ଆଗକୁ ବଢ଼ୁଛି ଫନି: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆସନ୍ତାକାଲିଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ବାତିଲ ହେଲା ପରୀକ୍ଷା

ଭୁବନେଶ୍ୱର: ମହାବାତ୍ୟା ଫେନିର ପ୍ରକୋପ ସଂପର୍କରେ ସୂଚନା ମିଳିବା ପରେ ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। କେବଳ ଶିକ୍ଷାନୁଷ୍ଠାନ ନୁହେଁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ବି ବାତିଲ୍‌ କରାଯାଇଛି। ଏହି ପରୀକ୍ଷା ସବୁ କେବେ ହେବ ତାହା ଘୋଷଣା ହୋଇନାହିଁ। ପରିସ୍ଥିତି ଆୟତ୍ତକୁ ଆସିବା ପରେ ଯାଇ ପରୀକ୍ଷା ଓ ସ୍କୁଲ୍‌ ଖୋଲିବାର ତାରିଖ ଘୋଷଣା କରାଯିବ।

ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ ପବନ ବହିବ। ୩ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।

ଫନିର ପ୍ରଭାବରୁ ନିଜକୁ ସତର୍କ ରଖିବା ପାଇଁ ୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ହାଇ ଆର୍ଲଟ ଜାରି କରାଯାଇଛି। ସେହିପରି ୩ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ରେଡ ଆର୍ଲଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର