ଚାଷୀ ପାଖରେ ଟୋକନ ନାହିଁ, ୧୧ ମଣ୍ଡିରେ ପଡ଼ି ରହିଛି ୩୦ ହଜାର ବସ୍ତା ଧାନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ରବି ଧାନ ମଣ୍ଡି ଆରମ୍ଭ ହେବା ଦିନ ଠାରୁ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ କାରଣରୁ ୧୧ଟି ମଣ୍ଡିରେ ପ୍ରାୟ ୩୦ ହଜାର ବସ୍ତା ଧାନ ପଡ଼ି ରହିଥିବା ଜଣାଯାଇଛି। ସୂଚନା ଅନୁସାରେ ଜିଲ୍ଲାରେ ୧୬ ତାରିଖ ସୁଦ୍ଧା ୨୪୫ ଜଣ ଚାଷୀଙ୍କ ୩୦ ହଜାର୨୧୪ ବସ୍ତା ଧାନ ମଣ୍ଡିରେ ପଡ଼ିଛି। ମୌସୁମୀ ବର୍ଷାରେ ବହୁ ଚାଷୀଙ୍କ ଧାନ ନଷ୍ଟ ହେବା ସହ ଗଜା ହେବାକୁ ବସିଲାଣି। ଅନ୍ୟପେକ୍ଷ ଚାଷୀମାନେ ମଣ୍ଡିରେ ଧାନ ରଖି ‌ଟୋକନକୁ ଅପେକ୍ଷା କରି ଶେଷରେ ଧାନକୁ ଘରକୁ ନେଇ ବେପାରୀମାନଙ୍କ ଠାରେ କମ୍ ଦରରେ ବିକ୍ରି କରିଥିବା ଦେଖିବାକୁ ମିଳିଛି।

ବିଭାଗୀୟ ତଥ୍ୟ ଅନୁସାରେ, ନୂଆପଡ଼ା ବ୍ଲକ୍‌ ବେଟୁକୁରୀ ମଣ୍ଡିରେ ୬୮ ଜଣା ଚାଷୀଙ୍କ ୮୫୪୩ ବସ୍ତା, କୁଲିଆବନ୍ଧା ମଣ୍ଡିରେ ୪ ଜଣ ଚାଷୀଙ୍କ ୫୦୧ବସ୍ତା, ଖରିଆର ରୋଡ୍‌ ମଣ୍ଡିରେ ଜଣେ ଚାଷୀଙ୍କ ୧୦୪ ବସ୍ତା, ନୂଆପଡ଼ା ପେକ୍ସ ନୂଆପଡ଼ା ମଣ୍ଡିରେ ୨୭ ଜଣ ଚାଷୀଙ୍କ ୩୪୭୦ ବସ୍ତା, ଦର୍ଲିମୁଣ୍ଡା ପେକ୍ସ ସାହିପଲା ମଣ୍ଡିରେ ୨୨ ଜଣ ଚାଷୀଙ୍କ ୨୮୧୧ ବସ୍ତା, ସାରାବଙ୍ଗ ପେକ୍ସ ସାରାବଙ୍ଗ ମଣ୍ଡିରେ ୨୩ ଜଣ ଚାଷୀଙ୍କ ୩୫୧୭ ବସ୍ତା, କୋମନା ବ୍ଲକ୍‌ର ଉଦ୍ୟାନବନ୍ଧ ମଣ୍ଡିରେ ୨୨ ଜଣ ଚାଷୀଙ୍କ ୨୭୨୧ ବସ୍ତା, ଭେଲା ମଣ୍ଡିରେ ୨ ଜଣ ଚାଷୀଙ୍କ ୧୭୩ ବସ୍ତ ଧାନ, ଜଡ଼ାମଣ୍ଡି ମଣ୍ଡିରେ ୨୧ ଜଣ ଚାଷୀଙ୍କ ୨୪୪୭ ବସ୍ତା ଧାନ, ତରବୋଡ଼ ମଣ୍ଡିରେ ୩୮ଜଣ ଚାଷୀଙ୍କ ୪୬୮୦ ବସ୍ତା ଧାନ, କାଣ୍ଡେତରା ମଣ୍ଡିରେ ୧୭ ଜଣ ଚାଷୀଙ୍କ ୧୨୪୧ ବସ୍ତା ଧାନ ପଡ଼ି ରହିଛି। ଜିଲ୍ଲାରେ ୧୬ ତାରିଖ ସୁଦ୍ଧା ୫୬୬୬ ଜଣ ଚାଷୀଙ୍କ ୩, ୩୨, ୮୯୮, ୯୩ କ୍ବିଣ୍ଟାଲ ଧାନ ଜିଲ୍ଲା ପ୍ରଶାସନ କ୍ରୟ କରିସାରିଛି। ଆଉ କିଛି ଦିନ ମଧ୍ୟରେ ମଣ୍ଡି ବନ୍ଦ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାର ପଞ୍ଜିକୃତ ଚାଷୀଙ୍କଠାରୁ ତୁରନ୍ତ ରବି ଧାନ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର