ରାଜ୍ୟର ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ : ସୁପ୍ରିମକୋର୍ଟରେ ମାମଲା ରୁଜୁ

କଟକ : ରାଜ୍ୟର ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ନିଷ୍କ୍ରିୟତା ଅଭିଯୋଗ କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାୟର ହୋଇଛି।

କଟକ ମଙ୍ଗଳାବାଗ ବଢେଇସାହିର ଆଇନଜୀବୀ କିରଣବାଳା ମହାରଣାଙ୍କ ପକ୍ଷରୁ ରୁଜୁ ଆବେଦନରେ ଦର୍ଶଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସାରାରାଜ୍ୟରେ ଅଦାଲତର ସ୍ବାଭାବିକ କାର୍ଯ୍ୟ ହୋଇପାରୁନାହିଁ। ଅଦାଲତ ବନ୍ଦ୍ ଥିବାରୁ ଓକିଲାତି ପେସାରୁ ରୋଜଗାର କରି ଚଳୁଥିବା ଆଇନଜୀବୀଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ବିଶେଷ କରି ଯୁବ ଆଇନଜୀବୀଙ୍କ ଆର୍ଥିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି। ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗତ ଏପ୍ରିଲ୍ ୧ର ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲା। ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଲାଗି ଘୋଷଣା କରାଯାଇଥିଲା। ଏହା ପରେ ନିର୍ଦ୍ଧାରିତ ଫର୍ମରେ ଆଇନଜୀବୀମାନେ ଆର୍ଥିକ ସହାୟତା ଲାଗି ଆବେଦନ କରିଥିଲେ। ମେ ୨୫ ଆବେଦନର ଶେଷ ତାରିଖ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଆଇନଜୀବୀମାନେ ଏଥିଲାଗି ଆବେଦନ ଦାଖଲ କରିଥିଲେ। ଏହାଭିତରେ ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଆଇନଜୀବୀଙ୍କୁ କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏବେ ସ୍ଥିତି ଅଧିକ ଗୁରୁତର ହୋଇଥିବାବେଳେ ତୁରନ୍ତ ଆଇନଜୀବୀଙ୍କୁ ପ୍ରଣୟନ କରାଯାଇଥିବା ଯୋଜନା ଅନୁସାରେ ଆର୍ଥିକ ସହାୟତା ପ୍ରଦାନ ଲାଗି ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ଓ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିବ୍ୟଆନନ୍ଦ ମିଶ୍ର ଓ ସୁରେନ୍ଦ୍ର ସିଂ ହୁଡ଼ା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର