ଟାଟା ଫେରୋକ୍ରମ ପ୍ଲାଣ୍ଟ୍‌ରେ ଶ୍ରମିକ ଅଶାନ୍ତି, ପୁଲିସ୍‌ ସହ ମୁହାଁମୁହିଁ; ୧୦ ଆହତ, ୭୮ ଗିରଫ

ଛତ୍ରପୁର : ସ୍ଥାୟୀ ନିଯୁକ୍ତି ଦାବିରେ ଗୋପାଳପୁର ଶିଳ୍ପ ପାର୍କ ସ୍ଥିତ ଟାଟା ଫେରୋକ୍ରମ କାରଖାନା ପରିସରରେ ପୁଣି ଶ୍ରମିକ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଆନ୍ଦୋଳନ ଚାଲିଥିଲାବେଳେ ପୁଲିସ୍‌ ସହ ଶ୍ରମିକ ମାନେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ୬ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ପୁଲିସ୍‌ ଆନ୍ଦୋଳନରତ ୭୮ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଶନିବାରଠାରୁ ଶ୍ରମିକମାନେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଜି ସକାଳ ୯ଟାରେ ଚମାଖଣ୍ଡି ପୁଲିସ ଓ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଧାରଣାସ୍ଥଳକୁ ଯାଇ ପ୍ରକଳ୍ପ ପରିସରରୁ ହଟିବାକୁ ଶ୍ରମିକମାନଙ୍କୁ କହିଥିଲେ। ମାତ୍ର, ଶ୍ରମିକମାନେ ନମାନିବାରୁ ସେମାନଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାପରେ ପୁଲିସ୍‌ ଦୁଇଟି ଭ୍ୟାନ୍‌ରେ ଧ‌ାରଣାସ୍ଥଳରୁ ଶ୍ରମିକ ମାନଙ୍କୁ ଆଣୁଥିଲା। ଏହି ସୂଚନା ପାଇ ଶ୍ରମିକଙ୍କ ପରିବାର ଲୋକେ ଟାଟା ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ପୁଲିସକୁ ବିରୋଧ କରିଥିଲେ। ଶତାଧିକ ମହିଳା ଓ ପୁଲିସ ଫୋର୍ସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ‌ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ୬ ଜଣ ମହିଳାଙ୍କ ସମେତ ୧୦ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ, ଗିରଫ ୭୮ ଜଣ ଶ୍ରମିକଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଛତ୍ରପୁର ଏସଡିପିଓ ଉତ୍କଳକେଶରୀ ଦାଶ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର