ଅନୁଗୁଳ ନିର୍ବାଚନମଣ୍ଡଳୀ: ଶାସକ ଦଳରୁ ରଜନୀକାନ୍ତ ନା ଅାଉ କିଏ, ବିଜେଡିକୁ ଚିନ୍ତା ‘ଭୋଟ୍‌ହାର’

ଅନୁଗୁଳ: ବିଜୁ ଜନତା ଦଳ ଗଠନ ପରଠାରୁ ଅନୁଗୁଳ ବିଧାନସଭା ଆସନରେ କେବେ ହାରିନି। କିନ୍ତୁ ଭୋଟ୍‌ ପ୍ରତିଶତ କମି କମି ଆସିଛି। ଆସନ୍ତା ନିର୍ବାଚନରେ ବିଜେଡିର ବିଜୟ ପଥରେ ଅଙ୍କୁଶ ଦେବାପାଇଁ ବିଜେପି ପୂରାପୂରି ପ୍ରସ୍ତୁତ ରହିଛି। ଦଳର ପ୍ରାର୍ଥୀ ମଧ୍ୟ ଚୂଡ଼ାନ୍ତ ହୋଇସାରିଥିବା କୁହାଯାଉଛି। ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ଗଠନ ହୁଏ, ସେତେ‌ବେଳେ ହୁଏତ ପୂର୍ବରଣନୀତି ବଦଳି ଯାଇପା‌ରେ। ଗତ ୨୦୧୯ ମସିହା ନିର୍ବାଚନକୁ ଦୃଷ୍ଟି ପକାଇଲେ ବିଜେଡିର ରଜନୀକାନ୍ତ ସିଂହ ୮୮୨୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରି ଲଗାତାର ଚତୁର୍ଥଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡିନେତା ଶ୍ରୀ ସିଂହ ଲଗାତାର ଭାବେ ଜିତି ଆସୁଥିଲେ ମଧ୍ୟ ଭୋଟ୍‌ ହାର କମିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ କଂଗ୍ରେସ ‌ବିଧାୟକ ପ୍ରାର୍ଥୀ ବିପ୍ଳବ ଜେନାଙ୍କୁ ବିଜେଡିରେ ମିଶାଯାଇଛି। ଗତ ନିର୍ବାଚନରେ ବିପ୍ଳବ ୩୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ଏହା ବିଜେଡି ପାଇଁ ଫାଇଦା ହେବ ବୋଲି ଆଶା ରଖିଛି ଦଳ। ହେଲେ କାହାକୁ ଟିକେଟ ମିଳିବ ସେଥିନେଇ ଦଳ ଏପର୍ଯ୍ୟନ୍ତ ଚିତ୍ର ‌ସ୍ପଷ୍ଟ କରୁନି। ଦଳୀୟ ସଂଗଠନ ଏବେ ବିଧାୟକ ରଜନୀକାନ୍ତ ସିଂହଙ୍କ ‌କାନ୍ଧରେ ରହିଥିଲାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଉପବାଚସ୍ପତି ପଦ ଛାଡ଼ି ଦଳୀୟ ସଂଗଠନ ବୁଝୁଛନ୍ତି। ତାଙ୍କ ପୁଅ ଅରୁଣାଭ ସିଂହ ତାଙ୍କୁ ଏଥିରେ ସହାୟତା କରୁଛନ୍ତି। ‌ତେଣୁ ସ୍ବାଭାବିକ ଭାବେ ଟିକେଟ ଦୌଡ଼ରେ ଉଭୟ ବାପ-ପୁଅ ରହିଥିବା କୁହାଯାଉଛି। ଏପଟେ ଦୀର୍ଘଦିନ ଧରି ଟିକେଟ ଆଶାରେ ଥିବା ଶକ୍ତିପ୍ରସାଦ ପଟ୍ଟନାୟକ, ଦିନେଶ ପ୍ରଧାନ ଓ ଭକ୍ତିପ୍ରସାଦ ଦାସଙ୍କ ନାମ ଚର୍ଚ୍ଚାରେ ରହିଛି। କଂଗ୍ରେସରୁ ଆସିବା ପରେ ବିପ୍ଳବ ଜେନା ମଧ୍ୟ ଜଣେ ପ୍ରମୁଖ ଦାବିଦାର ଭାବେ ଛିଡ଼ା ହୋଇଛନ୍ତି। ଏପଟେ ଦଳ ମହିଳା କାର୍ଡ ଖେଳିଲେ ସଂଯୁକ୍ତା ସିଂହ କିମ୍ବା ମୀରା ଗଡ଼ନାୟକଙ୍କ ଭିତରୁ କାହାକୁ ଟିକେଟ ମିଳିପାରେ।

ବିଜେପିରୁ ପ୍ରାର୍ଥୀହେବେ ପ୍ରତାପ ପ୍ରଧାନ
ବିପ୍ଳବ ଜେନା ଦଳ ଛାଡ଼ିବା ପରେ କଂଗ୍ରେସର ପ୍ରାର୍ଥୀଖୋଜା

ଅନ୍ୟପକ୍ଷରେ, ବିଜେପିରେ ଟିକେଟ ନେଇ ବିଶେଷ ସମସ୍ୟା ନାହିଁ। ଗତ ପାଳିରେ ବିଜେଡିକୁ କଡ଼ା ଟକ୍କର୍‌ ଦେଇଥିବା ପ୍ରତାପ ପ୍ରଧାନଙ୍କୁ ଦଳ ପୁଣି ପ୍ରାର୍ଥୀ କରିବା ନିଶ୍ଚିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ସଙ୍କେତ ପାଇବାପରେ ସେ ସଂଗଠନ କାମରେ ଲାଗି ପଡ଼ିଛନ୍ତି। ଏପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେଥିନେଇ ଅକଳରେ ପଡ଼ିଛି। ଗତଥର ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନା ଦଳ ଛାଡ଼ିଥିବାରୁ ନୂଆ ମୁହଁ ଖୋଜୁଛି ଦଳ। ଏଥିପାଇଁ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ସମେତ ଅମ୍ବିକା ଭଟ୍ଟ, ଜିତେନ୍ଦ୍ର ସାହୁ, ଜୟନ୍ତ ମିଶ୍ର, ପ୍ରବୋଧ ସ୍ବାଇଁ, ମୁନା ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର