ନୀଳଚକ୍ର ବଙ୍କିଛି, ପଥର ବି ହଲିଛି! ଶ୍ରୀମନ୍ଦିର ଉପରେ ‘ଫନି’ ପ୍ରଭାବ

ପୁରୀ: ବିଗତ ଶହେ ବର୍ଷ ମଧ୍ୟରେ ଆସିଥିବା ସାମୁଦ୍ରିକ ଝଡ଼ବାତ୍ୟା ଶ୍ରୀମନ୍ଦିର ଉପରେ କିଛି ପ୍ରଭାବ ପକାଇ ପାରିନଥିବା ବେଳେ ‘ଫନି’ କିନ୍ତୁ ଶ୍ରୀମନ୍ଦିରକୁ ଦୋହଲାଇ ଦେଇଛି। ନୀଳଚକ୍ରକୁ ବଙ୍କାଇ ଦେଇଛି, ପଥରକୁ ହଲାଇ ଦେଇଛି। ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ୩ ତାରିଖରେ ପୁରୀ ଉପକୂଳ ଛୁଇଁଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫନି’। ପ୍ରବଳ ପବନ ଲୁହାର ବିଶାଳ ଟାୱାରକୁ ଉପାଡ଼ି ଦେଇଥିବା ବେଳେ ମହାଦ୍ରୁମଙ୍କୁ ଧରାଶାୟୀ କରିଛି। ଏଥିରେ ଶ୍ରୀମନ୍ଦିରର ଚୂଡ଼ା ବି ପ୍ରଭାବିତ ହୋଇଛି। ପବନ ତୀବ୍ରତାରେ ନୀଳଚକ୍ର ବଙ୍କିଥିବା କହିଛନ୍ତି କେତେକ ଚୂନରା ସେବକ। ସେମାନଙ୍କ କହିବା ଅନୁଯାୟୀ, ବାତ୍ୟା ପୂର୍ବରୁ ନୀଳଚକ୍ର ସିଧା ଲାଗୁଥିଲା। ମାତ୍ର ଏବେ ସାମାନ୍ୟ ପଶ୍ଚିମକୁ ବଙ୍କିଥିବା ଭଳି ଲାଗୁଛି। ବାନା ବାନ୍ଧିବା ବେଳେ ଏହା ଜଣାପଡ଼ୁଛି। ପୂର୍ବରୁ ବାଉଁଶ ବାନ୍ଧିବା ବେଳେ ଯେମିତି ସ୍ଥିତି ଥିଲା ଏବେ ତାହା ନାହିଁ। କିଛିଟା ପରିବର୍ତ୍ତନ ଆସିଥିବାରୁ ଏ ଦିଗରେ ଏଏସ୍‌ଆଇ ଯାଞ୍ଚ କରିବା ଜରୁରି ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ମନ୍ଦିରରେ ଲୁହାଭାରା ବାନ୍ଧିଥିଲା ଏଏସ୍‌ଆଇ। ସେହି ଭାରା ଅନେକ ସ୍ଥାନରେ ଶ୍ରୀମନ୍ଦିର ପଥର ସହ ଯୋଡ଼ି ହୋଇ ରହିଥିଲା। ପ୍ରବଳ ପବନରେ ଭାରା ଦୋହଲି ଦୋହଲି ଲୁହା ପାଇପ୍‌ଗୁଡ଼ିକ ବାୟୁ ସଞ୍ଚାଳନ ସ୍ଥାନ ତଳକୁ ତ୍ରୀସ୍ତରୀୟ ପଥରକୁ ହୁଗୁଳା କରିଦେଇଛି। ଏକଥା ଭୁଶୁଡ଼ି ପଡ଼ିଥିବା ଲୁହାଭାରା ସଫା କରୁଥିବା ଏଏସ୍‌ଆଇର ଜଣେ କର୍ମଚାରୀ କହିଛନ୍ତି। ଖାଲି ସେତିକି ନୁହେଁ, ଭୋଗ ମଣ୍ଡପ ଘରର କଳସ ଭାଙ୍ଗି ଗଳି ପଡ଼ିଛି, ମୁକ୍ତି ମଣ୍ଡପ ଛାତରୁ ପଥର ଖସିଛି। ଝଡ଼ବାତ୍ୟାରେ ସାକ୍ଷୀଗୋପାଳ ମନ୍ଦିର ବି ପ୍ରଭାବିତ ହୋଇଛି। ‘ଫନି’ ପ୍ରଭାବ ଯୋଗୁ ଶ୍ରୀମନ୍ଦିର ଢ଼ାଞ୍ଚା ଉପରେ ବ୍ୟାପକ ପ୍ରଭାବ ପଡ଼ିଥିବା ବେଳେ ଏ ସମ୍ପର୍କରେ ମୁହଁ ଖୋଲୁନାହିଁ ଏଏସ୍‌ଆଇ।

ସମ୍ବନ୍ଧିତ ଖବର