ଫିଲ୍ମ ନିର୍ମାତା ବାସୁ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ବାସୁ ଚାଟାର୍ଜୀଙ୍କର ପରଲୋକ ହୋଇଯାଇଛି। ସାଧାରଣ ମଣିଷର ସମ୍ବେଦନଶୀଳ କଥାବସ୍ତୁକୁ ଚଳଚ୍ଚିତ୍ର ଜରିଆରେ ଉପସ୍ଥାପିତ କରି ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଚଳଚ୍ଚିତ୍ର ନିର୍ମାତା ୯୦ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ରଜନୀଗନ୍ଧା, ବାତୋଁ ବାତୋଁ ମେ, ଏକ ରୁକା ହୁଆ ଫୈସଲା, ଚିତ୍ତଚୋର ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଭେଟି ଦେଇଥିବା ଶ୍ରୀ ଚାଟାର୍ଜୀଙ୍କ ମୃତ୍ୟୁ ପରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ଆଜ୍‌ମେରରେ ଜନ୍ମିତ ଶ୍ରୀ ଚାଟାର୍ଜୀ ପ୍ରଥମେ ଚିତ୍ରକର ଓ କାର୍ଟୁନିଷ୍ଟ୍ ଭାବେ ଜୀବନ ଆରମ୍ଭ କରିଥିଲେ। ସାଧାରଣ କଥାରେ ହାସ୍ୟରସ ଭରିବାରେ ସେ ଜଣେ ଚମତ୍କାର ଯାଦୁଗର ଥିଲେ। ରାଜ କପୁର-ଵାହିଦା ରେହମାନଙ୍କ ଅଭିନୀତ ‘ତିସ୍‌ରି କସମ୍’ ଚଳଚ୍ଚିତ୍ରରେ ଶ୍ରୀ ଚାଟାର୍ଜୀ ସହଯୋଗୀ ନିର୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ୧୯୬୯ ମସିହାରେ ସେ ‘ସାରା ଆକାଶ’ ଚଳଚ୍ଚିତ୍ର ଜରିଆରେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏହା ତାଙ୍କୁ ସେତେବେଳେ ‘ବାଲକୋନୀ କ୍ଲାସ ନିର୍ଦେଶକ’ର ଆଖ୍ୟା ଦେଇଥିଲା। ସାଧାରଣ କଥାକୁ ଅସାଧାରଣ ଭାବେ ଉପସ୍ଥାପନ କରିବାରେ ସେ ମାହିର ହୋଇଗଲେ। ତାଙ୍କ ଫିଲ୍ମରେ ନାୟକମାନେ ବସ୍‌ରେ ଯାତ୍ରା କରୁଥିଲେ, ଅଫିସ କ୍ୟାଣ୍ଟିନରେ ନଚେତ ଲୋକାଲ ଟ୍ରେନ୍‌ରେ ଭେଟାଭେଟି ପରେ ନାୟିକାଙ୍କ ସହ ରୋମାନ୍ସ କରୁଥିଲେ। ପିୟା କା ଘର, ଛୋଟି ସି ବାତ୍‌, ଚିତ୍ତଚୋର, ଖଟାମିଠା ଓ ସୌକିନ ଭଳି ଫିଲ୍ମରେ ଏହା ଦେଖିବାକୁ ମିଳିଛି। ସେ ତାଙ୍କ କ୍ୟାମେରାରେ ସର୍ବଦା ମଧ୍ୟବିତ୍ତ ତଥା ସହରୀ ଲୋକଙ୍କ ଜୀବନଶୈଳୀକୁ କଏଦ କରୁଥିଲେ। ସେ ଦିନେ କହିଥିଲେ, ମୁଁ ଏକ ମଧ୍ୟବିତ୍ତ ପରିବାରରୁ ଆସିଛି। ତେଣୁ ମୁଁ ସେଇ ଜୀବନକୁ ଜାଣିଛି ଏବଂ ତାକୁ ହିଁ ଚିତ୍ରଣ କରିଛି। ଫିଲ୍ମ ଜଗତରେ ସମସ୍ତେ ତାଙ୍କୁ ସ୍ନେହରେ ‘ବାସୁଦା’ ବୋଲି ଡାକୁଥିଲେ।

ହୃଷୀକେଶ ମୁଖାର୍ଜୀଙ୍କ ସହ ମିଶି ବାସୁ କିଛି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଅମିତାଭ ବଚ୍ଚନ, ବିଦ୍ୟା ସିହ୍ନା, ଅମୋଲ ପାଲେକର, ଜରିନା ୱାହବଙ୍କ ଭଳି ଚରିତ୍ରଙ୍କୁ ନେଇ ଶ୍ରୀ ଚାଟାର୍ଜୀ ମଧ୍ୟବିତ୍ତଙ୍କ କଥାକୁ ଚିତ୍ରଣ କରିଥିଲେ। ତାଙ୍କ ଚଳଚ୍ଚିତ୍ରରେ ସାଧାରଣ ମଣିଷର ଜୀବନ ପ୍ରତିଫଳିତ ହୋଇଥିଲା। ଏଥିସହ ସେ ଦୂରଦର୍ଶନର ଲୋକପ୍ରିୟ ଟିଭି ଧାରାବାହିକ ବ୍ୟୋମକେଶ ବକ୍ସି ଓ ରଜନୀର କିଛି ଏପିସୋଡର ନିର୍ଦେଶନା ଦେଇଥିଲେ। ୧୯୮୬ ରେ ତାଙ୍କ ନିର୍ମିତ ଚଳଚ୍ଚିତ୍ର ‘ଏକ ରୁକା ହୁଆ ଫୈସଲା’ ‘ଟୁଏଲ୍‌ଭ ଆଙ୍ଗ୍ରି ମେନ’ର ରୂପାନ୍ତର ହୋଇଥିଲେ ମଧ୍ୟ ତାହା ବେଶ୍‌ ଚର୍ଚ୍ଚିତ ହୋଇଥିଲା। ୧୯୯୨ ମସିହାରେ ସେ ‘ଦୁର୍ଗା’ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ମଧ୍ୟାହ୍ନ ୨ଟାରେ ସାଣ୍ଟାକ୍ରୁଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଏନେଇ ଚଳଚ୍ଚିତ୍ର ନିର୍ମାତା ତଥା ଭାରତୀୟ ଚଳଚ୍ଚିତ୍ର ଓ ଟିଭି ନିର୍ଦ୍ଦେଶକ ସଂଘର ସଭାପତି ଅଶୋକ ପଣ୍ଡିତ ଟ୍ୱିଟ୍ କରି କହିଛନ୍ତି, କିଂବଦନ୍ତି ଚଳଚ୍ଚିତ୍ର ନିର୍ମାତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ତାଙ୍କ ମୃତ୍ୟୁ ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି।

ସମ୍ବନ୍ଧିତ ଖବର