ନକଲି ଔଷଧର ଗୁମର ଖୋଲୁଛି: ମେଡିସିନ୍ ପ୍ରସ୍ତୁତି ପାଇଁ ମିଳିଥିଲା ଲାଇସେନ୍ସ

କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଚାଞ୍ଚଲ୍ୟକର ତଥ୍ୟ

ଖୁବଶୀଘ୍ର ରୁରକି ଯିବ ଟିମ୍
କନଷ୍ଟ୍ରକସନ୍ କମ୍ପାନିରେ ଶିବପ୍ରସନ୍ନଙ୍କ ଟଙ୍କା ବିନିଯୋଗ ସନ୍ଦେହ
ମାକ୍ସ ରିଲିଫ ହେଲଥ କେୟାରର ମାର୍କେଟିଂ କଥା ବି ବୁଝୁଥିଲେ

ଭୁବନେଶ୍ବର : କଟକରୁ ନକଲି ଔଷଧ ଜବତ ମାମଲାରେ ମେଡିଲଏଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଶିବ ପ୍ରସନ୍ନ ଜେନା ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ନକଲି ଔଷଧ ଜାଲ ଆଉ କେଉଁଠି ବିଛା ଯାଇଛି, ତାହାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଶିବ ପ୍ରସନ୍ନଙ୍କ କଳା ସାମ୍ରାଜ୍ୟର ମଧ୍ୟ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ କିଛି ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଏସଟିଏଫ୍ ହାତରେ ଲାଗିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିବପ୍ରସନ୍ନଙ୍କ କମ୍ପାନି ମେଡିଲଏଡ୍ ମେଡିକାମେଣ୍ଟ କେବଳ ମେଡିସିନ୍ ବ୍ୟବସାୟ କରୁ ନ ଥିଲା, ବରଂ ଔଷଧ ତିଆରି କରିବା ପାଇଁ ଉତ୍ତରାଖଣ୍ଡର ରୁରକିରେ ଲାଇସେନ୍ସ ପାଇଥିଲା। ତେଣୁ ଖୁବ୍‌ଶୀଘ୍ର ଔଷଧ ତିଆରି କରିଥା’ନ୍ତା ବୋଲି ଏସଟିଏଫ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ଏସ୍‌ଟିଏଫ୍‌ର ଏକ ଟିମ୍ ଖୁବ୍‌ଶୀଘ୍ର ରୁରକି ଯିବ ବୋଲି ଜଣାପଡ଼ିଛି। କେମିତି ଲାଇସେନ୍ସ ହାତେଇଥିଲା, ଏଠାରେ କେଉଁ ଔଷଧ ତିଆରି ହୋଇଥା’ନ୍ତା, ସେ ସବୁର ସରଜମିନ୍ ଯାଞ୍ଚ କରାଯିବ।

ସେହିପରି ମେଡିସନ୍ ବ୍ୟତୀତ କନଷ୍ଟ୍ରକସନ୍ ବ୍ୟବସାୟରେ ପାଦ ଦେଇଥିଲେ ଶିବପ୍ରସନ୍ନ। ୨୦୧୮ରେ ଅପରଚୁନ୍ ଭେନଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏକ କମ୍ପାନିର ନିର୍ଦ୍ଦେଶକ ଥିଲେ। ତେଣୁ ସେଠାରେ ମେଡିସିନ୍‌ରୁ ମିଳିଥିବା ଅର୍ଥ ବିନିଯୋଗ ହୋଇଥିବା ଏସଟିଏଫ୍ ସନ୍ଦେହ କରୁଛି। ସେହି କମ୍ପାନିର କାଗଜପତ୍ର ମିଳିବା ପରେ ଅଧିକ ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍। ଆଉ ଦୁଇଟି ଟିମ୍ ସମାନ୍ତରାଳ ଭାବେ କୋଲକାତା ଓ ମୁମ୍ବାଇରେ ତଦନ୍ତ ଚଳାଇଛନ୍ତି। ନକଲି ଔଷଧ ଆସିଥିବା ମହାରାଷ୍ଟ୍ରର କମ୍ପାନି ମ୍ୟାକ୍ସ ରିଲିଫ୍ ହେଲଥ କେୟାରର ମେଡିଲଏଡ୍ ମେଡିକାମେଣ୍ଟ ପ୍ରାଧିକୃତ ଡିଲର ବୋଲି ଜଣାପଡ଼ିଛି। କେବଳ ସେଠାରୁ ଔଷଧ ଆଣୁ ନଥିଲା, ବରଂ ମାର୍କେଟିଂ ଦାୟିତ୍ବ ମଧ୍ୟ କମ୍ପାନି ନେଇଥିଲା ବୋଲି ଏସଟିଏଫ୍ ହାତରେ ତଥ୍ୟ ଲାଗିଛି। ମ୍ୟାକ୍ସ ରିଲିଫ୍ ହେଲଥ କେୟାର କମ୍ପାନି ମୁଖ୍ୟ ସୁଦୀପ ଚାଟାର୍ଜୀ ରିମାଣ୍ଡରେ ଆସିବା ପରେ ପୂରା ନକଲି କାରବାରର ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି। ସେହିପରି ଆସନ୍ତା ସପ୍ତାହରେ ଶିବପ୍ରସନ୍ନଙ୍କୁ ମଧ୍ୟ ରିମାଣ୍ଡରେ ଆଣିବ ଏସଟିଏଫ୍। ସୁଦୀପ ଓ ଶିବପ୍ରସନ୍ନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଯୋଜନା ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନକଲି ଔଷଧ କାରବାରରେ ଏସ୍‌ଟିଏଫ୍ ଏବେ ସୁଦ୍ଧା ଶିବପ୍ରସନ୍ନ ଜେନା ଓ ତାଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିସାରିଛି।

ସମ୍ବନ୍ଧିତ ଖବର