ଗଞ୍ଜାମରେ ଯକ୍ଷ୍ମା ନେଉଛି ବର୍ଷକୁ ୨୫୦ ଜୀବନ; ବଢୁଛି ପଜିଟିଭ୍‌ ସଂଖ୍ୟା, ଏଚ୍‌ଆଇଭି ସଂକ୍ରମିତଙ୍କୁ ବିପଦ ଅଧିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ଠାରୁ ଆହୁରି ଭୟଙ୍କର ରୂପ ନେଉଛି ଯକ୍ଷ୍ମା। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢ଼ି ଚାଲିଛି। ଗତ ୩ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୫୦ ଜଣ ଯକ୍ଷ୍ମା ରୋଗୀ ଜୀବନ ହରାଇଥିବା ରେକର୍ଡ଼ କହୁଛି। ଯାହାକି ଏଡ୍‌ସ ମୃତ୍ୟୁହାର ଠାରୁ ମଧ୍ୟ ଅଧିକ। ଯକ୍ଷ୍ମା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ। ଏଣୁ ଯକ୍ଷ୍ମାର ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏଚ୍‌ଆଇଭି ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ରହୁଥିବାରୁ ସେମାନେ ଯକ୍ଷ୍ମାରେ ପୀଡ଼ିତ ହେବାର ଅଧିକ ସମ୍ଭାବନା ରହିଥାଏ। ଏଣୁ ଏଚ୍‌ଆଇଭି ଆକ୍ରାନ୍ତ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଗଞ୍ଜାମ ଜିଲ୍ଲାରେ ଯକ୍ଷ୍ମା ସ୍ଥିତି ଚିନ୍ତାଜନକ ରହିଛି। ଏହାର ନିରାକରଣ ପାଇଁ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ବହୁ ଯୋଜନା ହାତକୁ ନିଆଯାଉଛି। ମାଗଣା ପରୀକ୍ଷା, ଚିକିତ୍ସା ଓ ଔଷଧ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୨୦ରେ ୪ହଜାର ୪୨୮ ଯକ୍ଷ୍ମା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ୩ହଜାର ୮୮୬ଜଣ ଉପଯୁକ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ପ୍ରାୟ ୨୬୫ (୬ପ୍ରତିଶତ) ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୧ରେ ୫ହଜାର ୪୫୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪ହଜାର ୯୨୧ଜଣ ସୁସ୍ଥ ହୋଇଛନ୍ତି। ଏହି ବର୍ଷ ୩୨୫(୬ପ୍ରତିଶତ) ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୨୦୨୨ରେ ୬ହଜାର ୪୬୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୩ହଜାର ୩ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ୨୯୦ (୪.୫ପ୍ରତିଶତ) ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଚଳିତ ୨୦୨୩ ମାର୍ଚ୍ଚ ୨୨ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୨୩୮ ଯକ୍ଷ୍ମା ପଜିଟିଭ୍‌ ଚିହ୍ନଟ ହୋଇ ସାରିଲେଣି। ଯକ୍ଷ୍ମା ପଜିଟିଭ୍‌ଙ୍କୁ ଚିହ୍ନଟ କରିବା ପାଇଁ ୨୦୨୨ରେ ଗଞ୍ଜାମ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ପୂରଣ ହୋଇଛି। ଧାର୍ଯ୍ୟ ଟାର୍ଗେଟ ହାସଲ ହୋଇ ଜିଲ୍ଲାରୁ ମୋଟ ୧୦୩ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଟାର୍ଗେଟ ପୂରଣ ହେବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଫଳତା। ଅନ୍ୟପଟେ ରୋଗୀ ସଂଖ୍ୟା ବଢ଼ିବା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଚିନ୍ତା ହୋଇଛି। ଏଣୁ ଯକ୍ଷ୍ମା ସମ୍ପର୍କରେ ଏବେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଆସନ୍ତା କାଲି ହେଉଛି ବିଶ୍ବ ଯକ୍ଷ୍ମା ଦିବସ। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସଚେତନ ହେଲେ ଯକ୍ଷ୍ମାକୁ ହରାଇ ପାରିବା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାବଦରେ ପ୍ରତିମାସରେ ୫ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେହିପରି ପ୍ରତ୍ୟେକ ଡାକ୍ତରଖାନାରେ ଟ୍ରୁନାଟ୍‌ ମେସିନ୍‌ରେ ପରୀକ୍ଷା ଆରମ୍ଭ ହୋଇଛି।
ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ କଫ ପରୀକ୍ଷା କରିବା ପାଇଁ ୬୦ଟି ମାଇକ୍ରୋସ୍କୋପି ସେଣ୍ଟର୍‌ ରହିଛି। ୪ଟି ସ୍ଥାନରେ ସିବିନାଟ୍‌ ମେସିନ୍‌ ଦ୍ବାରା ପରୀକ୍ଷା ସୁବିଧା କରାଯାଇଛି। ୨୬ଟି ସ୍ଥାନରେ ଆଇସିଟିସି ସେଣ୍ଟର୍‌ ରହିଥିବା ବେଳେ ୨୨ଟି ଟିବି ୟୁନିଟ୍‌ ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବିଶେଷ କରି ଯେଉଁ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ, ତାଙ୍କୁ ଯକ୍ଷ୍ମା ହେବାର ଅଧିକ ଆଶଙ୍କା ରହିଥାଏ। ପ୍ରାଥମିକ ପର୍ଯ୍ୟାୟରେ କଫରୁ ଯକ୍ଷ୍ମା ଚିହ୍ନଟ ହୋଇଥାଏ। ଯକ୍ଷ୍ମା ଏକ ଡିଆଁ ରୋଗ। ଯକ୍ଷ୍ମା ରୋଗୀଙ୍କ କଫ, କାଶ ଓ ଛିଙ୍କ ଦ୍ବାରା ଅନ୍ୟ ଜଣେ ସଂକ୍ରମିତ ହେବାର ଭୟ ରହିଛି। ଏଣୁ ଯକ୍ଷ୍ମା ରୋଗୀଙ୍କୁ ସବୁ ବେଳେ ମାସ୍କ ପିନ୍ଧିବାକୁ କୁହା ଯାଇଥାଏ।
ସମ୍ବନ୍ଧିତ ଖବର