ଭିନ୍ନମୋଡ଼ ନେଲା ନାବାଳିକାଙ୍କ ମୃତ୍ୟୁ ରହସ୍ୟ : ୨୨ ମାସ ପରେ କବରରୁ କଢ଼ାଗଲା ଶବ

ଘୁ.ଉଦୟଗିରି : ୨୨ ମାସ ପରେ ନାବାଳିକା ସେଲିବ୍ରେଟ୍‌ ମୃତ୍ୟୁ ରହସ୍ୟ ଭିନ୍ନମୋଡ଼ ନେଇଛି। ପରିବାର ଲୋକଙ୍କ ଏତଲା ପରେ କନ୍ଧମାଳ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପଦକ୍ଷେପସ୍ବରୂପ କବରରୁ ସେଲିବ୍ରେଟ୍‌ଙ୍କ ଶବ କଢ଼ାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବ‌ଚ୍ଛେଦ ପାଇଁ ପଠାଯାଇଛି। ସେଲିବ୍ରେଟ୍‌ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସୂଚନା ମୁତାବକ ଗତ ୨୦୧୮ ମସିହା ଫେବୃଆରି ୧ତାରିଖରେ ଯିହୋଶୂୟ ନାୟକଙ୍କ କନ୍ୟା ଜେ.ଏସ ସେଲିବ୍ରେଟ୍‌ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେଲିବ୍ରେଟ୍‌ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢୁଥିଲେ। ସେହି ସମୟରେ ଘରେ ବଡ଼ଜ୍ବାଇଁ ସ୍ମରଜିତ ନାୟକ ଥିଲେ। ସେଲିବ୍ରେଟ୍‌ ଆତ୍ମହତ୍ୟା ସ୍ମରଜିତ କହିବା ସହିତ ଶବକୁ ତୁରନ୍ତ ଗାଁକୁ ନେଇ କବର ଦେବା ବ୍ୟବସ୍ଥା କରିଥିଲେ। ତାପରଦିନ ଭୋରରୁ ସ୍ଥାନୀୟ ମାଳିକାପଡ଼ି ଚର୍ଚ୍ଚ ପାର୍ଶ୍ବରେ ସେଲିବ୍ରେଟ୍‌ଙ୍କୁ କବର ଦିଆ ଯାଇଥିଲା।

ତେବେ, ପାରିପାର୍ଶ୍ବିକ ସ୍ଥିତି, ଜ୍ବାଇଁଙ୍କ ହାବଭାବ ଦେଖି ସେଲିବ୍ରେଟ୍‌ଙ୍କ ବାପାମାଆ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ସନ୍ଦେହ କରି ପୁଲିସରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ଥାନା ଅଧିକାରୀ ଧିରାଜ ଲେଙ୍କା କେସ ନଂ ୧୩୧/୧୯ରେ ମାମଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ମାଲିକାପଡ଼ି ଚର୍ଚ୍ଚ ପାର୍ଶ୍ବ କବରସ୍ତାନରେ ଏକଜ୍‌କ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲ୍‌ଦାର ଏସ୍‌.ରାଜେଶ ପାତ୍ରଙ୍କ ଉପସ୍ଥିତିରେ କବର ଖୋଳି ସେଲିବ୍ରେଟ୍‌ଙ୍କ ଶବ ବାହାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବ‌ଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର