାଶ ଯୋଜନା ଫେଲ୍‌

ରବିନାରାୟଣ କର

କାଳିଆପାଣି: ୨୦୧୬ ମସିହା ଜୁନ୍‌ ୩୦ ତାରିଖରେ ନଗଡ଼ାରେ ଶିଶୁମଡ଼କ ଘଟଣାକୁ ନେଇ ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ଆସନ୍ତାକାଲି ୫ ବର୍ଷ ପୂରଣ ହେବ। ଏହି ୫ ବର୍ଷ ମଧ୍ୟରେ ଶିଶୁ ମଡ଼କର ଉପତ୍ୟକା କୁହାଯାଉଥିବା ନଗଡ଼ାରେ କେତେ ପରିବର୍ତ୍ତନ ହୋଇଛି? ଏହିଭଳି ଏକ ପ୍ରଶ୍ନ ଉଠୁଥିବାବେଳେ ‘ଗ୍ରାଉଣ୍ଡଜିରୋ’ରୁ ସ୍ଥିତି ଅନୁଧ୍ୟାନ କରିଛି ‘ସମ୍ବାଦ’। ସେଥିରୁ ଜଣାପଡ଼ିଛି ଯେ ନଗଡ଼ାରେ ଆଶାନୁରୂପ ବିକାଶ ହୋଇନାହିଁ ଏବଂ ଅନେକ କିଛି ବାକି ଅଛି। ନଗଡ଼ା ଭଳି ଆହୁରି କିଛି ଜୁଆଙ୍ଗ ବସ୍ତି ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନଗଡ଼ାବାସୀଙ୍କ ସାମାଜିକ ଜୀବନଯାପନରେ ଏଯାବତ୍‌ କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ସାମଗ୍ରିକ ଭାବେ ନଗଡ଼ାର ବିକାଶ ଯୋଜନା ଏକପ୍ରକାର ଫେଲ୍‌ ମାରିଛି!

୨୦୧୬ ମସିହାର ୩ ମାସ ମଧ୍ୟରେ ୧୯ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ହୋଇଥିଲେ। ଏହି ଶିଶୁମାନେ ଅପପୁଷ୍ଟିରେ ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ପରେପରେ ଏହି ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଥିଲା। ଏହାପରେ ନଗଡ଼ା ବିକାଶ ପାଇଁ ସରକାର ଓ ଜିଲ୍ଲାସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ, ୫ ବର୍ଷ ମଧ୍ୟରେ ନଗଡ଼ାରେ ଯେତିକି ଆଖିଦୃଶିଆ ପରିବର୍ତ୍ତନ ହେବାକଥା, ତାହା ହୋଇନାହିଁ। ବିଶେଷକରି, ନଗଡ଼ା ଅନ୍ତର୍ଗତ ଗୁହିଆଶାଳ, ତୁମୁଣି ଓ ତଳଡିହ ଗାଁ ଏବେ ବି ଅପହଞ୍ଚ ଅବସ୍ଥା‌ରେ ରହିଛି। ଏହି ୩ଟି ଗ୍ରାମର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ଜୁଲାଇ ୨୦ ତାରିଖରେ ଗଠିତ ସ୍ବତନ୍ତ୍ର ନଗଡ଼ା ଟାସ୍କଫୋର୍ସ ଗଠନ କରାଯାଇଥିଲା। ମାତ୍ର, ଟାସ୍କଫୋର୍ସର କାର୍ଯ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯୋଗାଯୋଗ ବ୍ୟବସ୍ଥା। ବନ ବିଭାଗ ପକ୍ଷରୁ ଗୁହିଆଶାଳ ପର୍ଯ୍ୟନ୍ତ ମାଟି କଚ୍ଚା ରାସ୍ତା ନିର୍ମିତ ହୋଇଛି, ହେଲେ ବର୍ଷାଦିନେ ଏଠାକୁ ‌ଗାଡ଼ି ଯାତାୟାତ ଅସମ୍ଭବ। ଅନ୍ୟପକ୍ଷରେ ତୁମୁଣିର ୨୩ଟି ପରିବାର ଓ ତଳଡିହ ବସ୍ତିର ୧୨ଟି ପରିବାର ପାଇଁ ରାସ୍ତା ନିର୍ମାଣ ଦୂରେଥାଉ ଏହାର ନକ୍ସା ପ୍ରସ୍ତୁତ ହୋଇନି। ଦୁର୍ଗମ ଓ ବନ୍ଧୁର ପାହାଡ଼ି ଗୁଳାରେ ବାଡ଼ି ନ ଧରିଲେ ଚାଲି ହେଉନି। ସେହିଭଳି, ଦୁର୍ଗମ ପଥ ଆଳରେ ଗୁହିଆଶାଳ, ତୁମୁଣି ଓ ତଳଡିହ ଗାଁର ସମସ୍ତ ୬୦ଟିଯାକ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଥିବା ତଥ୍ୟରୁ ଜଣାପଡ଼ିଛି।

ନଗଡ଼ାରେ ଟେଲି ଯୋଗାଯୋଗ ବ୍ୟବସ୍ଥାର ମୂଳଦୁଆ ପଡ଼ିପାରିନି। ୨୦୨୦ ଜାନୁଆରି ମାସ ୨ୟ ସପ୍ତାହରେ ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନଗଡ଼ା ଗସ୍ତ ସମୟରେ ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ଓ ତତ୍କାଳୀନ ଏସ୍‌ପି ଚରଣସିଂ ମୀନା ନଗଡ଼ାରେ ଟେଲିଫୋନ୍‌ ଟାୱାର ପ୍ରତିଷ୍ଠା ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତିନିମାସ ମଧ୍ୟରେ ଏଠି ଟେଲି ଯୋଗାଯୋଗ ବ୍ୟବସ୍ଥାର ମୂଳଦୁଆ ପଡ଼ିବ ବୋଲି ମନ୍ତ୍ରୀ ସେଦିନ ପ୍ରତିଶ୍ରୁତି ରଖିଥିଲେ ମଧ୍ୟ ଏହା ପାଣିର ଗାର ସଦୃଶ ‌ହୋଇଛି। ଅଢ଼େଇ ବର୍ଷ ତଳୁ ଆରମ୍ଭ ‌ହୋଇଥିବା ନଗଡ଼‌ା ବିଦ୍ୟୁତ୍‌ ସେବା ଏବେ ମୁହଁମାଡ଼ି ପଡ଼ିଛି। ଟ୍ରାନ୍ସଫର୍ମର୍‌ ପୋଡ଼ିଯିବା କାରଣରୁ ମାସେ ହେଲାଣି ନଗଡ଼ା ଅଞ୍ଚଳବାସୀ ଅନ୍ଧାରରେ ରହିଛନ୍ତି।

ସାମାଜିକ ପରିବର୍ତ୍ତନ ଦିଗରେ ମଧ୍ୟ ନଗଡ଼ାବାସୀ ସଚେତନ ହୋଇପାରିନାହାନ୍ତି। ୫ ବର୍ଷ ମଧ୍ୟରେ ମାତ୍ର ୨ ଜଣଙ୍କୁ ଛାଡ଼ିଦେଲେ ୫୦ ରୁ ଅଧିକ କିଶୋର କିଶୋରୀ ବାଲ୍ୟ ବିବାହରେ ବାନ୍ଧି ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜୁଆଙ୍ଗ ଶିଶୁଙ୍କ ‌ପାଇଁ ଭାତ, ଲୁଣ ଏବେ ବି ପ୍ରଧାନ ଖାଦ୍ୟ ହୋଇରହିଛି। ଫଳରେ, ବହୁ ଶିଶୁଙ୍କ ଅପପୁଷ୍ଟି ଲକ୍ଷଣ ରହିଛି। ଯୁବବର୍ଗଙ୍କ ପାଖରେ କାମ କରିବାର ଆଗ୍ରହ ପରିଲକ୍ଷିତ ହେଉନି। ନଗଡ଼ାର ବିଭିନ୍ନ ସମସ୍ୟା ସଂପର୍କରେ ସୁକିନ୍ଦା ବିଡିଓ ବିଶ୍ବଜିତ ‌ଦାସଙ୍କୁ ଯୋଗାଯୋଗ କରିବାରେ ଗମନାଗମନ ସମସ୍ୟାର ସମାଧାନ ପାଇଁ ତିନିବର୍ଷ ତଳୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଜଙ୍ଗଲ ଜମି ରୂପାନ୍ତରୀକରଣ ଆଇନ ପ୍ରତିବନ୍ଧକ ସାଜିଥିବା ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର