ଗାଁକୁ ‌ଟ୍ରେନ୍‌ରେ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପତ୍ନୀ ସବିତା କୋବିନ୍ଦ ଶୁକ୍ରବାର ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଉତ୍ତରପ୍ରଦେଶ କାନପୁରସ୍ଥିତ ନିଜ ଗାଁକୁ ଯାଇଛନ୍ତି। ସେ ଶୁକ୍ରବାର ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନ୍‌ରୁ ‌ଟ୍ରେନ୍‌ ଧରିଥିଲେ। ଦିଲ୍ଲୀରେ ରାଷ୍ଟ୍ରପତି ଟ୍ରେନ ଚଢ଼ିବା ସମୟରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ରେଳ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନୀତ ଶର୍ମା ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରାଷ୍ଟ୍ରପତି କାନପୁରରେ ପହଞ୍ଚିଛନ୍ତି।

ଦୀର୍ଘ ୧୫ ବର୍ଷ ପରେ କୌଣସି ରା‌ଷ୍ଟ୍ରପତି ଟ୍ରେନ ଯୋଗେ ଯାତ୍ରା କରିଛନ୍ତି। ଶେଷଥର ପାଇଁ ୨୦୦୬ ମସିହାରେ ଏପିଜେ ଅବଦୁଲ କଲାମ୍‌ ଦିଲ୍ଲୀରୁ ଡେରାଡୁନ୍‌ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଯାଇଥିଲେ। ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରି ଏକାଡେମିର ଏକ ପରେଡ୍‌ରେ ଯୋଗଦେବା ପାଇଁ କଲାମ୍ ଯାଇଥିଲେ। ତେବେ ରାଷ୍ଟ୍ରପତି ହେବାପରେ କୋବିନ୍ଦ ଆଜି ପ୍ରଥମ ଥର ପାଇଁ ନିଜ ଗାଁ ପାରୁଙ୍ଖକୁ ଗସ୍ତ କରିଛନ୍ତି। ୪ ଦିନିଆ ଗସ୍ତ ଅବସରେ ସେ ତାଙ୍କର ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଭେଟିବେ। ଗାଁରୁ ଫେରିବା ପରେ ରାଷ୍ଟ୍ରପତି କାନପୁର ସେଣ୍ଟ୍ରାଲ ରେଲୱେ ଷ୍ଟେସନରୁ ୨୮ ତାରିଖରେ ଲକ୍ଷ୍ନୌ ଅଭି‌ମୁ‌ଖେ ଯିବେ। ସେଠାରେ ଗୋଟିଏ ଦିନ ରହି ୨୯ ତାରିଖରେ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର