ଧାନରେ ଲାଗିଲା ପୋକ, ଚିନ୍ତାରେ ଚାଷୀ 

କୋରାପୁଟ: ଗୋଟିଏ କି ଏକର ନୁହେଁ ଶହ ଶହ ହେକ୍ଟର ଧାନ ଚାଷ ଜମିରେ ଲାଗିଛି କାଣ୍ଡବିନ୍ଧା ରୋଗ। ଏହି ରୋଗ ଏବେ ଜମିରୁଜମିକୁ ମାଡୁଥିବାବେଳେ ଔଷଧ ପକାଇ ପକାଇ ଥକିଲାଣ ଚାଷୀକୂଳ। ହେଲେ ରୋଗର ଦମନ ହୋଇ ପାରୁ ନ ଥିବା ଜଣାପଡିଛି। ଫଳରେ ଧାନ କେଣ୍ଡ ସବୁ ଶୁଖି ଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୁନ୍ଦୁରା,ବୈପାରିଗୁଡା ଓ ବୋରିଗୁମ୍ମା ବ୍ଳକର ୨୫ଟି ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ବ୍ୟାପକ ପରିମାଣରେ ରୋଗପୋକ ଲାଗିଯିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। କୁନ୍ଦୁରା ବ୍ଳକର ୧୫ ଗୋଟି ପଞ୍ଚାୟତ, ବୋରିଗୁମ୍ମା ଓ ବୈପାରିଗୁଡା ବ୍ଲକର ୧୦ଟି ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ବ୍ୟାପକ ପରିମାଣରେ ରୋଗପୋକ ଲାଗିଥିବାରୁ ବର୍ତ୍ତମାନ ଚିନ୍ତାରେ ଚାଷୀକୁଳ। ରୋଗପୋକ ତଥା ପତ୍ରପଡ଼ା ରୋଗ ଏବଂ କାଣ୍ଡବିନ୍ଧା ରୋଗ ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ବ୍ୟବହାର କରି ଚାଷୀ ବହୁତ ଖର୍ଚ୍ଚରେ ପଡ଼ୁଥିବା ଅଭଯୋଗ ହୋଇଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ୧୪ଟି ବ୍ଲକରେ ୯୮ ହଜାର ହେକ୍ଟର ଜମିରେ ଲାଗିଛି ଧାନ। ‌କୁନ୍ଦୁରା ବ୍ଳକରେ ପ୍ରାୟ ୧୦୦୬୦ ହେକ୍ଟର ଧାନ ଚାଷ ଜମି ଥିବାବେଳେ ୬୧୮୦ ହେକ୍ଟର ଜମିରେ ହାଇଏଲଡିଂ ଧାନ ଚାଷ ହୋଇଥିବା ବେଳେ ୪୦୫୦ହେକ୍ଟର ଜମିରେ ହାଇବ୍ରିଡ଼ ଧାନ ଏବଂ ୨୩୦ହେକ୍ଟର ଜମିରେ ଦେଶୀ ଧାନ ଚାଷ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ମକ।ଚାଷ ଏକ ପ୍ରକାର ଭଲ ହୋଇଥିବା ବେଳେ ଧାନ ଚାଷରେ ପତ୍ରପଡ଼ା ପୋକ, କାଣ୍ଡ ବିନ୍ଧା ପୋକ, ମାଟିଆଗୁଣ୍ଡି ପୋକ ଭଳି ବିଭିନ୍ନ ରୋଗ ପୋକ ଲାଗିଥିବାରୁ ଚାଷୀଙ୍କ ପାଇଁ ଏହା ଏକ ମୁଣ୍ଡ ବିନ୍ଧାର କାରଣ ହୋଇପଡ଼ିଛି।ଚଳିତ ବର୍ଷ ଚାଷ କାର୍ଯ୍ୟ ପାଇଁ ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚାଷ କାମ ପାଇଁ ଅନୁକୂଳ ପାଗ ଦେଇଥିଲା। ଯାହାଫଳରେ କି, ଚାଷୀ ବହୁତ ଖୁସି ଅନୁଭବ କରୁଥିବା ବେଳେ ବର୍ତ୍ତମାନ ରୋଗପୋକ ଲାଗି ଚାଷୀ ବେଶ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନ ଚାଷ ପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ ଓ ଲ୍ୟାମ୍ପରୁ ଆଣିଥିବା ଋଣ କିପରି ପରିଷଦ କରିବେ, ତାହା ବର୍ତ୍ତମାନ ଚିନ୍ତାର ବିଷୟ ହୋଇପଡ଼ିଛି ଚାଷୀଙ୍କ ପାଇଁ। କୁନ୍ଦୁରା ବ୍ଲକର ଅଞ୍ଚଳଗୁମ୍ମା, ପୂଜାରୀଗୁଡ଼ା, ଦିଗାପୁର, ଯବାପତ୍ରପୁଟ ଅଞ୍ଚଳରେ ରୋଗପୋକ ଲାଗି ବ୍ୟାପକ କ୍ଷତି ହୋଇଛି। ଚାଷ ହୋଇଥିବା ଧାନରେ ବହୁତ ପରିମାଣରେ ରୋଗପୋକ ଲାଗିଥିବା ନରସିଂହ ଭତ୍ରା, ନରହରି ଗୌଡ଼, ସୁନୀଲ ଭଟ୍ଟ, ଅଜୟ ବିଶୋଇ, ରାମ ପାଣିଗ୍ରାହୀ, ଶ୍ରୀକାନ୍ତ ମିଶ୍ର, ନିଲୁ ମିଶ୍ର ରଘୁନାଥ ଗୌଡ଼, ଭିକିନ ସାହୁ, ସଞ୍ଜୀବ ପ୍ରଧାନୀ ପ୍ରମୁଖ ଚାଷୀ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମଠୁ ପାଇଛି ଆସନ୍ତାକାଲି ଭିଏଲଡବ୍ଲୁ ଷ୍ଟାଫଙ୍କୁ ପଠାଇ ରୋଗ ପୋକକୁ ଦମନ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର