ଆକ୍ରମଣକୁ ୨୨ ଦିନ ବିତିଲା: ନ୍ୟାୟ ମିଳିଲାନି, ଅପରାଧୀଙ୍କ ଭୟରେ ଗାଁ ଛାଡ଼ିଲେ ପରିବାର

ଯାଜପୁର ସଦର: ଜଣେ ମହିଳା ଓ ତାଙ୍କ ପରିବାର ଉପରେ ଅମାନୁଷିକ ଆକ୍ରମଣ ହୋଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଶେଷରେ ଆକ୍ରମଣକାରୀ ଅଭିଯୁକ୍ତଙ୍କ ଭୟରେ ତଥା ନିଜ ସୁରକ୍ଷା ପାଇଁ ଏହି ପରିବାର ଗାଁ ଛାଡ଼ିଛନ୍ତି। ଜିଲ୍ଲା ପୁଲିସଠାରୁ ମଧ୍ୟ ସହଯୋଗ ପାଇ ନଥିବା ଅଭିଯୋଗ କରି ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଗତ ମାସ ୧୨ ତାରିଖରେ ବରୀ ଥାନା ରତଲାଙ୍ଗ ଗ୍ରାମରେ ସାମାନ୍ୟ କଥାକୁ କେନ୍ଦ୍ର କରି ୩୦ରୁ ୩୫ ଜଣ ଯୁବକ ଏହି ଗ୍ରାମର ନିରଜଂନ ରାୟଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ନିରଜଂନଙ୍କ ପତ୍ନୀ ମଧୁସ୍ମିତା ଓ ଝିଅ ଘରେ ଥିବା ସମୟରେ ସଂଘବଦ୍ଧ ହୋଇ ଯୁବକମାନେ ତାଙ୍କ ଘରକୁ ଢେଲାପଥର ମାଡ଼ କରିଥିଲେ। ଗ୍ରିଲ ଭାଙ୍ଗି ଘରେ ପଶି ଟଙ୍କା ଓ ସୁନା ନେଇ ଯାଇଥିଲେ। ଏକ ନୂଆ ବାଇକକୁ ଭାଙ୍ଗି ଦେଇଥିଲେ। ନିରଂଜନ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଦୁର୍ବୃତ୍ତମାନେ ସେଥିରେ ନିଆଁ ଲଗାଇ ଚିଙ୍ଗୁଡିଆ ନାଳରେ ଫିଙ୍ଗି ଦେଇଥି‌ଲେ। ପୁଲିସ ଉପସ୍ଥିତିରେ ପରିବାର ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ୨୨ ଦିନ ବିତିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିପାରିନାହିଁ।

ଅନ୍ୟପଟେ ଅଭିଯୁକ୍ତମାନେ ନିରଂଜନଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଏନେଇ ତାଙ୍କ ପତ୍ନୀ ମଧୁସ୍ମିତା ଏସଡିପିଓ, ଏସପି, ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଏଯାବତ୍ ନ୍ୟାୟ ମିଳିପାରିନାହିଁ। ଶେଷରେ ଅଭିଯୁକ୍ତମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ମଧୁସ୍ମିତା ଓ ତାଙ୍କ ପରିବାର ଏବେ ଗାଁ ଛାଡି ଯାଜପୁର ସହରକୁ ଚାଲି ଆସିଛନ୍ତି। ନ୍ୟାୟ ନପାଇଲେ ପରିବାର ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ପୁଲିସ ଏହି ଘଟଣାରେ କେସ ନମ୍ବର ୨୨୦/୨୦୨୦ ରୁଜୁ କରି ଚୁପ୍ ବସିଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର