ବ୍ୟାପକ ଫସଲ ନଷ୍ଟ ପାଇଁ ଚିନ୍ତାରେ ଚାଷୀ

ବେତନଟୀ: ସପ୍ତାହେ ପୂର୍ବରୁ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। ସେଥିରୁ ୬୨ଟି ହାତୀ ବେତନଟୀ ରେଞ୍ଜକୁ ଆସି ନଡ଼ପୁର ଓ ଫୁଲଝରି ଜଙ୍ଗଲରେ ରହି ଆଖପାଖରେ ଉପଦ୍ରବ କରୁଛନ୍ତି। ବିଳମ୍ବିତ ରାତିରେ ଜଙ୍ଗଲରୁ ବାହାରି ମୁଖ୍ୟ ରାସ୍ତା ସମେତ ଗାଁଗଣ୍ଡାରେ ବୁଲୁଛନ୍ତି। ହାତୀଙ୍କ ଭୟରେ ଲୋକେ ରାତିରେ ଘରୁ ଗୋଡ଼ କାଢ଼ିବାକୁ ସାହସ କରୁନାହାନ୍ତି। ହାତୀପଲ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ମାସକ ପରେ ଫସଲ ଅମଳର ଆଶା ରଖିଥିବା ଚାଷୀ ଏବେ ସବୁ ପରିଶ୍ରମ ବୃଥା ଯିବାନେଇ ଚିନ୍ତା ପ୍ରକଟ କଲେଣି।

ସ୍ଥାନୀୟ ଚାଷୀ ମଙ୍ଗଲ ସିଂ’ଙ୍କ କହିବା ଅନୁଯାୟୀ; ପୂର୍ବରୁ ହାତୀପଲ ଆସିଲେ ଦିନେ ଦୁଇଦିନ ରହି ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ କିମ୍ବା ପୁଣି ଝାଡ଼ଖଣ୍ଡ ମୁହାଁ ହୋଇଥା‌ନ୍ତି। ହେଲେ ଚଳିତ ବର୍ଷ ୪ ଦିନରୁ ଅଧିକ ରହି ତାଣ୍ଡବ ରଚିବା ପରେ ବି ଫେରିବାର ନାଁ ଧରୁନାହାନ୍ତି। ଅନ୍ୟପଟେ ବନବିଭାଗ ହାତ ବା‌ନ୍ଧି ବସିଛି। ଠିକଣା ସମୟରେ ହାତୀ ଘଉଡ଼ାଉ ନାହିଁ କି କ୍ଷତିପୂରଣ ପ୍ରଦାନ କରୁନି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ତେବେ ହାତୀପଲ ଉପରେ ନଜର ରଖାଯାଇଥିବା ଓ ଧନଜୀବନ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଥିବା ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ଓ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର କହିଛନ୍ତି।

ସମ୍ବନ୍ଧିତ ଖବର