ଟଳିନି ମ୍ୟୁକର୍‌ମାଇକୋସିସ୍‌ର ଭୟ: ଏମ୍ସରେ ଏବେ ବି ୨୦ ଚିକିତ୍ସାଧୀନ

୩ ମାସରେ ୭୮ ସୁସ୍ଥ, ୨୦ ମୃତ୍ୟୁ, କେମୋଥେରାପି ନେଉଥିବା ଶିଶୁ ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ଟଳିନି ମ୍ୟୁକର୍‌ମାଇକୋସିସ୍‌ର ଭୟ। ଏହି ରୋଗୀରେ ପୀଡ଼ିତ ହୋଇ ଏମ୍ସରେ ଏବେବି ୨୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଏନ୍‌ଟି ବିଭାଗର ବିଶେଷଜ୍ଞ ଡାକ୍ତର ସି. ପ୍ରୀତମ କହିଛନ୍ତି, ମ୍ୟୁକର୍‌ମାଇକୋସିସ୍‌ ନେଇ ଲୋକେ ସଚେତନ ହେଲେଣି। ଏଥିଯୋଗୁଁ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ଏହା ସେତେ ବ୍ୟାପିବ ନାହିଁ ବୋଲି ଆଶା ରହିଛି। ଶିଶୁମାନଙ୍କ ମଧ୍ୟରେ ମ୍ୟୁକର୍‌ମାଇକୋସିସ୍‌ ହେବାର ଆଶଙ୍କା କମ ଥିଲେ ମଧ୍ୟ କେମୋଥେରାପି ନେଉଥିବା, ମଧୁମେହ ରୋଗରେ ପୀଡ଼ିତ ଶିଶୁ ରୋଗୀଙ୍କ ଅଭିଭାବକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଷ୍ଟେରଏଡ ନେଉଥିବା ବ୍ୟକ୍ତି ମଧୁମେହକୁ ନିୟନ୍ତ୍ରଣ କରିବାକୁ ଡ. ପ୍ରିତମ କହିଛନ୍ତି।

କୋଭିଡ୍‌ ପରର ଜଟିଳତାର ସର୍ବାଧିକ ବଡ଼ ପ୍ରଭାବ ଭାବେ ମ୍ୟୁକର୍‌ମାଇକୋସିସ୍‌ ଦେଖାଦେଇଥିଲା। ପୂର୍ବରୁ ଏହି ଫଙ୍ଗ୍‌ସ ଥିଲେ ମଧ୍ୟ ରୋଗୀ ସଂଖ୍ୟା ଏତେ ନଥିବାରୁ ଏସମ୍ପର୍କରେ ଅଧିକାଂଶ ଅବଗତ ନଥିଲେ। ହେଲେ ମେ’ ଏବଂ ଜୁନ୍‌ ମାସ ସ୍ଥିତି ବଦଳାଇ ଦେଇଥିଲା। ଏହି ଫଙ୍ଗ୍‌ସ ନାକ, ଆଖି ଦେଇ ଶରୀରକୁ ସଂକ୍ରମିତ କରି ଜୀବନ ନେଇ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହି ସମୟରେ ଏମ୍ସରେ ପ୍ରତିଦିନ ଅନେକ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଥିଲେ। ୩ ମାସରେ ଏହି ଡାକ୍ତରଖାନାର ୯୦ ଜଣ ମ୍ୟୁକର୍‌ମାଇକୋସିସ୍‌ରେ ଚିକିତ୍ସିତ ହୋଇଥିଲେ। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ସୁସ୍ଥ ହୋଇଛନ୍ତି। ୩୩ ଜଣ କେବଳ ଇଏନ୍‌ଟି ବିଭାଗରେ ଚିକିତ୍ସାଧୀନ ଥିଲେ। ସମୁଦାୟ ୯୦ ରୋଗୀଙ୍କ ମଧ୍ୟରୁ ୩୭ ଜଣ ରେଫର ହୋଇ ବିଭିନ୍ନ ଡାକ୍ତରଖାନାରୁ ଆସିଥିଲେ। ଏମାନଙ୍କ ଅବସ୍ଥା ଆହୁରି ଜଟିଳ ହୋଇଥିଲା। ଏହି ଚିକିତ୍ସା ପାଇଁ ବ୍ୟବହୃତ ସର୍ବାଧିକ ବ୍ୟୟବହୁଳ ଆମ୍ଫୋଟେରିସିନ-ବି ବ୍ୟାପକ ଭାବରେ କଳାବଜାର ହେଉଥିଲା। ଏମ୍ସ ପକ୍ଷରୁ ୧.୪୨ କୋଟି ଟଙ୍କା ଖର୍ଚ କରାଯାଇ ୪୧୧୦ଟି ଭାଏଲ ରୋଗୀଙ୍କୁ ଦିଆଯାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସାଧାରଣରେ ଧାରଣା ରହିଛି ଯେ ଦୀର୍ଘଦିନ ଧରି ଆଇସିୟୁରେ ଚିକିତ୍ସିତ କୋଭିଡ୍‌ ଆକ୍ରାନ୍ତଙ୍କୁ ମ୍ୟୁକର୍‌ମାଇକୋସିସ୍‌ ହୋଇଥାଏ। ମାତ୍ର କେନ୍ଦୁଝର ଜିଲ୍ଲାର ଅମ୍ବର ଖଟୁଆ କହିଛନ୍ତି, ଏପ୍ରିଲ ୨୭ରେ କରୋନା ଯୋଗୁଁ ଏମ୍ସରେ ୭ ଦିନ ଚିକିତ୍ସାଧୀନ ଥିଲେ। ଏହି ସମୟରେ ତାଙ୍କୁ ଅକ୍ସିଜେନ ଲାଗିଥିଲେ ମଧ୍ୟ ଆଇସିୟୁରେ ଭର୍ତ୍ତି ହୋଇନଥିଲେ। ଏହା ସତ୍ତ୍ବେ ସେ ମ୍ୟୁକର୍‌ମାଇକୋସିସ୍‌ର ଶିକାର ହୋଇଥିଲେ। କୋଭିଡ୍‌ରୁ ସୁସ୍ଥ ହେବାର କିଛି ଦିନ ପରେ ପ୍ରଥମେ ଦାନ୍ତ ଏବଂ ପରେ ଆଖି କଷ୍ଟ ହୋଇଥିଲା। ନାକରୁ ପଚା ପାଣି ବାହାରୁ ଥିଲା। ଏଥିଯୋଗୁଁ ପ୍ରଥମେ କେନ୍ଦୁଝର ଏବଂ ପରେ ଭୁବନେଶ୍ବରରେ ସ୍ଥିତ ଆଖି ଡାକ୍ତରଖାନାରେ ଆଖି ପରୀକ୍ଷା କରାଇଥିଲେ। ମ୍ୟୁକର୍‌ମାଇକୋସିସ୍‌ ଆଶଙ୍କାରେ ଏମ୍ସରେ ଦେଖାଇଥିଲେ। ସେଠାରେ ଏମଆରଆଇ ଏବଂ ଏଣ୍ଡୋସ୍କୋପିରେ ଫଙ୍ଗ୍‌ସ ଚିହ୍ନଟ ହୋଇଥିଲା। ଜୁନ ୨୨ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତୁରନ୍ତ ତାଙ୍କ ଶରୀରରୁ ଫଙ୍ଗ୍‌ସ ବାହାର କରି ଦିଆଯାଇ ଥିଲା। ୨୬ ତାରିଖରେ ସେ ଡିସଚାର୍ଜ ହୋଇଥିଲେ। ବର୍ତ୍ତମାନ ସେ ସୁସ୍ଥ ହେଲେ ମଧ୍ୟ ଦୁର୍ବଳତା ଅନୁଭବ କରୁଥିବା କହିଛନ୍ତି। ୬ ମାସ ପାଇଁ ଡାକ୍ତର ସ୍ବତନ୍ତ୍ର ଔଷଧ ଦେଇଥିଲେ। ନିୟମିତ ବ୍ୟବଧାନରେ ଯାଞ୍ଚ ପାଇଁ ଡାକ୍ତରଖାନା ଯିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର