ନିଶା ମାଫିଆଙ୍କ କୋକୁଆଭୟ: ୧୦ ଦିନରେ ୭୮୩ ଜଣଙ୍କୁ ଜେଲ୍

୫ କୋଟିର ଚୋରା ନିଶାଦ୍ରବ୍ୟ ଜବତ, ସବୁ ଜିଲ୍ଲାରେ ଅବକାରୀ ଚଢ଼ଉ

କଟକ : ରାଜ୍ୟରେ ନିଶା କାରବାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଗଲା ୧୦ ଦିନ ଭିତରେ ମୋଟ ୭୮୩ଜଣ ନିଶା ମାଫିଆ ଗିରଫ ହେଲେଣି। ଏମାନଙ୍କ ବିରୋଧରେ ୯୨୦ ମାମଲା ରୁଜୁ ହୋଇଛି। ମାଫିଆଙ୍କ ନିକଟରୁ ଗଞ୍ଜେଇ, ବ୍ରାଉନସୁଗାର ଓ ମଦକୁ ମିଶାଇ ମୋଟ ୫କୋଟି ୩୪ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି। ପରିସ୍ଥିତି ଏଭଳି ହେଲାଣି ଯେ ରାଜ୍ୟରେ ନିଶା ମାଫିଆମାନେ ସଡ଼କପଥରେ ନିଶା କାରବାର କରିବାକୁ ଭୟ କଲେଣି। ତେଣୁ ଏବେ ସାମୟିକ ଭାବେ ନିଶା କାରବାର ବନ୍ଦ କରିଥିବା କୁହାଯାଉଛି।

 

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧ ତାରିଖରୁ ୧୦ ତାରିଖ ଭିତରେ ଅବକାରୀ ବିଭାଗ ଦୈନିକ ପ୍ରାୟ ୭୮ଜଣ ନିଶା ମାଫିଆଙ୍କୁ ଗିରଫ କରୁଛି। ଏହି ୧୦ ଦିନ ଭିତରେ ମୋଟ ୨୩ ହଜାର ୫୨୦ ଲିଟର ଦେଶୀମଦ, ୨ଲକ୍ଷ ଲିଟରରୁ ଅଧିକ ଦେଶୀମଦ ତିଆରି ସାମଗ୍ରୀ, ୨୦୫ ଲିଟର ବିଦେଶୀ ମଦ, ୬ ହଜାର ୭୯୦ ଲିଟର ବିଅର, ୧ ହଜାର ୧୮ କେଜି ଗଞ୍ଜେଇ, ୪ ଶହ ୪୧ ଗ୍ରାମ ବ୍ରାଉନସୁଗାର, ୮ ଶହ ୧୨ କେଜି ଭାଙ୍ଗ ଏବଂ ୩ ଶହ ୭୫ ଲିଟର ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ସହିତ ୪୬ଟି ଦୁଇଚକିଆ ଓ ଚାରିଚକିଆ ଯାନ ଜବତ ହୋଇଛି। ରାଜ୍ୟ ଫ୍ଲାଇଂ ସ୍କ୍ୱାଡ୍‍ ଖୋର୍ଦ୍ଧା ସହରରୁ ୨ ଶହ ୨୫ ଲିଟର ନକଲି ବିଦେଶୀ ମଦ ଓ ୩୯ ଲିଟର ବିଅର ଜବତ ସହିତ ଏହି ମାମଲରେ ଜଣଙ୍କୁ ଗିରଫ କରିଥିଲା। ସେହିଭଳି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‍ ନୂଆପାଟଣା ଅଞ୍ଚଳରୁ ୮୪ଲିଟର ନକଲି ବିଦେଶୀ ମଦ ସହିତ ଗୋଟିଏ ଅଟୋ ଓ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‍ ନବରଙ୍ଗପୁର ଜିଲ୍ଲାରୁ ୮୨ଲିଟର ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ଜବତ କରିଥିବା ବେଳେ ଏହି ମାମଲାରେ ଜଣେ ମାଫିଆ ଗିରଫ ହୋଇଛି। ଗଜପତି ଜିଲ୍ଲା ଅବକାରୀ ବିଭାଗ ୬ ଶହ କେଜି ଗଞ୍ଜେଇ ସହିତ ଗୋଟିଏ ପିକଅପ୍‍ ଭ୍ୟାନ ଜବତ କରିଥିବା ବେଳେ ଜଣେ ମାଫିଆକୁ ଗିରଫ କରିଛି। ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ ୧ଶହ ୩୨ କେଜି ଗଞ୍ଜେଇ ଜବତ କରିଛି। କଟକ ଜିଲ୍ଲା ଅବକାରୀ ବିଭାଗ ୯୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୨ହଜାର ଟଙ୍କା ଆକଳନ କରାଯାଇଛି। ସେହିଭଳି ଚଳିତମାସ ୯ତାରିଖରେ କଟକ ଅବକାରୀ ଅଧିକାରୀ ଓ ଫ୍ଲାଇଂ ସ୍କ୍ୱାଡ୍‍ ଖୋର୍ଧା ଜଙ୍କିଆରୁ ୮ଶହ କେଜି ଭାଙ୍ଗ ଜବତ କରିଥିବାବେଳେ ୮ତାରିଖରେ ପ୍ରାୟ ୭୦ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି। ଅବକାରୀ ବିଭାଗ ଯେଭଳି ନିୟମିତ ଚଢ଼ଉ ଜାରି ରଖିଛି ରାଜ୍ୟାରେ ନିଶା ମାଫିଆଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର